ପେଟ ଚିନ୍ତାରେ ପ୍ରବାସୀ ଶ୍ରମିକ, ଏବେ ଗଞ୍ଜାମ ଛାଡି ଗୁଜରାଟ ମୁହାଁ । ଗୁଜରାଟ କମ୍ପାନୀ ମାଲିକ ଆସି ନେଉଛନ୍ତି ଶ୍ରମିକ । ଆର୍ଥିକ ସାହାଯ୍ୟ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ପ୍ରବାସୀଙ୍କ ଅଭିଯୋଗ, ରାଜ୍ୟ ସରକାର କାମ ଦେଲେନି ।  ବାଧ୍ୟ ହୋଇ ପୁଣି ଯାଉଛୁ ଗୁଜରାଟ

396

କନକ ବ୍ୟୁରୋ : ପେଟ ଚିନ୍ତାରେ ପ୍ରବାସୀ ଶ୍ରମିକ ଏବେ ଗଞ୍ଜାମ ଛାଡି ଗୁଜରାଟ ମୁହାଁ । ଯେଉଁ କମ୍ପାନୀରେ ସେମାନେ କାମ କରୁଥିଲେ ସେହି କମ୍ପାନୀର ମାଲିକମାନେ ଓଡିଶା ଆସି ବସ ଭଡା କରି ଏହି ଶ୍ରମିକମାନଙ୍କୁ ଗୁଜରାଟ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିନା ଶ୍ରମିକରେ ଗୁଜରାଟରେ କଳ କାରଖାନା ବନ୍ଦ ପଡିଛି । ତେଣୁ ବାଧ୍ୟ ହୋଇ ମାଲିକମାନେ ଏହି ଶ୍ରମିକମାନଙ୍କୁ ଗୁଜରାଟକୁ ଫେରାଇ ନେଉଛନ୍ତି । ଶ୍ରମିକଙ୍କ କହିବା କଥା ହେଲା ୩ରୁ୪ମାସର ଲକଡାଉନ ଭିତରେ ରୋଜଗାର ବନ୍ଦ ହୋଇଛି ।

ପରିବାର କେମିତି ଚଳିବ ଏବେ ସେହି ଚିନ୍ତା ଘାରିଛି । ରାଜ୍ୟ ସରକାର ଯେଉଁ କାମ ଯୋଗାଇବା କଥା କହିଥିଲେ ତାହା ପାଳନ କଲେ ନାହିଁ । ଏପରିକି ରାଜ୍ୟ ସରକାରଙ୍କ ତରଫରୁ ସେମିତିକା ଆର୍ଥିକ ସାହାର୍ଯ୍ୟ ମଧ୍ୟ ମିଳିନାହିଁ ବୋଲି ଏହି ଶ୍ରମିକମାନେ ଅଭିଯୋଗ ଆଣିଛନ୍ତି । ଖାସ ରୋଜଗାର କରିବା ପାଇଁ ଏହି ଶ୍ରମିକମାନେ ଏବେ ଗୁଜରାଟ ମୁହାଁ ହୋଇଛନ୍ତି । ଆର୍ଥିକ ସାହାଯ୍ୟ କରିବାକୁ ମାଲିକମାନେ ପ୍ରତିଶ୍ରୁତି ଦେଇଥିବାରୁ ସେହି ଭରସାରେ ଏହି ଶ୍ରମିକମାନେ ବସରେ ଗୁଜରାଟ ବାହାରିଛନ୍ତି ।

ଅନ୍ୟପକ୍ଷରେ ଓଡିଶା ଆସିଥିବା କମ୍ପାନୀର ମାଲିକ କହିଛନ୍ତି, ଏହି ଶ୍ରମିକମାନଙ୍କୁ ନେଇ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । କୋଭିଡ ନିୟମ ଅନୁସାରେ ସେମାନେ କମ୍ପାନିରେ କାମ କରିବେ । ଏହି ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହଯୋଗ ମିଳିବ ।