କନକ ବ୍ୟୁରୋ: ଏପର୍ଯ୍ୟନ୍ତ ବିଶ୍ୱର କୌଣସି ବି ଦଳ କ୍ରମାଗତ ଦୁଇଥର ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିବାରେ ସଫଳ ହୋଇନାହାନ୍ତି, କିନ୍ତୁ ଭାରତୀୟ କ୍ରିକେଟ ଦଳ ଏହି ଐତିହାସିକ ସଫଳତା ହାସଲ କରିବାଠାରୁ ମାତ୍ର ଦୁଇ ପାଦ ଦୂରରେ ରହିଛି । ତେବେ ଏହି ଲକ୍ଷ୍ୟପଥରେ ଟିମ୍ ଇଣ୍ଡିଆକୁ ପ୍ରଥମେ ସେମିଫାଇନାଲ୍ ବାଧା ଅତିକ୍ରମ କରିବାକୁ ପଡ଼ିବ, ଯେଉଁଠାରେ ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦଳ ଇଂଲଣ୍ଡର ସାମ୍ନା କରିବ । ଏହି ମୁକାବିଲା ଭାରତ ପାଇଁ ଆଦୌ ସହଜ ହେବନାହିଁ, କାରଣ ଇଂଲଣ୍ଡ ଦଳରେ ଏମିତି ୫ ଜଣ ଶକ୍ତିଶାଳୀ ଖେଳାଳି ଅଛନ୍ତି ଯିଏ ଭାରତକୁ ଫାଇନାଲ୍‌ରେ ପହଞ୍ଚିବାରୁ ରୋକିବାର କ୍ଷମତା ରଖନ୍ତି ।

Advertisment

ହ୍ୟାରି ବ୍ରୁକ୍
ଇଂଲଣ୍ଡ ଦଳର ପ୍ରଥମ ବିପଜ୍ଜନକ ଖେଳାଳି ହେଉଛନ୍ତି ଅଧିନାୟକ ହ୍ୟାରି ବ୍ରୁକ୍, ଯିଏ କି ପୂରା ଟୁର୍ଣ୍ଣାମେଣ୍ଟରେ ନିଜ କାନ୍ଧରେ ବ୍ୟାଟିଂ ଭାର ବହନ କରି ଆସିଛନ୍ତି । ଚଳିତ ବିଶ୍ୱକପରେ ସେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହାୟତାରେ ୨୨୮ ରନ୍ ସଂଗ୍ରହ କରି ସାରିଛନ୍ତି । ଟିମ୍ ଇଣ୍ଡିଆକୁ ସେମିଫାଇନାଲ୍ ଜିତିବାକୁ ହେଲେ ଖାସକରି ବ୍ରୁକ୍‌ଙ୍କ ରନ୍ ଗତି ଉପରେ ରୋକ ଲଗାଇବାକୁ ପଡ଼ିବ ।

ସାମ୍‌ କରନ୍ 
ଟି-୨୦ ବିଶ୍ୱକପ୍ ୨୦୨୬ରେ ଇଂଲଣ୍ଡ ଦଳ ପାଇଁ ସାମ୍ କରନ୍ ଏବେ ସୁଦ୍ଧା ସବୁଠାରୁ ବଡ଼ 'ଟ୍ରମ୍ପ କାର୍ଡ' ସାବ୍ୟସ୍ତ ହୋଇଛନ୍ତି । ସେ ବ୍ୟାଟ୍ ଏବଂ ବଲ୍‌, ଉଭୟ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଅନେକ ଫାଇଦା ପହଞ୍ଚାଇଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟର ୭ଟି ପାଳିରେ ସେ ୧୪୯ ରନ୍ ସଂଗ୍ରହ କରିବା ସହ ବୋଲିଂରେ ମଧ୍ୟ ୬ଟି ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଭାରତ ପାଇଁ ଏହି ଅଲରାଉଣ୍ଡରଙ୍କୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ହେବ ।

ଅଧିକ ପଢ଼ନ୍ତୁ : ଭାରତଠାରୁ ହାରିକି ବି ଇଣ୍ଡିଜ ଖୁସି ! ହୃଦୟ ଜିତିଲା ବନ୍ଧୁତା

ଫିଲ୍ ସଲ୍ଟ
ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ୬୨ ରନର ଇନିଂସକୁ ବାଦ୍ ଦେଲେ ଚଳିତ ଟି-୨୦ ବିଶ୍ୱକପ୍ ୨୦୨୬ରେ ଫିଲ୍ ସଲ୍ଟଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ପ୍ରାୟତଃ ଶାନ୍ତ ରହିଛି । କିନ୍ତୁ ସଲ୍ଟ କେଉଁ ସ୍ତରର ବିସ୍ଫୋରକ ଖେଳାଳି, ତାହା ସାରା ବିଶ୍ୱ ଜାଣିଛି । ବିଶେଷ କରି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୨୦ ରହିଛି, ଯାହା ଭାରତୀୟ ବୋଲରଙ୍କ ପାଇଁ ଏକ ବଡ଼ ବିପଦର ସଙ୍କେତ ।     

ଆଦିଲ ରସିଦ
ଚଳିତ ବିଶ୍ୱକପ୍‌ରେ ଆଦିଲ ରସିଦ ଇଂଲଣ୍ଡର ସ୍ପିନ୍ ଆକ୍ରମଣର ମୁଖ୍ୟ ମଙ୍ଗ ଧରିଛନ୍ତି । ସେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ରେ ୧୧ଟି ୱିକେଟ୍ ଅକ୍ତିଆର କରିସାରିଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଇକୋନୋମି ରେଟ୍ ୮ ରୁ ମଧ୍ୟ କମ୍ ରହିଛି । ସେମିଫାଇନାଲ୍ ଭଳି ଏକ ବଡ଼ ମ୍ୟାଚ୍‌ରେ ରସିଦଙ୍କ ଦୀର୍ଘ ଦିନର ଅଭିଜ୍ଞତା ଇଂଲଣ୍ଡ ପାଇଁ ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇପାରେ, ଯାହା ଭାରତୀୟ ବ୍ୟାଟରଙ୍କ ପାଇଁ ଚିନ୍ତାର ବିଷୟ । 

ୱିଲ୍ ଜାକ୍ସ
ଚଳିତ ବିଶ୍ୱକପ୍‌ରେ ୱିଲ୍ ଜାକ୍ସ ଜଣେ ଅସମ୍ଭବ ପ୍ରତିଭା ଭାବେ ଉଭା ହୋଇଛନ୍ତି, ଯିଏ କି ଏପର୍ଯ୍ୟନ୍ତ ୪ ଥର 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ଜିତିସାରିଛନ୍ତି । ସେ ୭ଟି ପାଳିରେ ୧୭୭ ର ବିସ୍ଫୋରକ ଷ୍ଟ୍ରାଇକ୍ ରେଟ୍‌ରେ ୧୯୧ ରନ୍ ସଂଗ୍ରହ କରିଛନ୍ତି, ଯାହାକି ଅଧିକାଂଶ ସମୟରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଆସିଛି। କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ସେ ୭ଟି ୱିକେଟ୍ ନେଇ ନିଜକୁ ଘାତକ ସାବ୍ୟସ୍ତ କରିଛନ୍ତି । ବିଶେଷ କରି ଏସୀୟ ପିଚ୍‌ରେ ତାଙ୍କ ବୋଲିଂର ଧାର ଭାରତୀୟ ବ୍ୟାଟରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।