Volleyball Photograph: (Internet)
କନକ ବ୍ୟୁରୋ : କିଟ୍ ବିଶ୍ୱବିଦ୍ୟାଳୟର ଦୂତି ଚାନ୍ଦ ଆଥଲେଟିକ୍ସ ଷ୍ଟାଡିୟମ୍ଠାରେ ଚାଲିଥିବା ଏଫ୍ଆଇଭିବି ବିଚ୍ ପ୍ରୋ ଟୁର୍ ଭଲିବଲ୍ ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବର୍ଗର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ମହିଳା ସେମିରେ ଜାପାନର ଶିବା ଓ ରିକା ଯୋଡ଼ି ଆମେରିକାର ମିଜକୋଓସ୍କି ଓ କାନଙ୍କୁ ଏବଂ ଆମେରିକାର ଡୁରିସ ଓ କେନିଙ୍ଗ ନିଜ ଦେଶର ହ୍ୟୁଗ୍ସ-ବାଟେନହର୍ଷ୍ଟ ଯୋଡ଼ିଙ୍କୁ ଭେଟିବେ ।
ସେହିଭଳି ପୁରୁଷ ବର୍ଗର ସେମିଫାଇନାଲ୍ରେ ଚେକ୍ ରିପବ୍ଲିକ୍ର ସେପ୍କା ଓ ଜାଭୋରୋନୋକ ଯୋଡ଼ିକୁ ଇସ୍ରାଏଲ୍ର ଏଲଜାର-କୁଜମିସିଭ ଭେଟିବେ । ଦ୍ୱିତୀୟ ସେମିଫାଇନାଲ୍ରେ ଡେନମାର୍କର ବ୍ରିୟାଙ୍କ-ହ୍ୟୁମାନ ବେଲଜିୟମର ଭକୌଟେରିନ ଓ ଭାନ ଓ ଭାନ୍ ଲାଙ୍ଗେନଡଙ୍କଙ୍କୁ ଭେଟିବେ । ରବିବାର ଉଭୟବର୍ଗର ଫାଇନାଲ୍ ସହ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ। ଶନିବାର ଏହି ସମ୍ମାନଜନକ ପ୍ରତିଯୋଗିତାର ରାଉଣ୍ଡ୍ ଅଫ୍ ୧୬ ଏବଂ କ୍ବାର୍ଟର ଫାଇନାଲ୍ ବର୍ଗ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ଅଧିକ ପଢ଼ନ୍ତୁ : ପର୍ଥ ଦିବାରାତ୍ର ଟେଷ୍ଟ୍: ପରାଜୟ ଦ୍ୱାରରେ ଭାରତ
ସବୁ ମ୍ୟାଚ୍ଗୁଡ଼ିକ ବେଶ୍ ରୋମାଞ୍ଚଭରା ହୋଇଥିଲା । ସେହିଭଳି ଓଡ଼ିଶାର ଲୋକକଳା ଓ ସ୍ଥାନୀୟ ଲୋକନୃତ୍ୟ ବିଦେଶାଗତ ଅତିଥି ଖେଳାଳିଙ୍କୁ ବେଶ୍ ରୋମାଞ୍ଚିତ କରିଥିଲା । ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ପ୍ରଥମ ଥର ଲାଗି ଭାରତ ସର୍ବୋପରି ଓଡ଼ିଶାରେ ଆୟୋଜିତ ହେଉଛି । ଏଭଳି ଏକ ପ୍ରତିଯୋଗିତାକୁ ଭାରତ ଆଣିବାରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ପ୍ରଫେସର୍ ଅଚ୍ୟୁତ ସାମନ୍ତ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଶ୍ରୀ ସାମନ୍ତ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି ।
ସେହିଭଳି ପ୍ରତିଯୋଗିତାର ଉଚ୍ଚସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରଶଂସା କରିଛନ୍ତି । ରବିବାର ନିଜନିଜର ଶ୍ରେଷ୍ଠ ଦେବାକୁ ସବୁ ଖେଳାଳିଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି । ସାରା ବିଶ୍ୱର ୭୦ ପାଖାପାଖି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲା ବେଳେ ଓଡ଼ିଶାରେ ମିଳିଥିବା ଆତିଥେୟତା ସବୁଦିନ ପାଇଁ ସ୍ମରଣୀୟ ରହିବ ବୋଲି ମତ ପ୍ରକାଶ କରିଛନ୍ତି । ସେହିଭଳି କିଟ୍ ଓ କିସ୍ର କ୍ରୀଡ଼ା ଭିତ୍ତିଭୂମିକୁ ବେଶ୍ ପସନ୍ଦ କରିବା ସହ ଏହାକୁ ବିଶ୍ବସ୍ତରୀୟ ବୋଲି ବର୍ଣ୍ଣନା କରିଛନ୍ତି ।
Follow Us