italy Photograph: (kanak news)
କନକ ବ୍ୟୁରୋ: ଟି-୨୦ ବିଶ୍ବକପ୍ ମହାସମର ଚାଲିଥିବାବେଳେ କ୍ରିକେଟ୍ ଦୁନିଆରୁ ଆସିଛି ଏକ ଲଜ୍ଜିତ କଲା ଭଳି ଘଟଣା । ଚଳିତ ଟି-୨୦ ବିଶ୍ୱକପ୍ରେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଇଟାଲୀ କ୍ରିକେଟ୍ ଦଳ ଏବେ ଏକ ବଡ଼ ବିବାଦ ଘେରରେ ଫସିଯାଇଛି । ଦଳର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ସାଂଘାତିକ 'ଯୌନ ନିର୍ଯାତନା' ଅଭିଯୋଗ । ଯେଉଁ ସମୟରେ ଇଟାଲୀ ନିଜର କ୍ରିକେଟ୍ ସଫଳତା ପାଇଁ ଉତ୍ସବ ପାଳନ କରିବା କଥା, ସେହି ସମୟରେ ଏହି ଖବର ପୂରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ।
ଇଟାଲୀ କ୍ରିକେଟ୍ ଇତିହାସରେ ୨୦୨୬ ଏକ ସ୍ମରଣୀୟ ବର୍ଷ ଭାବେ ଲିପିବଦ୍ଧ ହୋଇଥାନ୍ତା । ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରି ନେପାଳ ଭଳି ଦଳକୁ ହରାଇବା ସହ ଇଂଲଣ୍ଡ ଭଳି ବଡ଼ ଶକ୍ତିକୁ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଇଟାଲୀର ଖେଳାଳି । କିନ୍ତୁ ଏହି ସଫଳତାର ଖୁସି ବେଶୀ ସମୟ ରହିଲା ନାହିଁ । ଇଟାଲୀୟ କ୍ରିକେଟ୍ ଫେଡେରେସନର ମହିଳା କ୍ରିକେଟ୍ କୋ-ଅର୍ଡିନେଟର ପ୍ରଭାତ ଏକନେଲିଗୋଡ଼ାଙ୍କ ବିରୋଧରେ ମହିଳା ଦଳର ଜଣେ ଖେଳାଳି ଅସଦାଚରଣର ଅଭିଯୋଗ ଆଣିଛନ୍ତି ।
ରିପୋର୍ଟ ଅନୁଯାୟୀ, ଏହି ଘଟଣା ଗତବର୍ଷ ଘଟିଥିଲା, କିନ୍ତୁ ଏବେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ତେଜିଛି । ଅଭିଯୋଗକାରୀ ଖେଳାଳିଙ୍କ କହିବା ଅନୁଯାୟୀ, ତାଙ୍କୁ ଜୋର ଜବରଦସ୍ତି ଛୁଇଁବା ଏବଂ ଅଶାଳୀନ ଆଚରଣ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣା ପରେ ଇଟାଲୀ କ୍ରିକେଟ୍ ବୋର୍ଡର ସଭାପତି ମାରିଆ ଲୋରେନା ହାଜ୍ ପାଜ୍ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଭିଯୁକ୍ତ ପ୍ରଭାତଙ୍କୁ ତାଙ୍କର ସମସ୍ତ ପଦବୀରୁ ନିଲମ୍ବିତ କରାଯାଇଛି ଏବଂ ମାମଲାଟି ଏବେ ସଂଘୀୟ ପ୍ରସିକ୍ୟୁଟରଙ୍କ ଅଧୀନରେ ତଦନ୍ତ ଚାଲିଛି ।
ଆହୁରି ପଢ଼ନ୍ତୁ: ଆଇଏସ୍ଏଲ୍ରେ ଚର୍ଚ୍ଚିଲ୍ ବ୍ରଦର୍ସକୁ ସାମିଲ କରିବାକୁ ବିରୋଧ
ଅନ୍ୟପଟେ ଅଭିଯୁକ୍ତଙ୍କ ଓକିଲ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏହା ପଛରେ କିଛି ଉଦ୍ଦେଶ୍ୟମୂଳକ ଷଡ଼ଯନ୍ତ୍ର ଥାଇପାରେ । କିନ୍ତୁ ବିଶ୍ୱକପ୍ ସମୟରେ ମଧ୍ୟ ଅଭିଯୁକ୍ତ ପ୍ରଭାତ ଦଳ ସହିତ ଭ୍ରମଣ କରିଥିବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି । ଇଟାଲୀ ପୁଲିସ ଗତବର୍ଷ ଏହି ମାମଲାର ପ୍ରାଥମିକ ସୂଚନା ପାଇଥିଲା, ଯାହା ଏବେ ବିଶ୍ୱ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ICC ମଧ୍ୟ ଏହି ମାମଲା ଉପରେ ନଜର ରଖିଛି ।
ବଡ଼କଥା ହେଉଛି ଏହି ଘଟଣା କେବଳ ଇଟାଲୀ କ୍ରିକେଟ୍ ନୁହେଁ, ବରଂ ସାରା ବିଶ୍ୱର ମହିଳା ଖେଳାଳିଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁ ମୁହୂର୍ତ୍ତରେ ଇଟାଲୀ ନିଜର ପ୍ରଥମ ବିଶ୍ୱକପ୍ ବିଜୟ ସହ କ୍ରିକେଟ୍ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା, ଏହି କଳଙ୍କିତ ଅଧ୍ୟାୟ ତାଙ୍କ ପାଇଁ ଏକ ବଡ଼ ଝଟକା ସଦୃଶ ।
Follow Us