କନକ ବ୍ୟୁରୋ : ବାଂଲାଦେଶ କ୍ରିକେଟ୍ ଏବେ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ । ଏହାର ଖେଳାଳିମାନେ ବି ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ । କାରଣ ବାଂଲାଦେଶ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପରି ଏକ ପ୍ରମୁଖ ପ୍ରତିଯୋଗିତାରୁ ଓହରିବା ପରେ ଆଇସିସି ବିସିବିକୁ ଦଣ୍ଡିତ କରିବା ସମ୍ଭାବନା ବଢିଯାଇଛି । କିନ୍ତୁ ଏହି ବିବାଦକୁ ନେଇ ବାଂଲାଦେଶରୁ ଯେଉଁ ଖବର ଆସୁଛି ତାହା ଯଦି ସହ ହୋଇଥାଏ ତେବେ ଆହୁରି ସାଂଘାତିକ କଥା ହେବ ।

Advertisment

ସୂଚନା ଅନୁସାରେ ବାଂଲାଦେଶ କ୍ରିକେଟର ଭବିଷ୍ୟତକୁ ଦୃଷ୍ଟିରେ ରଖି ସେଠାକାର ଖେଳାଳିମାନେ ଭାରତ ଆସି ବିଶ୍ୱକପ୍ ଖେଳିବାକୁ ରାଜି । କିନ୍ତୁ ସେମାନଙ୍କ ମତାମତକୁ କିମ୍ବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ପରାମର୍ଶକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି ସେଠାକାର କାମଚଳା ସରକାର । ନିଜେ ସମସ୍ତ ନିଷ୍ପତ୍ତି ନେଇ କେବଳ ଖେଳାଳିମାନଙ୍କୁ ନିଜର ନିଷ୍ପତ୍ତି ଶୁଣାଉଛନ୍ତି ।

ଅଧିକ ପଢ଼ନ୍ତୁ : କାଙ୍ଗାଳ ହୋଇପାରେ ବାଂଲା କ୍ରିକେଟ, ସହିବ କୋଟି କୋଟି ଟଙ୍କାର କ୍ଷତି

ଗୁରୁବାର ଖେଳାଳି, ବିସିବି ଓ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକର ଉଦ୍ଦେଶ୍ୟ ଥିଲା ଖେଳାଳିମାନଙ୍କ ସହ ଆଲୋଚନା କରିବା ଓ ସେମାନଙ୍କ ପକ୍ଷ ଶୁଣିବା । ବୈଠକରେ ବାଂଲାଦେଶ ଅଧିନାୟକ ଲିଟନ ଦାସ ଓ ଟେଷ୍ଟ ଅଧିନାୟକ ନଜମୁଲ ହୋସେନ ସାଣ୍ଟୋ ଭାରତ ଯାଇ ବିଶ୍ୱକପ ଖେଳିବାକୁ ସମ୍ମତି ଜଣାଇଥିଲେ । କିନ୍ତୁ ସେମାନଙ୍କ କୌଣସି କଥା ଶୁଣିବା ବଦଳରେ କେବଳ ଏକ ନିର୍ଦ୍ଦେଶ ଶୁଣାଇ ଦିଆଯାଇଥିଲା ଯେ ସୁରକ୍ଷା କାରଣରୁ ଦଳ ଭାରତ ଗସ୍ତ କରିବ ନାହିଁ । ପୂର୍ବରୁ ହୋଇଥିବା କେତେକ ଘଟଣା ଯୋଗୁଁ ବଂଲାଦେଶ ଖେଳାଳିଙ୍କ ପ୍ରତି ବିପଦର ଆଶଙ୍କା ରହିଛି ।

ଜଣେ ଖେଳାଳି ଗଣମାଧ୍ୟମକୁ କହିଛନ୍ତି ଯେ "ପୂର୍ବରୁ କୌଣସି ନିଷ୍ପତ୍ତି ନିଆଯିବାବେଳେ ଖେଳାଳିମାନଙ୍କ ମତାମତ ନିଆଯାଉଥିଲା । କିନ୍ତୁ ଏବେ ସରକାର ସିଧାସଳଖ କହୁଛନ୍ତି ଯେ ଆମେ ଭାରତ ଯିବୁ ନାହିଁ । ଏପରିକି ଖେଳାଳିମାନଙ୍କ ସହ ଆଲୋଚନା କରିବା ପୂର୍ବରୁ ହିଁ ୟୁନୁସ୍ ସରକାର ନିଷ୍ପତ୍ତି ନେଇସାରିଥିଲେ । ଏଣୁ ସତ କଥା ହେଉଛି ଏହା ସରକାରଙ୍କ ନିଷ୍ପତ୍ତି, ଆମେ ବିଶ୍ୱକପ ଖେଳିବୁ ନାହିଁ" ।