କନକ ବ୍ୟୁରୋ : ଦୁଷ୍କର୍ମ କୁକର୍ମର ଅନ୍ୟ ନାଁ, ମାନବିକତାକୁ ମାରିଦେଉଥିବା ମହାମାରୀ । ମଣିଷକୁ ଦାନବ ବନାଉଥିବା ଏକ ବ୍ୟାଧି । ସହରରୁ ଗାଁ ଗହଳି, ମନ୍ଦିରରୁ ମାର୍କେଟ୍ ଆଉ ହସ୍ପିଟାଲରୁ ହୋଟେଲ୍... ଆଜି ସବୁଠି ସବୁଠି ନାରୀ ଅସୁରକ୍ଷିତ । ପ୍ରତିଦିନ ଦୁଷ୍କର୍ମ ଖବର ଦେଖାଇବା କେବଳ ଏକ ଖବର ନୁହେଁ, ଏହା ଆମ ସଭ୍ୟ ଓ ଶିକ୍ଷିତ ସମାଜ ପାଇଁ ସତର୍କ ଆଇନା । ଯେଉଁଠି ପୁରୁଷ ସହ ପାଦ ମିଳାଇ ମହିଳା ଚାଲୁଥିବା ନେଇ ଗର୍ବ କରୁଛେ ସେଠି ଆଜି ନାରୀ ଘରୁ ବାହାରିବାକୁ ବି ଭୟ କଲାଣି । କାରଣ ଆମେ ଭୁଲିଯାଉଛୁ, ସେ କାହାର ମା’, କାହାର ଭଉଣୀ ଆଉ କାହାର ଝିଅ ଟିଏ ହୋଇଥିବ ।

Advertisment

ଅଧିକ ପଢ଼ନ୍ତୁ... ପୁଲିସ ବିରୋଧରେ ପୁଲିସର ଦୁଷ୍କର୍ମ ଅଭିଯୋଗ ମାମଲା

ଏସବୁ ବାଦ୍ ସେ ପ୍ରଥମେ ଗୋଟେ ମଣିଷ । ଭଗବାନ ନାରୀକୁ ସୁନ୍ଦରତାର ଶୀରୋମଣି କରି ଧରାକୁ ପଠାଇଛି । ତା’ ଦେହରେ ବି ଆମ ଭଳି ନାଲି ରକ୍ତ ବହୁଛି, ଆଘାତ ପାଇଲେ ତା’ ଲୋତକରୁ ଲୁହ ସହ ଲହୁ ଝରୁଛି । ଭଗବାନ ତାଙ୍କୁ ସିଂହବାହିନୀ ଭଳି ଶକ୍ତି ଦେଇଛନ୍ତି ତା’ ସହ ସହନଶୀଳତାର ଶୀର୍ଷକ ବି କରିଛନ୍ତି । ନାରୀ ସୁରକ୍ଷା ଆଜି ଗୋଟିଏ ଚିନ୍ତାର ବିଷୟ ନୁହେଁ, ଏହା ହେଉଛି ଆଧୁନିକ ସମାଜ ପାଇଁ ଏକ ଦାୟିତ୍ବ । ନିୟମ କାନୁନ ଅଛି, ଦଣ୍ଡ ବିଧାନ ଅଛି କିନ୍ତୁ କିଛି ଯୌନ ରାକ୍ଷସଙ୍କ ମନୋଭାବ ବଦଳୁନି । ସବୁଦିନ ଦୁଷ୍କର୍ମକାରୀ ମାନଙ୍କୁ ଜେଲରେ ବନ୍ଦୀ କରାଯାଉଛି ସତ କିନ୍ତୁ ସଭ୍ୟ ମଣିଷର ନିତି ନୈତିକତା ଆଜି ଯେମିତି ବନ୍ଦୀଶାଳାରୁ ମୁକ୍ତ ହୋଇଯାଇଛି ।

ଦୁଷ୍କର୍ମ ଯଦି ଗୋଟେ ରୋଗ ହୁଏ, ସେ ରୋଗ ଏବେ ମହାମାରୀର ରୂପ ନେବାରେ ଲାଗିଛି । ମଣିଷର ମନୋବୃତ୍ତିରେ ଧୀରେ ଧୀରେ ଦାଗ ଲଗାଇ ସମାଜକୁ କଳୁଷିତ କରିଚାଲିଛି । ଯଦି ଆମେ ଛୋଟବେଳୁ ଝିଅଟିକୁ ସତର୍କ ରହିବାକୁ ବାରମ୍ବାର କହୁଛେ ତା’ ହେଲେ ପୁଅକୁ କାହିଁକି ସମ୍ମାନ କରିବାକୁ ଶିଖାଯାଉନି? ହୁଏ ତ ମତଭେଦରୁ ଜନ୍ମ ନେଉଛି ଦୁଷ୍କର୍ମ, ଅସଭ୍ୟତା ଓ ନିର୍ଲଜ୍ଜତା ।

ଏବେ ନାରୀର ସୁରକ୍ଷା କେବଳ ପୁଲିସର ଦାୟିତ୍ୱ ନୁହେଁ, ଏହା ହେଉଛି ସମାଜର ଦାୟିତ୍ୱ । ଆମକୁ ବୁଝିବାକୁ ହେବ ଯେ ସମାଜରେ ନାରୀଙ୍କ ମର୍ଯ୍ୟାଦା ରକ୍ଷା କରିବା ମାନେ ମଣିଷପଣିଆକୁ ସମ୍ମାନ ଦେବା । ହଁ ସମାଜରେ ପରିବର୍ତ୍ତନ ସହ ଚିନ୍ତାଧାରା ବି ବଦଳିବା ଆଶବ୍ୟକ । କେବଳ ଆଇନ କାନୁନ ଦ୍ୱାରା ମନୋଭାବ ବଦଳିଯିବ ତା’ ନୁହେଁ ଏବେର ପିଢ଼ି ଓ ଆଗାମୀ ପିଢ଼ିଙ୍କୁ ଶିଖାଇବାକୁ ହେବ ଯେ ‘ସମ୍ମାନ ହେଉଛି ସିଲାବସର ପ୍ରଥମ ପାଠ’ ।