କନକ ବ୍ୟୁରୋ : ପରାକ୍ରମର କାହାଣୀ କହୁଥିବା ଭାରତୀୟ ସେନାର ଇତିହାସ ଏତେ ପ୍ରଶସ୍ତ ଯେ ଏଠାରେ ଜଣେ ଜଣେ ଯବାନ ବାହାଦୂର ଏବଂ ସାହସିକତାର ପ୍ରମାଣ ଦେଇଛନ୍ତି । ସେନାର ଏହି ସିଂହଙ୍କ ଉପରେ ଅନେକ ସିନେମା ମଧ୍ୟ ନିର୍ମାଣ ହୋଇଛି । ବର୍ତ୍ତମାନ ବଲିଉଡରେ ଏମିତି ଆଉ ଏକ ସିନେମା ରିଲିଜ୍ ହେବାକୁ ଯାଉଛି । ଯାହା ପ୍ରେକ୍ଷାଳୟରେ ନ ପଡୁଣୁ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତର ରଣବୀର ସିଂଙ୍କ ଅଭିନିତ ଏହି ସିନେମାର ନାଁ ହେଉଛି ଧୂରନ୍ଧର । ସିନେମାରେ ରଣବୀର ମେଜର୍ ମୋହିତ ଶର୍ମାଙ୍କ ଚରିତ୍ରରେ ନଜର ଆସିବେ । ଚଳଚ୍ଚିତ୍ରଟି ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିବ ।
ମେଜର ମୋହିତ ଶର୍ମା । ଭାରତୀୟ ସେନାରେ ସେ ଥିଲେ ଜଣେ ହିରୋ । ଯିଏ ଯବାନରୁ ସାଜିଥିଲେ ଆତଙ୍କୀ । ଆଉ ଆତଙ୍କୀ ଆଡ୍ଡାରେ ପଶି ଅନେକ ସୈତାନଙ୍କୁ ନିପାତ କରିଥିଲେ । ଭାରତୀୟ ସେନାର ଏହି ବାହାଦୁର ଅଫିସରଙ୍କ ବ୍ୟକ୍ତିତ୍ୱ ଏମିତି ଥିଲା ଯେ ସେ ଆତଙ୍କୀଙ୍କ ଘରେ ପଶି ତାଙ୍କରି ଟ୍ରେନିଂ କ୍ୟାମ୍ପରେ ଟ୍ରେନିଂ ନେଇଥିଲେ । ଆଉ ଜମ୍ମୁ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବା ତେରାରା ଓ ସବଜାରା ଭଳି ଆତଙ୍କୀଙ୍କୁ ଶାସ୍ତି ଦେଇଥିଲେ । ଆଜି ବି କାଶ୍ମୀର ଘାଟିରେ ମେଜର ମୋହିତ ଶର୍ମାଙ୍କ ସାହସ ଓ ପରାକ୍ରମର କାହାଣୀ କହିଲେ ଭାରତବାସୀଙ୍କ ହୃଦୟରେ ଶତ ସିଂହର ବଳ ଜାଗ୍ରତ ହୁଏ । ତେବେ ଭାରତମାତାର ଏହି ବୀର ପୁଅଙ୍କ କାହାଣୀ ଏବେ ପରଦାରେ ଦେଖିବେ ବିଶ୍ୱବାସୀ ।
ଅଧିକ ପଢ଼ନ୍ତୁ : ଆତ୍ମନିର୍ଭର ଭାରତର ବଡ଼ ମାଇଲ ଖୁଣ୍ଟ; ସେନାର ସାଇଲେଣ୍ଟ ହଣ୍ଟର ‘ଆଇଏନ୍ଏସ୍ ମାହେ’
୨୦୦୧ରେ ଭାରତୀୟ ସେନାର ଏକ ଅପରେସନରେ ଜଣେ କାଶ୍ମୀର ଯୁବକ ପ୍ରାଣ ହରାଇଥିଲେ । ଏହାପରେ ତାଙ୍କ ଭାଇ ଇଫତିକାର୍ ଭଟ୍ଟ ଭାରତୀୟ ସେନାଠାରୁ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ । ଯେଉଁଥିପାଇଁ ସେ ଆତଙ୍କୀ କମାଣ୍ଡରଙ୍କ ସହ ମିଶିଥିଲେ । ତାଙ୍କ ମନରେ ବିଶ୍ୱାସ ଜାତ କରି ଇଫତିକାର୍ ହିଜବୁଲ୍ଲାର ଏରିଆ କମାଣ୍ଡର ତେରାରା ଓ ସବଜାରା ସହ ମିଳାମିଶା କରିଥିଲା । ୬ ଫୁଟ୍ ୨ ଇଞ୍ଚ ଉଚ୍ଚତା, ଆର୍ମି ଯବାନଙ୍କ ଭଳି ଚେହେରା ରଖିଥିବା ଇଫତିକାରଙ୍କ ମୁଣ୍ଡରେ ଭାରତୀୟ ସେନାଠାରୁ ପ୍ରତିଶୋଧ ନେବାର ଭୂତ ଚଢ଼ିଥିଲା । ଆତଙ୍କୀ ତେରାରା ଓ ସବଜାରା ଇଫତିକାରକୁ ବି ନିଜ ସାଙ୍ଗରେ ପାକିସ୍ତାନ ନେଇଯାଇଥିଲେ । ଆଉ ସେଠାରେ ତାଙ୍କୁ ଆତଙ୍କୀ ଟ୍ରେନିଂ ଦେଇଥିଲେ । ଆଉ ପୁଣି କାଶ୍ମୀର ଘାଟି ନେଇ ଆସିଥିଲେ । ଏବେ ଇଫତିକାରକୁ ନିଜ ପ୍ରଥମ ମିସନକୁ ସଫଳତା ଦେବାର ଥିଲା । ଭାରତୀୟ ସେନା ଉପରେ ଆକ୍ରମଣ କରି ଅଧିକରୁ ଅଧିକ ଯବାନଙ୍କୁ ହତ୍ୟା କରିବା । ଶେଷରେ ସେହି ସମୟ ଆସିଥିଲା ଆଉ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଷଡ୍ଯନ୍ତ୍ର ।
ତେରାରା ଓ ସବଜାରା ବସି ଷଡ୍ଯନ୍ତ୍ର କରୁଥା’ନ୍ତି ଆଉ ଇଫତିକାର ଚା’ ତିଆରି କରୁଥାଆନ୍ତି । ହଠାତ ସବଜାରା ମୁଣ୍ଡକୁ ଆସିଥିଲା ଏ ଇଫତିକାର କିଏ ? କାରଣ ଏତେ ସମୟ ଧରି ଇଫତିକାରର ନାଁ ଛଡ଼ା ତା ବିଷୟରେ କାହାକୁ କିଛି ଜଣାନଥିଲା । ଏହି ସମୟରେ ଇଫତିକାର ଚା’ ଧରି ଆସିଥିଲା । ହେଲେ ଚିନ୍ତାରେ ଚାପଗ୍ରସ୍ତ ଥିବା ସବଜାରା ପଚାରିଥିଲା ଇଫତିକାର୍ ତମେ କିଏ? ଆଜି ଯାଏ ତୁମ ପରିବାର ସାଙ୍ଗସାଥୀଙ୍କୁ ଆମେ କେବେ ଭେଟିନୁ । ଏହା ଶୁଣି କାନ୍ଧରେ ଥିବା ରାଇଫଲକୁ ତଳେ ଫୋପାଡ଼ି ଦେଇଥିଲା ଇଫତିକାର୍ ଆଉ କହିଥିଲା, ଭାଇଜାନ୍ ବିଶ୍ୱାସ ନାହିଁ ତ ମୋତେ ଗୁଳି ମାରିଦିଅ, ହେଲେ ଏ ପ୍ରଶ୍ନ ପଚାରନି । ଏହାଶୁଣି କିଛି ସମୟ ଆଶ୍ୱସ୍ତ ହୋଇ ସବଜାରା ତେରାରା ଆଡ଼କୁ ବୁଲିଥିଲେ ଆଉ ପଛରୁ ଶୁଭିଥିଲା ବନ୍ଧୁକର ଶବ୍ଦ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରି ଦୁଇ ଆତଙ୍କୀଙ୍କୁ ମାଟିରେ ମିଶାଇ ଦେଇଥିଲେ । ଏହି ଗୁଳି ଚଳାଇଥିଲେ ସେହି ଇଫତିକାର୍ ଭଟ୍ଟ । ଯାହାଙ୍କୁ ଟ୍ରେନିଂ ଦେଇଥିଲେ ଆତଙ୍କୀ କମାଣ୍ଡର । ଏହି ଇଫତିକାର ଭଟ୍ଟ ଆଉ କେହି ନୁହେଁ ବରଂ ଭାରତୀୟ ସେନାର ଜଣେ ଅଫିସର ମେଜର ମୋହିତ ଶର୍ମା । ଯିଏ ସିନେମା ଭଳି ବେଶ ବଦଳାଇ ଆତଙ୍କୀ ଆଡ୍ଡାରେ ପଶି ଅପରେସନକୁ ସଫଳ କରିଥିଲେ । ସେ କେବଳ ଦୁଇ ଆତଙ୍କୀଙ୍କୁ ନିପାତ କରିନଥିଲେ ବରଂ ଲସ୍କର ଆଉ ଜୈସ ଟ୍ରେନିଂ କ୍ୟାମ୍ପର ଗୁପ୍ତ ସୂଚନା ନେଇ ଆସିଥିଲେ । ଏହା ଆତଙ୍କୀଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା ଥିଲା । ମୋହିତଙ୍କ ଏହି ଷଡ୍ଯନ୍ତ୍ରରେ ଦୋହଲି ଯାଇଥିଲା ପୂରା ଆତଙ୍କୀସ୍ତାନ ।
ମେଜର ମୋହିତ ଶର୍ମା ୧୯୭୮ ମସିହାରେ ହରିୟାଣାରେ ଜନ୍ମ ହୋଇଥିଲେ । ସେ ଡିପିଏସ ଗାଜିଆବାଦରେ ସ୍କୁଲିଂ କରିବା ପରେ ଆଗକୁ ପାଠ ପଢ଼ିବା ପାଇଁ ମହାରାଷ୍ଟ୍ରର ଇଞ୍ଜିନିୟରିଂ କଲେଜରେ ଭର୍ତ୍ତି ହୋଇଥିଲେ । ଏଠାରୁ ଏସଏସବି କ୍ଲିୟର କରି ଏମଡିଏରେ ଭର୍ତ୍ତି ହୋଇଥିଲେ । ଡିସେମ୍ୱର ୧୯୯୯ରେ ଲେପ୍ଟନାଣ୍ଟ ପଦ ପାଇଥିଲେ । ତାଙ୍କର ପ୍ରଥମ ପୋଷ୍ଟିଂ ହାଇଦ୍ରାବାଦରେ ହୋଇଥିଲା । ଏଠାରେ ୩ ବର୍ଷ କାମ କରିବା ପରେ ସେ ସ୍ପେଶାଲ ଫୋର୍ସରେ ଟ୍ରେନିଂ ନେଇଥିଲେ । ଏହାପରେ ସେ ପାରା ସ୍ପେଶାଲ ଫୋର୍ସରେ କମାଣ୍ଡର ଭାବେ ନିଯୁକ୍ତି ପାଇଥିଲେ । ୨୧ ମାର୍ଚ୍ଚ ୨୦୦୯ରେ କୁପଓ୍ୱାଡା ଗସ୍ତରେ ବାହାରିଥିବା ମେଜର ମୋହିତ ଶର୍ମାଙ୍କ ଉପରେ ନଜର ରଖିଥିଲେ ଆତଙ୍କୀ । ଆଉ କରିଥିଲେ ଅଚାନକ ଆକ୍ରମଣ । ହେଲେ ଏଠାରେ ବି ସେ ସାହସ ଦେଖାଇଥିଲେ । ଆଉ ଦୁଇ ଆତଙ୍କୀଙ୍କୁ ମାରିଥିଲେ । ହେଲେ ଗୋଟେ ଗୁଳି ତାଙ୍କ ଛାତିରେ ବାଜିବାରୁ ସେ ଟଳିପଡ଼ିଥିଲେ । ତଥାପି ସେ ତାଙ୍କ ଟିମକୁ କହୁଥାଆନ୍ତି କାହାକୁ ଛାଡ଼ନି, ସମସ୍ତଙ୍କୁ ମାରିଦିଅ । ଏଭଳି ସାହସ ପାଇଁ ମେଜର ମୋହିତ ଶର୍ମାଙ୍କୁ ମରଣତ୍ତୋର ଅଶୋକଚକ୍ରରେ ସମ୍ମାନିତ କରାଯାଇଥିଲା । ଆଉ ଏଭଳି ବୀର ପୁଅଙ୍କୁ ନେଇ ପ୍ରସ୍ତୁତ ହୋଇଛି ସିନେମା ‘ଧୂରନ୍ଧର’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/25/dhurandhar-2025-11-25-23-22-55.jpg)