କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ପର୍ଥରେ ଚାଲିଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ୍ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି । ଘରୋଇ ଦଳ ପ୍ରଥମ ପାଳିରେ ବଡ଼ ଅଗ୍ରଣୀ ନେବା ସହ ଦ୍ୱିତୀୟ ପାଳିରେ ଭାରତ ସଂଘର୍ଷ କରିବାରୁ ପରାଜୟ ଦ୍ୱାରଦେଶରେ ପହଞ୍ଚିଯାଇଛି ।
ଶୁକ୍ରବାର ପ୍ରଥମ ଦିନରେ ଭାରତ ପ୍ରଥମ ପାଳି ୧୯୮ ରନ୍ରେ ଶେଷ ହୋଇଯାଇଥିଲା । ଅଷ୍ଟ୍ରେଲିଆ ଶନିବାର ୯୬/୩ରୁ ଖେଳ ଆରମ୍ଭ କରି ୩୨୩ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା । ଆନାବେଲ୍ ସଦରଲାଣ୍ଡ୍ଙ୍କ ଶତକ (୧୭୧ ବଲ୍ରୁ ୧୨୯ ରନ୍) ଏବଂ ଏଲିସ୍ ପେରି (୧୧୬ ବଲ୍ରୁ ୭୬ ରନ୍) ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୨୫ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ନେଇଯାଇଥିଲା ।
ଅଧିକ ପଢ଼ନ୍ତୁ : ସଞ୍ଜୁ ୨୬ ରନ୍ କଲେ ଜିତିବ ଭାରତ ! ୨୬ ରନ୍ ସହ କ’ଣ ରହିଛି ସଞ୍ଜୁଙ୍କ କନେକ୍ସନ୍ !
ସଦରଲାଣ୍ଡ୍ କ୍ରମାଗତ ତୃତୀୟ ଶତକ ସହ କ୍ୟାରିୟରର୍ ଚତୁର୍ଥ ଟେଷ୍ଟ୍ ଶତକ ଅର୍ଜନ କରିଛନ୍ତି । ନିମ୍ନକ୍ରମରେ ଲୁସି ହାମିଲଟନ୍ (୨୩) ଓ ଆଲନା କିଙ୍ଗ୍ (୨୧) ଉପଯୋଗୀ ପାଳି ଖେଳିବାରୁ ଅଷ୍ଟ୍ରେଲିଆ ଶେଷ ୪ ୱିକେଟ୍ରେ ୮୨ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ପ୍ରଥମ ପଦାର୍ପଣକାରୀ ଦ୍ରୁତ ବୋଲର ସାୟଲୀ ସତ୍ଘରେ (୪/୫୦) ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ୨-୨ ୱିକେଟ୍ ଏବଂ ସ୍ନେହ ରାଣା ଓ ଶେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଜବାବରେ ଭାରତ ଦ୍ୱିତୀୟ ପାଳିରେ ଦ୍ୱିତୀୟ ରାତି ଖେଳ ଶେଷ ସୁଦ୍ଧା ମାତ୍ର ୧୦୫ ରନ୍ରେ ୬ ୱିକେଟ୍ ହରାଇ ବସିଛି । ପ୍ରତୀକା ରାୱଲ (୮୪ ବଲ୍ରୁ ୪୩* ରନ୍) ଏବଂ ସ୍ନେହ ରାଣା (୧୭ ବଲ୍ରୁ ୧୪* ରନ୍) ବ୍ୟାଟିଂ କରୁଛନ୍ତି । ଦଳର ୫ ବରିଷ୍ଠ ତଥା ଅଭିଜ୍ଞା ଖେଳାଳି ସ୍ମୃତି ମନ୍ଧାନା (୨), ଶେଫାଳି ବର୍ମା (୫), ହର୍ମନପ୍ରୀତ୍ କୌର୍ (୧୧), ଜେମିମା ରଡ୍ରିଗ୍ସ (୧୪), ଦୀପ୍ତି ଶର୍ମା (୯) ବିଫଳ ହେବା ଭାରତକୁ ବିପଦ ମୁହାଁ କରିଛି । ପ୍ରଥମ ପଦାର୍ପଣ କରିଥିବା ଲୁସି ହାମିଲଟନ ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ବି ୩ ୱିକେଟ୍ ନେଇ ସାରିଛନ୍ତି । ଆନାବେଲ୍ ସଦରଲାଣ୍ଡ୍ ୨ ଓ ଡାର୍ସି ବ୍ରାଉନ୍ ୧ ୱିକେଟ୍ ନେଇଛନ୍ତି । ଭାରତ ହାତରେ ଆଉ ମାତ୍ର ୪ ୱିକେଟ୍ ଥିବାବେଳେ ଭ୍ରମଣକାରୀ ହର୍ମନପ୍ରୀତ୍ କୌରଙ୍କ ଦଳ ଏବେ ବି ୨୦ ରନ୍ ପଛରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/07/perth-day-night-test-2026-03-07-22-20-03.jpg)