କନକ ବ୍ୟୁରୋ : ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକୀୟ ଭାଗୀଦାର ବଳରେ ଭାରତ ଆଉ ଏକ ଜବରଦସ୍ତ ବିଜୟ ପାଇଛି । ଫଳରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ୫ ମ୍ୟାଚ୍ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି ଭାରତ । ୨୦୯ ବିଜୟ ଲକ୍ଷ୍ୟକୁ ଭାରତ ୨୮ ବଲ୍ ପୂର୍ବରୁ ହାସଲ କରି ବିଶ୍ବକପ୍ର ଦୁଇ ସପ୍ତାହ ପୂର୍ବରୁ ଆତ୍ମବିଶ୍ୱାସରେ ରହିଥିବା ଆଭାସ ବି ଦେଇଛି । ଟସ୍ ଜିତି ସୂର୍ଯ୍ୟକୁମାର ଯାଦବ ନ୍ୟୁଜିଲାଣ୍ଡ୍କୁ ବ୍ୟାଟିଂ ପାଇଁ ଡାକିଥିଲେ । ପାୱାର ପ୍ଲେ ଭିତରେ ଭାରତ ୨ ୱିକେଟ୍ ବାହାର କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍ ୬୪ ରନ୍ ସଂଗ୍ରହ କରି ନେଇଥିଲା ।
ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ରାଚିନ ରବୀନ୍ଦ୍ର (୨୬ ବଲ୍ରୁ ୪୪ ରନ୍) ଏବଂ ଶେଷ ଭାଗରେ ଅଧିନାୟକ ମିଚେଲ୍ ସାଣ୍ଟନର୍ (୨୭ ବଲ୍ରୁ ୪୭* ରନ୍) ନ୍ୟୁଜିଲାଣ୍ଡ୍କୁ ୨୦୮ ରନ୍ରେ ପହଞ୍ଚାଇ ଦେଇଥିଲେ । ଜବାବରେ ଭାରତ ମଧ୍ୟ ଅନୁରୂପ ଭାବେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ୭ ବଲ୍ ଭିତରେ ସଂଜୁ ସାମସନ୍ ଓ ଅଭିଷେକ ଶର୍ମାଙ୍କୁ ହରାଇଥିଲା । ତଥାପି ପାୱାର ପ୍ଲେ ଭିତରେ ଭାରତ ୨ ୱିକେଟ୍ରେ ୭୫ ରନ୍ ସଂଗ୍ରହ କରିଥିଲା । ଏହି ସମୟରେ ଈଶାନ କିଶନ ନିଜ ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳିଥିଲେ । ୨୧ ବଲ୍ରୁ ଅର୍ଦ୍ଧଶତକ ହାସଲ ପରେ ୩୨ ବଲ୍ରୁ ୭୬ ରନ୍ କରି ଆଉଟ୍ ହୋଇଥିଲେ ।
ଅଧିକ ପଢ଼ନ୍ତୁ : ଖେଳାଳି ବିଶ୍ୱକପ୍ ଖେଳିବାକୁ ରାଜି, କିନ୍ତୁ ବାଂଲାଦେଶ ସରକାର ଜିଦରେ ଅଟଳ
ଏହା ମଧ୍ୟରେ ୧୧ ଚୌକା ଓ ୪ ଛକା ସାମିଲ ଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ଏକ ବହୁ ପ୍ରତୀକ୍ଷିତ ପାଳି ଖେଳିଥିଲେ । ସେ ୨୩ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏଥି ସହିତ ୧୫ ମାସ ଓ ୨୬ ମ୍ୟାଚ୍ ପରେ ଟ୍ୱେଣ୍ଟି-୨୦ ଅର୍ଦ୍ଧଶତକ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ ସେ । ଈଶାନ ଓ ସୂର୍ଯ୍ୟ ୮ ଓଭରରେ ୧୨୨ ରନ୍ ଯୋଡ଼ିବା କଷ୍ଟସାଧ୍ୟ ଲକ୍ଷ୍ୟକୁ ସହଜ କରି ଦେଇଥିଲା । ସୂର୍ଯ୍ୟଙ୍କ ୩୭ ବଲ୍ ୮୨* ରନ୍ ପାଳିରେ ୪ ଛକା, ୯ ଚୌକା ସାମିଲ ଥିଲା । ଶିବମ ଦୁବେ ମଧ୍ୟ ୧୮ ବଲ୍ରୁ ୩ ଛକା ବଳରେ ୩୬* ରନ୍ ସଂଗ୍ରହ କରି ବିଜୟରେ ନିଜ ଯୋଗଦାନ ରଖିଥିଲେ । ଜ୍ୟାକ୍ ଫକ୍ସ ତାଙ୍କ ୪ ଓଭରରେ ୬୭ ରନ୍ ବ୍ୟୟ କରି ନ୍ୟୁଜିଲାଣ୍ଡ୍ ପାଇଁ ନୂଆ ରେକର୍ଡ କରିଥିଲେ ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍ ୨୦ ଓଭରରେ ୨୦୮/୬ (ମିଚେଲ୍ ସାଣ୍ଟନର୍-୪୭*, ରାଚିନ ରବୀନ୍ଦ୍ର-୪୪, କୁଲଦୀପ ଯାଦବ-୨/୩୫, ଶିବମ ଦୁବେ-୧/୭, ହାର୍ଦିକ ପାଣ୍ଡ୍ୟା-୧/୨୫, ବରୁଣ ଚକ୍ରବର୍ତ୍ତୀ-୧/୩୫, ହର୍ଷିତ ରାଣା-୧/୩୫)। ଭାରତ ୧୫.୨ ଓଭରରେ ୨୦୯/୩ (ସୂର୍ଯ୍ୟକୁମାର ଯାଦବ-୮୨*, ଈଶାନ କିଶନ-୭୬, ଶିବମ ଦୁବେ-୩୬*, ଈଶ ସୋଢ଼ୀ-୧/୩୪, ଜାକବ ଡଫି-୧/୩୮, ମ୍ୟାଟ୍ ହେନରି-୧/୪୧)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/ind-vs-nz-t20-2026-01-23-22-52-19.jpg)