କନକ ବ୍ୟୁରୋ : କିଙ୍ଗ୍ କୋହଲି ରବିବାର ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି । ସଚିନଙ୍କୁ ଟପି ୨୮,୦୦୦ ଅନ୍ତର୍ଜାତୀୟ ରନ୍‌ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟର୍‌ ହୋଇଛନ୍ତି । ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅବସରରେ ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି ୩୭ବର୍ଷୀୟ କୋହଲି । ସଚିନ ୬୪୪ ପାଳି ଖେଳି ୨୮,୦୦୦ ରନ୍‌ର ପାହାଡ଼ ଅତିକ୍ରମ କରିଥିଲା ବେଳେ କୋହଲି ମାତ୍ର ୬୨୪ ପାଳିରେ ଏହାକୁ ଛୁଇଁବାର ଗୌରବ ଅର୍ଜନ କରିଛନ୍ତି । ସେ ମଧ୍ୟ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଟପି ବିଶ୍ୱର ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାରେ କେବଳ ସଚିନଙ୍କ ପଛକୁ ଦ୍ୱିତୀୟ ସ୍ଥାନ‌କୁ ଉଠିଛନ୍ତି ।

Advertisment

ସାଙ୍ଗାକାରାଙ୍କ ୨୮,୦୧୬ କ୍ୟାରିୟର୍‌ ରନ୍‌ଠାରୁ ମାତ୍ର ୪୨ ରନ୍‌ ପଛୁଆ ରହି କୋହଲି ରବିବାର ତାଙ୍କ ବ୍ୟାଟିଂ ଆରମ୍ଭ କରିଥିଲେ । ଭାରତୀୟ ପଶ୍ଚାତଧାବନର ୧୯ତମ ଓଭରରେ ହିଁ ସେ ସାଙ୍ଗାକାରାଙ୍କୁ ସଫଳତାର ସହ ଟପି ଯାଇଥିଲେ । ଏହି କ୍ଷେତ୍ରରେ ମୋଟ ୩୪, ୩୫୭ ରନ୍‌ ସଚିନ ସମସ୍ତଙ୍କଠାରୁ ବହୁ ଆଗରେ ରହିଛନ୍ତି । କେବଳ ଏତିକି ନୁହେଁ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ କୋହଲିଙ୍କ ପାଖରେ ୧୫,୦୦୦ ଏକଦିବସୀୟ ରନ୍ ଛୁଇଁବାର ସୁଯୋଗ ବି ରହିଛି ।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ରନ୍ (ଟପ୍‌ ୬)

ଖେଳାଳି ଦେଶ ରନ୍
ସଚିନ ତେନ୍ଦୁଲକର ଭାରତ ୩୪,୩୫୭

ବିରାଟ କୋହଲି ଭାରତ ୨୮,୦୧୭*
କୁମାର ସାଙ୍ଗାକାରା ଶ୍ରୀଲଙ୍କା ୨୮,୦୧୬

ରିକି ପଣ୍ଟିଂ ଅଷ୍ଟ୍ରେଲିଆ ୨୭,୪୮୩
ମାହେଲା ଜୟବର୍ଦ୍ଧନେ ଶ୍ରୀଲଙ୍କା ୨୫,୯୫୭

ଜ୍ୟାକ୍‌ କାଲିସ୍ ଦକ୍ଷିଣ ଆଫ୍ରିକା ୨୫,୫୩୪

୨୮,୦୦୦ ରନ୍‌ରେ ଦ୍ରୁତତମ (ଶୀର୍ଷ ୩)

ଖେଳାଳି ଦେଶ ପାଳି
ବିରାଟ କୋହଲି ଭାରତ ୬୨୪

ସଚିନ ତେନ୍ଦୁଲକର ୬୪୪
କୁମାର ସାଙ୍ଗାକାରା ୬୬୬