କନକ ବ୍ୟୁରୋ: ପହଲଗାମ୍ରେ ଆତଙ୍କୀ ହମ୍ଲା ପରେ ପୂରା ଦେଶରେ ପ୍ରତିଶୋଧର ନିଆଁ ଜଳିଲା । ସୈତାନ ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବି ପଡ଼ିଲା । ଶେଷରେ ପାକିସ୍ତାନକୁ ପାନେ ଦେବାକୁ ଅପରେସନ୍ ସିନ୍ଦୂର କଲା ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଜୋରଦାର ଆକ୍ରମଣ ହେଲା । ଭାରତର ଆକ୍ରମଣକୁ ପ୍ରଥମେ ମାନିବାକୁ ପ୍ରସ୍ତୁତ ନଥିଲା ପାକିସ୍ତାନ ହେଲେ ପରେ ମାନିନେଇଥିଲେ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ୍ କି ଆମ ଉପରେ ଆକ୍ରମଣ ହୋଇଛି । ହେଲେ ଏବେ ଋଷିଆ ପରୋକ୍ଷରେ ବି କହିଦେଇଛି ଭାରତ ବିଜୟ ବାନା ଉଡାଇଛି ।
ଶେଷରେ ଋଷିଆ କହିଦେଲା
ଭାରତଠୁ ହାରିଛି ପାକିସ୍ତାନ
ପାକିସ୍ତାନର ଡ୍ରୋନ୍ ଆକ୍ରମଣ
ଭାରତ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ବି ଭାରତ ଉପରେ ଅନେକ ଡ୍ରୋନ୍ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ତାହାକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦେଲା । ଋଷିଆଠୁ ଅଣାଯାଇଥିବା ଏସ୍-୪୦୦ ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଚାଲ୍କୁ ପଣ୍ଡ କରିଦେଇଥିଲା । ଏବେ ଋଷିଆର ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ପୂରା ବିଶ୍ବ ଦେଖିଲା ଋଷିଆ ଅସ୍ତ୍ରଶସ୍ତ୍ରର କମାଲ । ପ୍ରତ୍ୟକ୍ଷ ଭାବରେ ନକହିଲେ ବି ପରୋକ୍ଷ ଭାବରେ ଋଷିଆ କହିଦେଲା କି, ଭାରତ ପାକିସ୍ତାନ ଉପରେ ଭୟଙ୍କର ଆକ୍ରମଣ କରିଛି ।
ପାକିସ୍ତାନର ଟାର୍ଗେଟ୍ରେ ଥିଲା ଭାରତର ସୀମାବର୍ତ୍ତୀ ଅଂଚଳ
ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ଟାର୍ଗେଟ୍ରେ ଥିଲା ଭାରତର ସୀମାବର୍ତ୍ତୀ ଅଞ୍ଚଳ । ତୁର୍କୀରୁ ମାଗିକି ଆଣିଥିବା ଡ୍ରୋନ୍ରେ ଆକ୍ରମଣ ବି କଲା । ହେଲେ ଏହାକୁ ନଷ୍ଟ କରିଦେଇଥିଲା ଭାରତ । କୁହାଯାଉଛି କି ପାକିସ୍ତାନର ସବୁ ଚାଲ୍କୁ ପଣ୍ଡ କରିବା ପଛରେ ଋଷିଆର ଘାତକ ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଖାଲି ଏତିକି ନୁହେଁ ବରଂ ଅପରେସନ୍ ସିନ୍ଦୂରରେ ଭାରତ ଯେଉଁ ଘାତକ ମିସାଇଲ୍ ବ୍ରହ୍ମୋସ୍ ବ୍ୟବହାର କରିଥିଲା ତାହା ବି ଭାରତ ଓ ଋଷିଆ ମିଳିତ ଭାବରେ ନିର୍ମାଣ କରିଛନ୍ତି । ତେଣୁ ପୁଟିନ୍ ଯେଉଁ ବୟାନ ଦେଇଛନ୍ତି, ତାହାକୁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ୱାର୍କୁ ହିଁ ସୂଚାଉଛି ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଭାରତ ଓ ଋଷିଆର ବନ୍ଧୁତା କାହିଁ କେତେ ବର୍ଷର । ଅର୍ଥାତ୍ ଭାରତକୁ ସାମରିକ କ୍ଷେତ୍ରରେ ଅନେକ ସାହାଯ୍ୟ କରୁଛି ଋଷିଆ । ଖାସ୍ କରି ଅପରେସନ୍ ସିନ୍ଦୂର ସମୟରେ ଭାରତ ଋଷିଆର ଯେଉଁ ଡିଫେନ୍ସ ସିଷ୍ଟମ ବ୍ୟବହାର କଲା ତାହାକୁ ନେଇ ଚର୍ଚ୍ଚା ଜୋର ହେଉଛି । ଆତଙ୍କୀଙ୍କୁ ପାନେ ଦେବାକୁ ଭାରତ କେବେ ପଛଘୁଞ୍ଚା ଦେବ ନାହିଁ ବୋଲି ସ୍ପଷ୍ଟ କରିବା ସହିତ ପହଲଗାମ୍ ଆତଙ୍କୀ ହମଲାକୁ ଅନେକ ଦେଶ ନିନ୍ଦା ମଧ୍ୟ କରିଛନ୍ତି । ତେଣୁ ପୁଟିନ୍ ଏବେ ଯେଉଁ ବୟାନ ଦେଇଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ଭାରତ ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଛି ।