ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ : ଟାହିଆ ଛୁଇଁଲେ କଡ଼ା କାର୍ଯ୍ୟାନୁଷ୍ଠାନ

72

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି । ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ବ୍ୟବସ୍ଥାବଳୀକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦେଶନାମା ଜାରି ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀ ଅନୁସାରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସଭାପତି, ସଂପାଦକ, ୪ ବାଡ଼ଗ୍ରାହୀ ଓ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆଜି ସକାଳୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ, ଆରକ୍ଷୀ ଅଧିକ୍ଷକ, ଅନ୍ୟ ବିଭାଗୀୟ ଅଧିକାରୀ, ସମସ୍ତ ନିଯୋଗ ସଭାପତି ଓ ସଂପାଦକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରୁଛନ୍ତି ।

କୌଣସି ଦର୍ଶନାର୍ଥୀ ଅବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ୱା ନାଟମଣ୍ଡପକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଅନଧିକୃତ ବ୍ୟକ୍ତିମାନେ ରଥରେ ଚଢ଼ି ପାରିବେନି କି ଶ୍ରୀବିଗ୍ରହଙ୍କୁ ଛୁଇଁ ପାରିବେ ନାହିଁ । ଏହା ଉପରେ ନଜର ରଖିବା ପାଇଁ ଦଇତାପତି ଓ ବାଡ଼ଗ୍ରାହୀ ସେବକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ମହାପ୍ରଭୁଙ୍କ ସେବାପୂଜା ନଥିବା ସମୟରେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଭୂଜ ଭିତରେ ରହିପାରିବେ ନାହିଁ କି ଠାକୁରଙ୍କ ଦେହରେ ଭରା ଦେଇ ଛିଡ଼ା ହୋଇ ପାରିବେ ନାହିଁ । ଯଦି ଏପରି କେହି ଭୁଲ୍ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମଙ୍ଗଳ ଆଳତି ସମୟରେ କେବଳ ସଂପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତରକାଠ ପାଖରେ ଉପସ୍ଥିତ ରହିବେ ।

ପହଣ୍ଡି ସମୟରେ ଜଗମୋହନ କିମ୍ୱା ନାଟମଣ୍ଡପରେ କୌଣସି ଭିଆଇପି, ଭିଭିଆଇପି ରହିବା ଉପରେ କଟକଣା ଜାରି କରାଯାଇଛି । ସାତପାହାଚ ନିକଟରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆ ବନ୍ଧାଯିବ। ଦର୍ଶନାର୍ଥୀ କିମ୍ୱା ସେବାୟତ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗିଥିବା ଟାହିଆ ଟାଣି ପାରିବେ ନାହିଁ । ଏହା କିପରି ସୁରକ୍ଷିତ ରହିବ ସେ ଦାୟିତ୍ୱ ଦଇତାପତିମାନଙ୍କୁ ନ୍ୟସ୍ତ କରାଯାଇଛି । ଶ୍ରୀଜିଉ ପହଣ୍ଡି ବେଳେ ଧାଡ଼ି ପହଣ୍ଡିରେ ତିନି ରଥରେ ବିଜେ କରିବେ । ପହଣ୍ଡି ବେଳେ ବେଦପାଠୀମାନେ କର୍ଡ଼ନ୍ ବାହାରେ ରହି ବେଦପାଠ କରିବେ ଓ ଏହି ସମୟରେ କୌଣସି ଭକ୍ତ ତିନି ଠାକୁରଙ୍କ ସ୍ପର୍ଶ କରି ପାରିବେନି । କିନ୍ତୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଓ ରଥାରୁଢ଼ ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରିପାରିବେ । ଦର୍ଶନ ସମୟରେ ଶ୍ରୀଜିଉଙ୍କ ସମ୍ମୁଖରେ ସେବାୟତଙ୍କ ଛିଡ଼ା ହେବା ଉପରେ କଟକଣା ଜାରି କରାଯାଇଛି । ଶ୍ରୀଜିଉମାନେ ରଥାରୁଢ଼ ହେବା ପରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ତାଙ୍କ ୬ ଶିଷ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ଗଜପତି ମହାରାଜଙ୍କ ଛେରାପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯିବେ ନାହିଁ । ତାଳଧ୍ବଜ ରଥରେ ୨୮ ଜଣ, ଦେବଦଳନ ରଥରେ ୨୪ ଜଣ ଓ ନନ୍ଦିଘୋଷ ରଥରେ ୩୨ ଜଣ ଘଣ୍ଟୁଆ ରହିବେ । ଛେରା ପହଁରା ପରେ ସଙ୍ଗେ ସଙ୍ଗେ ଚାର ଖୋଲାଯିବ । ଘୋଡ଼ା ଓ ଦଉଡ଼ି ବନ୍ଧା ନୀତି ସୀମିତ ସମୟ ଭିତରେ ଶେଷ ହେବ । ଛେରା ପହଁରା ପରେ ବଳଭଦ୍ରଙ୍କ ରଥରେ ୭୦ ଜଣ, ସୁଭଦ୍ରାଙ୍କ ରଥରେ ୬୦ ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୮୦ ଜଣ ସେବାୟତ ରହିବେ । ରଥ ଉପରକୁ ନଡ଼ିଆ, କଦଳୀ ଆଦି ପକାଇ ବା ଉପରେ କଟକଣା ଜାରି କରାଯାଇଛି । ରଥଟଣା ସମୟରେ କେବଳ ପ୍ରଶାସନର ଡାକବାଜି ଯନ୍ତ୍ର ବ୍ୟବହାର ହେବ ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପୂର୍ବରୁ ଯଦି ତିନି ରଥ ଅଧା ବାଟରେ ଅଟକନ୍ତି ତେବେ ସେଠାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ରଥ ଉପରକୁ ଅନଧିକୃତ ବ୍ୟକ୍ତିଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି । ତିନି ରଥରେ କୌଣସି ସିଡି ପକାଯିବ ନାହିଁ। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ରହିବା ପରେ ରଥ ଚାରିପାଖରେ ଲୁହା ବ୍ୟାରିକେଡ୍ ଲଗାଯିବ ଓ ଭକ୍ତମାନେ ବାହାରୁ ତିନି ରଥକୁ ସ୍ପର୍ଶ କରିପାରିବେ । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ରହିବା ପରେ ଅନଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିପାରିବେ ନାହିଁ । ରଥ ଚାରିପଟେ କିମ୍ବା ଶ୍ରୀଗୁଣ୍ଡିଚା ମନ୍ଦିରରେ ଦଇତାପତି ନିଯୋଗ ତରଫରୁ କୌଣସି ଦାନବାକ୍ସ ରଖାଯିବ ନାହିଁ । କିମ୍ବା ନିଯୋଗ ତରଫରୁ ଦର୍ଶନ ପାଇଁ କୌଣସି ଟିକେଟ୍ ବିକ୍ରି କରାଯିବ ନାହିଁ । ଆବଶ୍ୟକ ହେଲେ ପ୍ରଶାସନ ନିଜ ତରଫରୁ ଦାନବାକ୍ସ ଲଗାଇବ ।