କନକ ବ୍ୟୁରୋ : ନର୍ଭସ ନାଇଣ୍ଟିର ଶିକାର ହୋଇ ୫୪ତମ ଏକଦିବସୀୟ ଶତକରୁ ବଞ୍ଚିତ ହେଲେ । ଏହା ପୂର୍ବରୁ କିନ୍ତୁ ୯୩ ରନ୍‌ର ଚମକପ୍ରଦ ପାଳି ଖେଳି ନିଜ ଚେଜ୍‌ ମାଷ୍ଟର୍‌ ଉପାଧିକୁ ସାର୍ଥକ କଲେ । ରବିବାର କିଂବଦନ୍ତି ବ୍ୟାଟର୍‌ ବିରାଟ ‌କୋହଲିଙ୍କ ବ୍ୟାଟ୍‌ ପୁଣି ଥରେ ଭାରତ ପାଇଁ ମ୍ୟାଚ୍‌ ବିଜୟୀ ପାଳି ଅର୍ଜନ କରିଛି । କୋହଲି ଶତକର ମାତ୍ର ୭ ରନ୍‌ ପୂର୍ବରୁ ଆଉଟ୍‌ ହେବା ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ହେଲେ ତାଙ୍କ ଦାୟିତ୍ୱବାନ ପାଳି ବଳରେ ଭାରତ ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି । ତା’ ସହିତ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି । ଫଳରେ ରାଜକୋଟରେ ୧୪ ତାରିଖରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ପାଇଁ ଶୃଙ୍ଖଳା ବିଜୟ ସୁଯୋଗ ସୃଷ୍ଟି ହୋଇଛି । ଏହି ମ୍ୟାଚ୍ ଜିତିଲେ ଭାରତ ଘରୋଇ ପରି‌ବେଶରେ ଲଗାତାର ଦ୍ୱିତୀୟ ଦିନିକିଆ ଶୃଙ୍ଖଳା ଜିତିବ ।

Advertisment

ଏହା ପୂର୍ବରୁ ଗତମାସରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ରବିବାର ନ୍ୟୁଜିଲାଣ୍ଡ ଘରୋଇ ଭାରତକୁ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ରୋହିତ ଶର୍ମା (୨୬)ଙ୍କ ସହ ଅଧିନାୟକ ଶୁବମନ୍‌ ଗିଲ୍ (୫୬) ଭଲ ଆରମ୍ଭ ପାଇଥିଲେ । ହେଲେ ବଡ଼ ସ୍କୋର୍ କରି ପାରି ନ ଥିଲେ । ଏଭଳି ସ୍ଥିତିରେ ଗିଲ୍‌ଙ୍କ ସହ ଦ୍ୱିତୀୟ ୱିକେଟ୍‌ରେ ୧୧୮ ଏବଂ ଶ୍ରେୟସ୍‌ ଆୟର (୪୯)ଙ୍କ ସହ ତୃତୀୟ ୱିକେଟ୍‌ରେ ୭୭ ରନ୍ ଯୋଡ଼ି କୋହଲି ଭାରତର ବିଜୟ ପାଇଁ ଦୃଢ଼ ମଞ୍ଚ ଗଢ଼ିଥିଲେ । ୪୦ତମ ଓଭରରେ କୋହଲିଙ୍କୁ ଚତୁରତାର ସହ ଆଉଟ୍‌ କରି କାଇଲ୍‌ ଜାମିସନ୍ ଶତକରୁ ରୋକିବା ପରେ କୋଟାମ୍ବି ଷ୍ଟାଡିୟମ୍‌ର ପାଖାପାଖି ୪୦,୦୦୦ ଦର୍ଶକ ସ୍ତବ୍ଧ ହୋଇଯାଇଥିଲେ ।

ଅଧିକ ପଢ଼ନ୍ତୁ : ସଚିନଙ୍କ ରେକର୍ଡ ଭାଙ୍ଗିଲେ ‌କୋହଲି

ସେହିଭଳି ଅଷ୍ଟ୍ରେଲିଆ ଗସ୍ତରେ ଆହତ ହୋଇ ବହୁ ଦିନ ପରେ ଫେରିଥିବା ଶ୍ରେୟସ୍‌ ଅର୍ଦ୍ଧଶତକର ଗୋଟିଏ ରନ୍‌ ପୂର୍ବରୁ ଆଉଟ୍ ହେବା ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ନିରାଶାଜନକ ଖବର ଥିଲା । ପୁଣି ୮ ରନ୍‌ ଭିତରେ ରବୀନ୍ଦ୍ର ଜାଡ଼େଜା ଓ ଶ୍ରେୟସ୍‌ଙ୍କୁ ଶିକାର କରି ଜାମିସନ୍‌ ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ । ହେଲେ ହର୍ଷିତ ରାଣାଙ୍କ ବିସ୍ଫୋରକ ୨୯ ରନ୍ (୨୩ ବଲ୍, ୨ ଚୌକା, ୧ ଛକା) ସହ କେଏଲ୍‌ ରାହୁଲଙ୍କ ଉପଯୋଗୀ ୨୯* ରନ୍‌ ବଳରେ ଭାରତ ଶେଷରେ ଗୋଟିଏ ଓଭର ପୂର୍ବରୁ ୩୦୬/୬ କରି ବିଜୟର ମିଠାମିଠା ସ୍ୱାଦ ଚାଖିଥିଲା । ୪୯ତମ ଓଭରର ଶେଷ ୩ ବଲ୍‌ରୁ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ରାହୁଲ ବିଜୟ ମୁଣ୍ଡି ମାରିବା ଦର୍ଶକଙ୍କୁ ଉଲ୍ଲସିତ କରିଥିଲା । କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ପୂର୍ବରୁ ଭାରତ ଟସ୍‌ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । କିୱି ଦଳ ଡାରିଲ୍‌ ମିଚେଲ୍‌ ୮୪, ହେନରି ନିକୋଲ୍‌ସଙ୍କ ୬୨ ଓ ଡେଭନ୍‌ କନୱେଙ୍କ ୫୬ ରନ୍‌ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୦୦ ରନ୍‌ କରିଥିଲା ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ୫୦ ଓଭରରେ-୩୦୦/୮ (ଡାରିଲ ମିଚେଲ ୮୪, ହେନରି ନିକୋଲ୍‌ସ ୬୨, ଡେଭନ୍‌ କନୱେ ୫୬, ମହମ୍ମଦ ସିରାଜ ୨/୪୦, ହର୍ଷିତ ରାଣା ୨/୬୫)। ଭାରତ ୪୯ ଓଭରରେ-୩୦୬/୬ ( ବିରାଟ କୋହଲି ୯୩, ଶୁବମନ୍‌ ଗିଲ୍ ୫୬, ଶ୍ରେୟସ୍‌ ଆୟର୍‌ ୪୯, ହର୍ଷିତ ରାଣା ୨୯, କେଏଲ୍‌ ରାହୁଲ ୨୯*, ରୋହିତ ଶର୍ମା ୨୬, କାଇଲ୍‌ ଜାମିସନ୍ ୪/୪୧, ଆଦିତ୍ୟ ଅଶୋକ ୧/୫୫)