ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ଗଡିଲା ସ୍ପେଶାଲ ଶ୍ରମିକ ଟ୍ରେନ୍ : ରାଜ୍ୟ ଓ କେନ୍ଦ୍ର ସମନ୍ୱୟରେ ଘରକୁ ଫେରିବେ ପ୍ରବାସୀ, ୬ଟି ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର

301

କନକ ବ୍ୟୁରୋ : ଅନ୍ୟ ରାଜ୍ୟରେ ଫିଶିଥିବା ଶ୍ରମିକ, ପର୍ଯ୍ୟଟକ , ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରେଳବାଇ ସେମାନଙ୍କ ପାଇଁ ଆରମ୍ଭ କରିଛି ୬ଟି ସ୍ପେଶାଲ ଶ୍ରମିକ ଟ୍ରେନ୍ । ଏହି ଟ୍ରେନ୍ ଜରିଆରେ ସେମାନେ ପହଁଚି ପାରିବେ ସେମାନଙ୍କ ରାଜ୍ୟରେ । କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଆଣିବା କାମ ରାଜ୍ୟ ସରକାରମାନେ କରିବେ ବୋଲି କୁହାଯାଇଛି । ଏହି କ୍ରମରେ ଲିଙ୍ଗମପଲ୍ଲୀରୁ ହଟିଆ, ଆଲୁଆରୁ ଭୂବନେଶ୍ୱର, ନାସିକରୁ ଭୋପାଲ, ଜୟପୁରରୁ ପାଟନା, ନାସିକରୁ ଲଖନୌ ଏବଂ ରାଜସ୍ଥାନ କୋଟାରୁ ହଟିଆ, ଏମିତି ୬ଟି ସ୍ପେଶାଲ ଶ୍ରମିକ ଟ୍ରେନ୍ ବ୍ୟବସ୍ଥା ହୋଇଛି ।

ଅଲୁଆରୁ ଭୁବନେଶ୍ୱର ଆସିବାକୁ ଥିବା ଟ୍ରେନ୍ ଶୁକ୍ରବାର ରାତି ୯ଟା ୫୫ ମିନିଟରୁ ଯାତ୍ରା ଆରମ୍ଭ କରିଛି । ରେଳ ମନ୍ତ୍ରାଳୟ ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତ କରିଛି । ଏହି ସ୍ପେଶାଲ ଶ୍ରମିକ ଟ୍ରେନରେ ପ୍ରଥମ ଦଫାରେ ୧୧୪୦ ଶ୍ରମିକ ଝାଡଖଣ୍ଡ ଫେରିଛନ୍ତି । ଏମାନେ ଲିଙ୍ଗମପଲ୍ଲୀରୁ ହଟିଆରେ ପହଁଚିବା ପରେ ସ୍ପେଶାଲ ବସ୍ ଜରିଆରେ ସେମାନଙ୍କ ଅଂଚଳକୁ ପଠାଇ ଦେବାର ବ୍ୟବସ୍ଥା କରିଛନ୍ତି ଝାଡଖଣ୍ଡ ସରକାର । ଏହାପରେ ସେମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେଠାରେ କ୍ୱାରେଂଟିନରେ ରଖାଯିବ । ଟ୍ରେନରେ ଆସିବା ସମୟରେ ମାଗଣାରେ ରେଳବାଇ ସମସ୍ତ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା କରିଛି । ଯାତ୍ରା ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।