କନକ ବ୍ୟୁରୋ: ଏସନ ସଅଳ ଛୁଇଁଳା ମୌସୁମୀ । ସାଧାରଣ ଭାବରେ ମୌସୁମୀ ଜୁନ୍‌ ପ୍ରଥମ ସପ୍ତାହରେ କେରଳ ଛୁଏଁ । ହେଲେ ୧୬ ବର୍ଷ ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁଛି । କେରଳ ଛୁଇଁବାର ୧୦ରୁ ୧୧ ଦିନ ଭିତରେ ଓଡ଼ିଶାରେ ପହଞ୍ଚେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଯେହେତୁ ଏଥର କେରଳରେ ଶୀଘ୍ର ମୌସୁମୀ ପହଞ୍ଚିଛି ତେଣୁ ଓଡ଼ିଶାରେ ବି ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ଏପଟେ ରାଜ୍ୟରେ ସପ୍ତାହେ ହେଲାଣି ପ୍ରାକ୍‌ ମୌସୁମୀ ବର୍ଷା ବି ଆରମ୍ଭ ହୋଇଗଲଣି । 

Advertisment


୧୬ ବର୍ଷ ପରେ ସଅଳ ଆସିଲା ମୌସୁମୀ
୨୦୦୯ ମେ’ ୨୩ରେ କେରଳ ଛୁଇଁଥିଲା
ଏସନ ମେ’ ୨୪ରେ ଛୁଇଁଲା

ଶୀଘ୍ର ମୌସୁମୀ ଆସିଲା
ଓଡ଼ିଶା ଉପରେ କି ପ୍ରଭାବ ପଡ଼ିବ

ମୌସୁମୀ ବାୟୁକୁ ନେଇ ଚର୍ଚ୍ଚା ଚାଲେ । କାରଣ ମୌସୁମୀ ଆସିଲେ ଚାଷ କାମର ଅଗ୍ରଗତି ହୁଏ । ଯେହେତୁ ଓଡ଼ିଶା କୃଷିପ୍ରଧାନ ରାଜ୍ୟ, ତେଣୁ ବର୍ଷା ଆସିଲେ ହିଁ ଚାଷ କାମ ଆରମ୍ଭ ହୁଏ । ହେଲେ ଚଞ୍ଚଳ ମୌସୁମୀ ଆସିଥିବାରୁ ଏବେ ଦୁଇଟି କଥା ଚର୍ଚ୍ଚା ହେଉଛି । ବର୍ଷା ଆସିବା ନେଇ ସଙ୍କେତ ମିଳିବା ପରେ ଚଷା ପୁଅ ଖୁସି । ହେଲେ ବିକାଶ କାମରେ ଯେ ବାଧା ସୃଷ୍ଟି ହେବ ତାହା ସ୍ପଷ୍ଟ । ମାର୍ଚ୍ଚରେ ବଜେଟ୍‌ ହେବା ପରେ ଏପ୍ରିଲ୍‌ ମାସରେ ବିଭାଗ ଗୁଡ଼ିକୁ ଟଙ୍କା ମିଳେ । ପରେ ପରେ ଅନେକ ବିକାଶମୁଖୀ କାମ ଆରମ୍ଭ ହୁଏ । ଯେହେତୁ ମାସକ ତଳେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି ତେଣୁ ବର୍ଷା ଆରମ୍ଭ ହୋଇଗଲେ ସେଥିରେ ବାଧା ସୃଷ୍ଟି ହେବ ସେଥିରେ କୌଣସି ସନ୍ଦେହ ନାହିଁ । 

ମୌସୁମୀ ଆସିଗଲାଣି
ସରକାର କେତେ ପ୍ରସ୍ତୁତ  ?
ବନ୍ୟା ହେଲେ ସରକାର ସମ୍ଭାଳିପାରିବେ ତ ? 

ମୌସୁମୀ ଆସିଲେ ଓଡ଼ିଶାର ଅନେକ ସ୍ଥାନରେ ଭଲ ବର୍ଷା ହୁଏ । ଇଏ ଏକ ସାଧାରଣ କଥା । ହେଲେ ଅତ୍ୟଧିକ ବର୍ଷା ହେବା ଦ୍ବାରା ବନ୍ୟାସୃଷ୍ଟି ହୁଏ । ଲକ୍ଷଲକ୍ଷ ଲୋକଙ୍କ ଘରେ ପାଣି ପଶେ, ଲକ୍ଷାଧିକ ହେକ୍ଟର ଚାଷ ଜମି ନଷ୍ଟ ହୁଏ । ତେଣୁ ପ୍ରତିଥର ବର୍ଷାଦିନ ପୂର୍ବରୁ ସରକାର ବନ୍ୟା ମୁକାବିଲା ନେଇ ବୈଠକ କରନ୍ତି । କିନ୍ତୁ ଏଥର ବର୍ଷା ଶୀଘ୍ର ଆସୁଥିବାରୁ ସରକାର କେତେ ପ୍ରସ୍ତୁତ ଅଛନ୍ତି ତାହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଯଦି ପ୍ରଥମ ବର୍ଷାରେ ବନ୍ୟା ହୋଇଯାଏ ତାହେଲେ କଥା ସରିଲା ବୋଲି କେହି କେହି କହିଲେଣି । ଅବଶ୍ୟ ସରକାର ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି କେବଳ ଚର୍ଚ୍ଚା ହେଉଛି । 

ଜାଣନ୍ତୁ କେଉଁ ବର୍ଷ କେବେ କେରଳ ଛୁଇଁଛି ମୌସୁମୀ ?

୧୬ବର୍ଷ ପରେ ସଅଳ ଆସିଲା ମୌସୁମୀ
ଗତ ୫ ବର୍ଷରେ ମେ ୨୮ ପୂର୍ବରୁ ଆସିନି ମୌସୁମୀ
୨୦୦୯ ମେ ୨୩ରେ କେରଳ ଛୁଇଁଥିଲା
ଗତବର୍ଷ ମେ ୩୦ରେ କେରଳ ଛୁଇଁଥିଲା
ଏଥର ସମ୍ଭାବ୍ୟ ତାରିଖ ପୂର୍ବରୁ ଆସିଲା
ଜୁନ ୧ରେ ପହଞ୍ଚିବା ନେଇ ଆକଳନ ଥିଲା
ଓଡ଼ିଶାରେ ବି ସଅଳ ପହଞ୍ଚିପାରେ ମୌସୁମୀ
ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ

ମୋଟ୍‌ ଉପରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିସାରିଛି । ଓଡ଼ିଶାରେ ବି ପାଗ ଅନୁକୂଳ ରହିଛି । ତେଣୁ ଏଥର ଓଡ଼ିଶାରେ ବି ଶୀଘ୍ର ପହଞ୍ଚିପାରେ ମୌସୁମୀ ବାୟୁ ବୋଲି ଚର୍ଚ୍ଚା ହେଉଛି । ଏବେ ଅପେକ୍ଷା ଓଡ଼ିଶାରେ କେବେ ପ୍ରବେଶ କରୁଛି ମୌସୁମୀ ।