କନକ ବ୍ୟୁରୋ : ପୁରୁଣା ସମୟରେ ଚେହେରା ଏବଂ ଶରୀରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଘରୋଇ ଉପଚାରର ସାହାରା ନେବାକୁ ପଡୁଥିଲା । ଯେହେତୁ ସେତେବେଳେ କୌଣସି ପ୍ରକାରର ବ୍ୟୁଟି ପ୍ରଡକ୍ଟ ବିକ୍ରି ହେଉନଥିଲା ସେଥିପାଇଁ ପ୍ରାକୃତିକ ଉତ୍ପାଦକୁ ହିଁ ଶରୀରରେ ଲଗାଇ ସୌନ୍ଦର୍ଯ୍ୟ ବଢ଼ାଉଥିଲେ ମହିଳା । ବର୍ତ୍ତମାନ ସମୟରେ ତ୍ୱଚାର ଯତ୍ନ ନେବା ପାଇଁ ଅନେକ ପ୍ରକାରର ଟ୍ରିଟମେଣ୍ଟର ସାହାଯ୍ୟ ନିଆଯାଉଛି, ଏହାଦ୍ୱାରା ତ୍ୱଚା ଉପରେ ଅନେକ କୁପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ଏବଂ ଖର୍ଚ୍ଚ ମଧ୍ୟ ବହୁତ ହେଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ, ଯେଉଁଥିରେ ବିନା ଟଙ୍କା ଖର୍ଚ୍ଚ କରି ଆପଣ ନିଜ ତ୍ୱଚାକୁ ସୁନ୍ଦର କରିପାରିବେ ।

Advertisment

ବ୍ୟୁଟି ଏକ୍ସପର୍ଟ ସରିତା କୁମାୱତଙ୍କ କହିବାନୁସାରେ, ଚେହେରା ଏବଂ ଶରୀରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଚାଉଳର ବ୍ୟବହାର ପୁରୁଣା ସମୟରୁ ହୋଇଆସୁଛି । ବର୍ତ୍ତମାନ ସମୟରେ ମଧ୍ୟ ଏହା ତ୍ୱଚାକୁ ଚମକାଇବାର ଏକ ଉତ୍ତମ ଉପାୟ । ଚାଉଳକୁ ସିଝାଇବା ପରେ ଯେଉଁ ପାଣି ବଳିଥାଏ, ତାହା ତ୍ୱଚାକୁ ଭଲ ପୋଷଣ ଦେଇଥାଏ ଏବଂ ତ୍ୱଚାକୁ ଚମକଦାର କରିଥାଏ । ଚେହେରାରେ ଲଗାଇବା ପାଇଁ ସର୍ବପ୍ରଥମେ ୨ ରୁ ୩ ଚାମଚ ଚାଉଳକୁ ଏକ ଗ୍ଲାସ୍ ପାଣିରେ ରାତିସାରା କିମ୍ବା ୪ ରୁ ୫ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ । ତା'ପରେ ଚାଉଳ ଏବଂ ପାଣିକୁ ଅଲଗା କରନ୍ତୁ । ସେହି ପାଣିକୁ ବ୍ୟବହାର କରନ୍ତୁ । ଏହାଛଡ଼ା ଚାଉଳ ସିଝାଇବା ପରେ ବଳିଥିବା ପାଣିକୁ ମଧ୍ୟ ବ୍ୟବହାର କରିପାରିବେ ।

ଅଧିକ ପଢ଼ନ୍ତୁ : ଶୀତରେ ଗରମ ପାଣିରେ ଗାଧୋଉଥିଲେ ସାବଧାନ, ହୋଇପାରେ ୫ ବଡ଼ ସମସ୍ୟା

ବ୍ୟୁଟି ଏକ୍ସପର୍ଟଙ୍କ କହିବାନୁସାରେ, ଚାଉଳ ପାଣିରେ ଭିଟାମିନ ବି, ସି ଏବଂ ଇ ରହିବା ସହିତ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ, ଯାହା କେବଳ ତ୍ୱଚାର ଛିଦ୍ରକୁ କମ୍ କରିନଥାଏ ବରଂ ତ୍ୱଚାକୁ ଫ୍ରେସ୍‌ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ ବି କମ୍ପ୍ଲେକ୍ସ ତ୍ୱଚାର ରଙ୍ଗକୁ ଗୋରା କରିବାରେ ସହାୟକ ହୋଇଥାଏ ।

ଚାଉଳ ପାଣି ତ୍ୱଚାକୁ ହାଇଡ୍ରେଟେଡ୍ ରଖିଥାଏ ଏବଂ ଏହାର ଚିକ୍କଣ ରଖିବାର ଗୁଣ ତ୍ୱଚାକୁ କୋମଳ କରିଥାଏ । ଚାଉଳ ପାଣିରେ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଥାଏ ଯାହା ତ୍ୱଚାରେ ଲାଲିମା ଏବଂ ଜ୍ୱାଳାକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଚାଉଳ ପାଣି ତ୍ୱଚାରୁ ମୃତ କୋଷିକାଗୁଡ଼ିକୁ ହଟାଇବାରେ ମଧ୍ୟ ସହାୟକ ହୋଇଥାଏ, ଯେଉଁଥିପାଇଁ ତ୍ୱଚା ସଫା ଏବଂ ସତେଜ ଦେଖାଯାଏ । ଏହା ଚେହେରାରୁ ମଇଳା ହଟାଇବାରେ ସାହାଯ୍ୟ କରିଥାଏ । ଏକ ତୁଳା ସାହାଯ୍ୟରେ ଚାଉଳ ପାଣି ନେଇ ଚେହେରାରେ ଧୀରେ ଧୀରେ ଲଗାନ୍ତୁ ।

କିଛି ସମୟ ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ପରେ ଚେହେରାରେ ଫରକ ଜାଣିପାରିବେ । ଚାଉଳ ପାଣିକୁ ଟୋନର୍ ରୂପେ ମଧ୍ୟ ବ୍ୟବହାର କରିବା ପାଇଁ ଏକ ସ୍ପ୍ରେ ବୋତଲରେ ଭରି ଫ୍ରିଜରେ ଷ୍ଟୋର୍ କରନ୍ତୁ । ଏହା ପରେ ସଫା ଚେହେରାରେ ସ୍ପ୍ରେ କରି ଟୋନର୍ ରୂପେ ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇଛି, ତେବେ ଚାଉଳ ପାଣିକୁ ତୁଳାର ସାହାଯ୍ୟରେ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ବ୍ରଣରୁ ଆରାମ ପାଇବେ ।