Imran Khan Photograph: (Kanak News)
କନକ ବ୍ୟୁରୋ : ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜୟୀ ପାକିସ୍ତାନ ଦଳର ଅଧିନାୟକ ଇମ୍ରାନ ଖାଁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ କ୍ରିକେଟ୍ର ୧୪ ମହାନ ବ୍ୟକ୍ତିତ୍ୱ ତଥା ପୂର୍ବତନ ଅଧିନାୟକ । ପାକିସ୍ତାନ ସରକାରଙ୍କୁ ପତ୍ର ଲେଖି ସେମାନେ ଇମ୍ରାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ପତ୍ର ଲେଖିଥିବା ପୂର୍ବତନ ଖେଳାଳିମାନଙ୍କ ମଧ୍ୟରେ ଭାରତର ସୁନୀଲ ଗାଭାସ୍କର ଓ କପିଳ ଦେବ ଅଛନ୍ତି ।
ଏହି ପତ୍ରରେ ସ୍ୱାକ୍ଷର କରିଥିବା ଅନ୍ୟ ପୂର୍ବତନ ଖେଳାଳିମାନେ ହେଲେ ଗ୍ରେଗ୍ ଚାପେଲ୍, ମାଇକେଲ୍ ଆଥର୍ଟନ, ଆଲାନ ବର୍ଡର,ନାସିର ହୁସେନ, ଇଆନ୍ ଚାପେଲ୍, ମାଇକେଲ୍ ବ୍ରିୟର୍ଲି, ଡେଭିଡ୍ ଗାଓ୍ବାର, ଜନ ରାଇଟ୍, ଷ୍ଟିଭ୍ ୱ, କ୍ଲାଇଭ୍ ଲଏଡ୍ । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବେଲିଣ୍ଡା କ୍ଲାର୍କ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ତାଲିକାରେ କୌଣସି ପାକିସ୍ତାନୀ କ୍ରିକେଟ୍ ଖେଳାଳି ନାହାନ୍ତି । ନିଜ ପତ୍ରରେ ସେମାନେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉଥିବା ଅବନତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।
ଅଧିକ ପଢ଼ନ୍ତୁ : ଭାରତରେ ହେବ ବିଗ୍ ବାସ୍ ଲିଗ୍ !
ବିଶେଷକରି ତାଙ୍କର ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ବିଷୟ ଉଲ୍ଲେଖ କରାଯାଇଥିଲା । ତାଙ୍କୁ ତୁରନ୍ତ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ପୁଣି ତାଙ୍କୁ ନିରପେକ୍ଷ ନ୍ୟାୟିକ ସେବା ମଧ୍ୟ ଯୋଗାଇଦେବାକୁ ଅନୁରୋଧ କରାଯାଇଛି ।
Follow Us