କନକ ବ୍ୟୁରୋ : ଏଫ୍ଆଇଏଚ୍ ପ୍ରୋ ଲିଗ୍ର ରାଉରକେଲା ପର୍ଯ୍ୟାୟରେ ଖେଳିଥିବା ଚାରିଟି ଯାକ ମ୍ୟାଚ୍ ହାରି ଲଜ୍ଜିତ ହୋଇଥିବା ଭାରତୀୟ ହକି ସମ୍ମୁଖରେ ଆଉ ଏକ ମସ୍ତବଡ଼ ଆହ୍ୱାନ ଉପନୀତ ହୋଇଛି । ଭାରତୀୟ ଦଳ ଏହି ସମ୍ମାନଜନକ ପ୍ରତିଯୋଗିତାର ଅଷ୍ଟ୍ରେଲୀୟ ଲେଗ୍ରେ ଆୟୋଜକ ତଥା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ୟୁରୋପୀୟ ଶକ୍ତି ସ୍ପେନ୍ର ମୁକାବିଲା କରିବାକୁ ଯାଉଛି ।
ଏହି ଲେଗ୍ ଚଳିତ ମାସ ୨୦ରୁ ୨୫ ତାରିଖ ଯାଏଁ ଅଷ୍ଟ୍ରେଲିଆର ହୋବର୍ଟସ୍ଥିତ ତାସମାନିଆ ହକି ସେଣ୍ଟରଠାରେ ଖେଳାଯିବ । ଏଥିଲାଗି ହକି ଇଣ୍ଡିଆ ମଙ୍ଗଳବାର ୨୪ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଘୋଷିତ ଦଳରେ ଓଡ଼ିଶାର ତିନି ତାରକା ଅମିତ ରୋହିଦାସ, ଅମନଦୀପ ଲାକ୍ରା ଓ ଶିଳାନନ୍ଦ ସ୍ଥାନ ବଜାୟ ରଖିଛନ୍ତି । ହେଲେ ରାଉରକେଲାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋଶନ କୁଜୁର ଓ ରକ୍ଷଣଭାଗ ଖେଳାଳି ନୀଲମ ସଂଜୀପ ଖେସ୍ ବାଦ୍ ପଡ଼ିଛନ୍ତି ।
ଅଧିକ ପଢ଼ନ୍ତୁ : ଯୁବା ବାସ୍କେଟ୍ବଲ୍: ବ୍ଲଡ୍ଲାଇନ୍ କଟକ ବିଜେତା
ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ନିୟମିତ ଅଧିନାୟକ ହର୍ମନ୍ପ୍ରୀତ୍ ସିଂହ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଗସ୍ତରୁ ଓହରି ଯାଇଛନ୍ତି । ଫଳରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ହାର୍ଦ୍ଦିକ ସିଂହ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ଭାରତୀୟ ଦଳର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ହାର୍ଦ୍ଦିକ ୨୦୨୦ ଟୋକିଓ ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ଏହି ଶୃଙ୍ଖଳାରୁ ଭାରତୀୟ ଦଳ ଚଳିତବର୍ଷ ଶେଷ ଆଡ଼କୁ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ା ଓ ପୁରୁଷ ହକି ବିଶ୍ୱକପ୍ ଲାଗି ପ୍ରସ୍ତୁତି ଆରମ୍ଭ କରିବ ବୋଲି କହିଛି ହକି ଇଣ୍ଡିଆ ।
୪ ବର୍ଷର ବ୍ୟବଧାନ ପରେ ଅଗ୍ରଭାଗ ଖେଳାଳି ମନୀନ୍ଦର ସିଂହ ମଧ୍ୟ ଜାତୀୟ ଦଳକୁ ଫେରିଛନ୍ତି । ଶେଷ ଥର ଲାଗି ସେ ୨୦୨ ହିରୋ ଏସିଆ କପ୍ରେ ୬ଟି ମ୍ୟାଚ୍ ଖେଳିଥିଲେ । ଦଳ ଘୋଷଣା ପରେ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲ୍ଟନ୍ କହିଛନ୍ତି, ରାଉରେକଲା ପର୍ଯ୍ୟାୟର ଫଳାଫଳକୁ ନେଇ ଆମେ ଅତ୍ୟନ୍ତ ମର୍ମାହତ । ସେଠାରେ ଫଳାଫଳ ଆମ ସପକ୍ଷରେ ଗଲାନି । ହୋବର୍ଟରେ ଆମେ ରାଉରକେଲାରେ କରିଥିବା ତ୍ରୁଟି ଓ ବିଚ୍ୟୁତିକୁ ଦୂର କରିବାକୁ ଲକ୍ଷ୍ୟ ରଖିଛୁ ।
ଭାରତୀୟ ଦଳ: ଗୋଲ୍ରକ୍ଷକ-ସୂରଜ କେର୍କେରା, ମୋହିତ ହନେନହାଲି ଶଶିକୁମାର। ରକ୍ଷଣଭାଗ- ଅମିତ ରୋହିଦାସ, ଜର୍ମନପ୍ରୀତ୍ ସିଂହ, ଯୁଗରାଜ ସିଂହ, ସଂଜୟ, ସୁମିତ, ଅମନଦୀପ ଲାକ୍ରା, ଯଶଦୀପ୍ ସିୱାଚ, ପୁଭାନ୍ନା ଚନ୍ଦୁର ବବି। ମଧ୍ୟଭାଗ- ରାଜୀନ୍ଦର ସିଂହ, ମନମୀତ ସିଂହ, ବିବେକ ସାଗର ପ୍ରସାଦ, ହାର୍ଦିକ ସିଂହ (ଅଧିନାୟକ), ମୋଇରଙ୍ଗଥେମ ରବିଚନ୍ଦ୍ର ସିଂହ, ବିଷ୍ଣୁକାନ୍ତ ସିଂହ, ରାଜ କୁମାର ପାଲ। ଅଗ୍ରଭାଗ- ଅଭିଷେକ, ଶିଳାନନ୍ଦ ଲାକ୍ରା, ମନଦୀପ ସିଂହ, ଅରାଇଜିତ ସିଂହ ହୁଣ୍ଡାଲ, ଆଦିତ୍ୟ ଅର୍ଜୁନ ଲଲାଗେ, ଅଙ୍ଗଦବୀର ସିଂହ, ମହୀନ୍ଦର ସିଂହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/17/fih-hobart-stage-2026-02-17-23-25-19.jpg)