କନକ ବ୍ୟୁରୋ: ସେଦିନ ବୋଧେ ଶୁଭଲଗ୍ନ ଥିଲା, ଯେଉଁଦିନ ବଂଶୀଧରଙ୍କ କୋଳକୁ ପୁଅ ଆସିଥିଲା । ଭାବିଥିଲେ ବୟସର ଶେଷ ପାହାଚରେ ପୁଅ ପଚାରିବ, ଆଶା ବାଡ଼ି ହେବ । ହେଲେ ସେ ଜାଣିନଥିଲେ, ଯାହାକୁ ସେ ଧାର କରଜ କରି ମଣିଷ କରୁଛନ୍ତି, ଦିନେ ସେଇ ପୁଅ ହିଁ ତାଙ୍କ ଜୀବନକୁ ଅନ୍ଧାର କରିଦେବ । ପୁଅମାନେ ସହରରେ 'ସରକାରୀ ବାବୁ', ହେଲେ ଜନ୍ମକଲା ବାପା-ମାଆ ଆଜି ନିଜ ଭିଟାମାଟିରେ ଅଲୋଡ଼ା ।
ପୁରୀ କଣାସ ଅଡ଼ାଲ ଗାଁର ବୃଦ୍ଧ ଦମ୍ପତି ବଇଁଶୀଧର ପଲେଇ ଓ ଭବନୀ ପଲେଇ । ବଡ଼ ପୁଅ ଭାଗବତ ଓ ମଝିଆଁ ପୁଅ ରଘୁନାଥଙ୍କୁ ଚାକିରି କରାଇବା ପାଇଁ ବଇଁଶୀଧର ଅନେକ ଧାର କରଜ କରିଥିଲେ । ହେଲେ ଚାକିରି ପାଇବା ପରେ ପୁଅମାନେ ଋଣ ସୁଝିବା ତ ଦୂରର କଥା, ବାପା-ମାଆଙ୍କୁ ପାଖରେ ରଖିବାକୁ ମଧ୍ୟ ଅମଙ୍ଗ ହେଲେ । ବାପା ନିଜ ଜମି ବିକ୍ରି କରି ଋଣ ସୁଝିବା ପରେ ଆରମ୍ଭ ହୋଇଥିଲା ପୁଅଙ୍କ ଅତ୍ୟାଚାର । ମାଡ଼ ଗାଳି ସହି ନପାରି ଶେଷରେ ଘରୁ ବାହାରି ଆସିଥିବା ଏହି ବୃଦ୍ଧ ଦମ୍ପତି ଏବେ ଦୁଆରୁ ଦୁଆର ସୁଣ୍ଡି ପିଣ୍ଡା ହେଉଛନ୍ତି ।
ଅଧିକ ପଢ଼ନ୍ତୁ:ଶେଷରେ ମିଠା ହୋଇଗଲା ସମ୍ପର୍କ...
ଗତ ୪ ବର୍ଷ ହେବ ନ୍ୟାୟ ପାଇଁ ଉପ-ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏସପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି, କିନ୍ତୁ ସବୁଠି ମିଳିଛି କେବଳ ଆଶ୍ୱାସନା । ଗାଁ କମିଟିର ସମାଧାନକୁ ମଧ୍ୟ ପୁଅମାନେ ଫୁ' କରି ଉଡ଼ାଇ ଦେଇଛନ୍ତି । ଶେଷରେ ନିରୁପାୟ ହୋଇ ଏହି ବୃଦ୍ଧ ଦମ୍ପତି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି । ସେମାନଙ୍କର ଗୋଟିଏ କଥା, ଯଦି ନ୍ୟାୟ ନମିଳେ, ତେବେ ଏଭଳି ଅପମାନିତ ହୋଇ ବଞ୍ଚିବା ଅପେକ୍ଷା ମୃତ୍ୟୁ ହିଁ ବାଛିବେ ବୋଲି କହିଦେଇଛନ୍ତି ।
ଆଧୁନିକତାର ଚାକଚକ୍ୟ ଭିତରେ ମଣିଷ କେତେ ନିଷ୍ଠୁର ହୋଇପାରେ, ଏ ଦୃଶ୍ୟ ହିଁ ତାର ଏକ ଜ୍ୱଳନ୍ତ ଉଦାହରଣ । ଏଭଳି କୁଳାଙ୍ଗାର ପୁଅ ସମାଜ ପାଇଁ ଏକ କଳଙ୍କ କହିଲେ ଭୁଲ ହେବନି । ଏହି ଅସହାୟ ବାପା-ମାଆଙ୍କୁ କେବେ ମିଳିବ ନ୍ୟାୟ ? ଏହା କେବଳ ସମୟ ହିଁ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/09/4-helpless-couple-raja_thumb-2026-02-09-11-38-46.jpg)