Rohit Sharma cried Photograph: (KanakNews)
କନକ ବ୍ୟୁରୋ: ୫୨ ବର୍ଷ ପରେ ସଫଳତା ହାସଲ କରିବା କୌଣସି ଛୋଟ କଥା ନୁହେଁ । ଏହି ମୁହୂର୍ତ୍ତ ଏତେ ଖାସ୍ ଥିଲା ଯେ ଷ୍ଟାଡିୟମରେ ଥିବା ପ୍ରତ୍ୟେକ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲା । ଏଥିରେ ରୋହିତ୍ ଶର୍ମା ବା କେମିତି ବାଦ୍ ପଡ଼ିଥା’ନ୍ତେ । ରବିବାର ରାତିରେ ଠିକ୍ ଏମିତି ଏକ ମୁହୂର୍ତ୍ତର ସାକ୍ଷୀ ପାଲଟିଥିଲା ପୂରା ଦେଶ । ଯେତେବେଳେ ଦୀର୍ଘ ୫୨ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ବିଶ୍ବକପ୍ ଉଠାଇଥିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଖାଲି ପ୍ରତ୍ୟକ୍ଷଦର୍ଶୀ ନୁହେଁ ଘରେ ବସି ଟିଭି ଦେଖୁଥିବା ଲୋକ ମଧ୍ୟ କହିଥିଲେ ‘ହମାରି ଛୋରିୟାଁ ଛୋରୋଁ ସେ କମ୍ ହେ କେ…’ । ଆଉ ଏହି ସ୍ପେଶାଲ୍ ମୁହୂର୍ତ୍ତର ସାକ୍ଷୀ ପାଲଟିଥିବା କ୍ରିକେଟପ୍ରେମୀ ମଧ୍ୟ ପୂରା ଟିମକୁ ଚିୟର୍ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିନଥିଲେ । ଏଭଳି ଏକ ଅବିସ୍ମରଣୀୟ ମୁହୂର୍ତ୍ତକୁ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ହିଟମ୍ୟାନ୍ ମଧ୍ୟ ନିଜ ଲୁହକୁ ରୋକିପାରିନଥିଲେ । ଭାରତର ଅବିସ୍ମରଣୀୟ ସଫଳତା ପରେ ସେ ଷ୍ଟାଡିୟମ୍ ଗ୍ୟାଲେରିରେ ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ । ରୋହିତ୍ ଶର୍ମା ତାଙ୍କ ପତ୍ନୀଙ୍କ ସହିତ ମ୍ୟାଚ୍ ଆରମ୍ଭରୁ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଟିମକୁ ଉତ୍ସାହିତ କରିବା ପାଇଁ ସେ ତାଳି ମାରି ମହିଳା କ୍ରିକେଟରଙ୍କୁ ଚିୟର୍ କରୁଥିବା ନଜର ଆସିଥିଲେ ।
ମମତା, ସୁଜିତଙ୍କ ପରେ ଅମର : ଆଗକୁ ଆଉ କିଏ ଛାଡ଼ିବେ?
ଆରମ୍ଭରୁ ହସି ହସି ଟିମର ଉତ୍ସାହ ବଢ଼ାଉଥିଲେ ହେଁ ସେହି ଐତିହାସିକ ମୁହୂର୍ତ୍ତ ଆସିବା ମାତ୍ରେ ରୋହିତଙ୍କ ଭାବନା ଯେମିତି ଫୁଟି ଉଠିଥିଲା । ବିଜୟ ପରେ ଛଳଛଳ ଆଖିରେ ଉପରକୁ ଦେଖି ଭଗବାନଙ୍କୁ ଧନ୍ୟବାଦ ଦେଉଥିବାର ନଜର ଆସିଥିଲେ ହିଟମ୍ୟାନ୍ । ପୁରୁଷ ଟିମ୍ ହାତରୁ ଯେଉଁ ସୁଯୋଗ ହାତଛଡ଼ା ହୋଇଯାଇଥିଲା ତାହା କରିଦେଖାଇଥିଲେ ମହିଳା ଟିମ୍ । ଏହାଠାରୁ ବଡ଼ ଉପଲବ୍ଧି ଜଣେ କ୍ରିକେଟରଙ୍କ ପାଇଁ ଆଉ କ’ଣ ହୋଇପାରେ ! ୨ ବର୍ଷ ପୂର୍ବେ ନଭେମ୍ବର ୧୯ ତାରିଖରେ ଯେତେବେଳେ ଭାରତ ଅଷ୍ଟ୍ରେଲିଆଠାରୁ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ମ୍ୟାଚ୍ ହାରିଥିଲା । ଅଧିନାୟକ ରୋହିତ ଶର୍ମା ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଆରେ ବହୁତ ସମୟ ଧରି ବସି ରହିଥିଲେ । ସେତେବେଳେ ଭାରତ ୨୪୦ ରନରେ ଅଲଆଉଟ୍ ହୋଇଯାଇଥିଲା ଏବଂ ଅଷ୍ଟ୍ରେଲିଆ ସହଜରେ ଫାଇନାଲ୍ ଜିତିଥିଲା । ଘରୋଇ ମାଟିରେ ପରାଜୟ ହୋଇଥିବାରୁ ରୋହିତ ହତାଶ ହୋଇପଡ଼ିଆରେ ବସି ପଡ଼ିଥିଲେ ଏବଂ ଭାବବିହ୍ବଳ ହୋଇଥିଲେ । କିନ୍ତୁ ରବିବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଯେତେବେଳେ ମହିଳା ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱ ଚାମ୍ପିଅନ୍ ହୋଇଥିଲା ସେତେବେଳେ ତାଙ୍କର ଯନ୍ତ୍ରଣା କମି ଯାଇଥିଲା । ନଭେମ୍ବର ୧୯ ରୋହିତଙ୍କୁ ଦୁଃଖରେ କନ୍ଦାଇ ଦେଇଥିଲା କିନ୍ତୁ ନଭେମ୍ବର ୨ ତାଙ୍କୁ ଖୁସିରେ କନ୍ଦାଇ ଦେଇଥିଲା ।
ତେବେ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୩୩୮ ରନର ଟାର୍ଗେଟକୁ ଭାରତ ଅତିକ୍ରମ କରିବା ପରେ ଦକ୍ଷିଣ ଆଫ୍ରିକା ପାଇଁ ଫାଇନାଲରେ ସେମାନଙ୍କୁ ଅଟକାଇବା ସମ୍ଭବ ହେବ ନାହିଁ ବୋଲି ପ୍ରାୟ ନିଶ୍ଚିତ ହୋଇଯାଇଥିଲା । ଶେଫାଲି ବର୍ମା ଏବଂ ସ୍ମୃତି ମନ୍ଧାନାଙ୍କ ସ୍ଥିର ଇନିଂସ ସହିତ ଭାରତ ୨୯୮ ରନର ଟାର୍ଗେଟ ଦେଇଥିଲା । ଦକ୍ଷିଣ ଆଫ୍ରିକାର କ୍ୟାପଟେନ୍ ଲୌରା ୱଲପର୍ଟଙ୍କ ଶତକୀୟ ଇନିଂସ ମଧ୍ୟ ଟିମ୍ ଇଣ୍ଡିଆକୁ ରୋକିପାରିନଥିଲା ଏବଂ ଭାରତ ୫୨ ରନରେ ଫାଇନାଲ ମ୍ୟାଚ ଜିତିଥିଲା । ଦୀପ୍ତି ଶର୍ମା ମଧ୍ୟ ଫାଇନାଲ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଥିଲେ । ସେଲିବ୍ରେସନ୍ ଅବସରରେ ନୀତା ଅମ୍ବାନୀ ଏବଂ ତାଙ୍କ ପୁଅ ଆକାଶ ଅମ୍ବାନୀ, ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା ଏବଂ ଆଇସିସି ଅଧ୍ୟକ୍ଷ ଜୟ ଶାହ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ ।
  
 Follow Us