କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଦୌଡ଼ରୁ ପୂର୍ବତନ ଚାମ୍ପିୟନ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହୋଇଯାଇଛି । ଗ୍ରୁପ୍ ‘ବି’ରେ ମଙ୍ଗଳବାର ଖେଳାଯିବାକୁ ଥିବା ଜିମ୍ବାୱେ ଓ ଆୟର୍ଲାଣ୍ଡ୍ ମ୍ୟାଚ୍ ଉପରେ ଅଷ୍ଟ୍ରେଲିଆର ନଜର ଥିଲା । ମାତ୍ର ପ୍ରବଳ ବର୍ଷା ଯୋଗୁଁ ଏହି ମ୍ୟାଚ୍ଟି ବାତିଲ ହେବା ପରେ ଜିମ୍ବାୱେ ଓ ଆୟର୍ଲାଣ୍ଡ୍ ମଧ୍ୟରେ ପଏଣ୍ଟ୍ ଭାଗ କରାଯାଇଥିଲା । ଏହା ସହିତ ୫ ପଏଣ୍ଟ ପାଇ ଜିମ୍ବାୱେ ସୁପର-୮କୁ ଉନ୍ନୀତ ହୋଇଛି । ପାଲେକଲ୍ରେ ମଙ୍ଗଳବାର ସକାଳୁ ନିରବଚ୍ଛିନ୍ନ ଭାବେ ବର୍ଷା ଲାଗି ରହିଥିଲା । ଏପରିକି ବର୍ଷା ଯୋଗୁଁ ଟସ୍ ମଧ୍ୟ ପଡ଼ିପାରିନଥିଲା । ଏହା ପରେ ଭାରତୀୟ ସମୟ ଅପରାହ୍ଣ ସାଢେ ୫ଟା ସମୟରେ ମ୍ୟାଚ୍ ରେଫରି ମ୍ୟାଚ୍ ରଦ୍ଦ ହେଲା ବୋଲି ଘୋଷଣା କରିଥିଲେ ।
ବିଶ୍ୱକପ୍ର ୭ମ ଦଳ ଭାବେ ଜିମ୍ବାୱେ ସୁପର-୮ରେ ପ୍ରବେଶ କରିଛି । ସୁପର-୮ର ଗ୍ରୁପ୍-୧ରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ଅଛନ୍ତି । ସେହିପରି ଗ୍ରୁପ୍-୨ରେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ୍ ଓ ଇଂଲଣ୍ଡ୍ ନିଜ ସ୍ଥାନ ପକ୍କା କରିସାରିଥିବାବେଳେ ୮ମ ଦଳ ଭାବେ ପାକିସ୍ତାନ କିମ୍ବା ୟୁଏସ୍ଏ ସ୍ଥାନ ପାଇବେ । ଅଷ୍ଟ୍ରେଲିଆ ପାଇଁ ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ବେଶ୍ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି । ଆହତ ଜନିତ କାରଣରୁ ଦଳ ନିଜର କେତେକ ତାରକା ଖେଳାଳିଙ୍କ ବିନା ବିଶ୍ୱକପ୍ ଲଢିବାକୁ ଆସିଥିଲା ।
ଅଧିକ ପଢ଼ନ୍ତୁ : T 20 World Cup 2026 : କାନାଡାକୁ ହରାଇ ସୁପର-୮ରେ ନ୍ୟୁଜିଲାଣ୍ଡ୍
ତେବେ ଫେବ୍ରୁଆରି ୧୩ରେ ଜିମ୍ବାୱେ ବିପକ୍ଷରେ ପରାଜୟ ସମଗ୍ର କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଥିଲା । ଏହା ପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଉପରେ ଦଳ ଆଶା ରଖିଥିଲେ ବି ପଥୁମ ନିଶଙ୍କଙ୍କ ଚମତ୍କାର ଶତକ ଅଷ୍ଟ୍ରେଲିଆର ବିଦାୟକୁ ନିଶ୍ଚିତ କରିଦେଇଥିଲା । ଆସନ୍ତା ୨୦ ତାରିଖରେ ଅଷ୍ଟ୍ରେଲିଆର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଓମାନ ବିପକ୍ଷରେ ଖେଳାଯିବ । ତେବେ ଏବେ ଏହି ମ୍ୟାଚ୍ ନିଜର ଗୁରୁତ୍ୱ ହରାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/17/australia-2026-02-17-22-20-49.jpeg)