କନକ ବ୍ୟୁରୋ: ବିହାର ରାଜନୀତିରେ ଏବେ ସବୁଠୁ ବଡ଼ ଚର୍ଚ୍ଚା ନିଶାନ୍ତ କୁମାରଙ୍କୁ ନେଇ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ଯିବା ନେଇ ଘୋଷଣା କରିବା ପରେ, ତାଙ୍କ ପୁଅ ନିଶାନ୍ତ ଏବେ ସକ୍ରିୟ ରାଜନୀତିକୁ ଆସିବା ପ୍ରାୟ ନିଶ୍ଚିତ ହୋଇଛି । ଏପରିକି ତାଙ୍କୁ ଜେଡିୟୁରେ ବଡ଼ ଦାୟିତ୍ୱ ସହ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରୁଛନ୍ତି । ଏପର୍ଯ୍ୟନ୍ତ ଲାଇମଲାଇଟ୍ରୁ ଦୂରେଇ ରହୁଥିବା ନିଶାନ୍ତ କୁମାର ପ୍ରକୃତରେ କ’ଣ କରନ୍ତି? କେତେ ପାଠ ପଢ଼ିଛନ୍ତି, କେତେ କୋଟି ଟଙ୍କାର ସମ୍ପତ୍ତିର ମାଲିକ? ଆସନ୍ତୁ ଜାଣିବା...
ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ !
ନିଶାନ୍ତ କୁମାରଙ୍କ ଜନ୍ମ ୨୦ ଜୁଲାଇ ୧୯୭୫ରେ ବିହାରର ବଖ୍ତିୟାରପୁରରେ ହୋଇଥିଲା । ବର୍ତ୍ତମାନ ତାଙ୍କୁ ପ୍ରାୟ ୫୦ ବର୍ଷ । ସେ ବିହାରର ଦୀର୍ଘ ସମୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସ୍ୱର୍ଗତ ମଞ୍ଜୁ ସିହ୍ନାଙ୍କ ଏକମାତ୍ର ସନ୍ତାନ । ୨୦୦୭ ମସିହାରେ ତାଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା । ନିଶାନ୍ତ ଜଣେ ଅତ୍ୟନ୍ତ ଶାନ୍ତ ଏବଂ ଆଧ୍ୟାତ୍ମିକ ପ୍ରେମୀ ବ୍ୟକ୍ତି ଭାବେ ଜଣାଶୁଣା । ସେ ପ୍ରାୟତଃ ରାଜନୈତିକ ବୟାନବାଜିରୁ ଦୂରେଇ ରୁହନ୍ତି ଏବଂ ନିଜକୁ ଏକ "ପ୍ରାଇଭେଟ୍ ଲାଇଫ୍" ମଧ୍ୟରେ ସୀମିତ ରଖନ୍ତି ।
ନିଶାନ୍ତ କୁମାର ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି । ପ୍ରାଥମିକ ଶିକ୍ଷା ପାଟନାର 'ସେଣ୍ଟ କେରେନ୍ସ ସ୍କୁଲ'ରୁ ହୋଇଥିବା ବେଳେ ପରବର୍ତ୍ତୀ ଶିକ୍ଷା ମସୁରୀର ମାନବ ଭାରତୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲରୁ ଶେଷ କରିଥିଲେ । ସେ ଝାଡ଼ଖଣ୍ଡର ପ୍ରତିଷ୍ଠିତ ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସଫ୍ଟୱେୟାର ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଛନ୍ତି ।
ନିଶାନ୍ତଙ୍କ ପାଖରେ ଅଛି କେତେ ସମ୍ପତ୍ତି ?
ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ନିଶାନ୍ତ କୁମାର ତାଙ୍କ ବାପା ନୀତୀଶ କୁମାରଙ୍କଠାରୁ ଅଧିକ ସମ୍ପତ୍ତିର ମାଲିକ । ନିଶାନ୍ତଙ୍କ ପାଖରେ ପ୍ରାୟ ୩.୫ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ନାମରେ ପୈତୃକ ଗାଁ କଲ୍ୟାଣ ବିଘା ଏବଂ ବଖ୍ତିୟାରପୁରରେ ଚାଷ ଜମି ରହିଛି । ଏହା ବ୍ୟତୀତ ପାଟନା ଏବଂ ଦିଲ୍ଲୀ ଭଳି ସ୍ଥାନରେ ମଧ୍ୟ ତାଙ୍କର ଆବାସିକ ସମ୍ପତ୍ତି ରହିଛି । ବିଭିନ୍ନ ସମୟରେ ଦିଆଯାଇଥିବା ସତ୍ୟପାଠ ଅନୁଯାୟୀ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଜମା ରହିବା ସହ ସୁନା ଗହଣା ମଧ୍ୟ ରହିଛି ।
ନିଶାନ୍ତ କୁମାର ଅତୀତରେ ଅନେକ ଥର କହିଛନ୍ତି ଯେ ତାଙ୍କର ରାଜନୀତିରେ ବିଶେଷ ରୁଚି ନାହିଁ । ମାତ୍ର ୨୦୨୬ ମାର୍ଚ୍ଚ ମାସର ଘଟଣାକ୍ରମ ଦର୍ଶାଉଛି ଯେ ବିହାରରେ ଜେଡିୟୁର ଭବିଷ୍ୟତ ଏବଂ ଦଳର ଏକତା ରକ୍ଷା ପାଇଁ ନିଶାନ୍ତଙ୍କୁ ମଇଦାନକୁ ଅଣାଯାଉଛି । ଜଣେ କ୍ଲିନ୍ ଇମେଜ୍ ଏବଂ ଉଚ୍ଚଶିକ୍ଷିତ ଯୁବ ଚେହେରା ଭାବେ ସେ ବିହାର ରାଜନୀତିରେ ନୂଆ ସମୀକରଣ ତିଆରି କରିପାରନ୍ତି । ସଫ୍ଟୱେୟାର ଇଞ୍ଜିନିୟରିଂରୁ ଶାସନ ଗାଦି ପର୍ଯ୍ୟନ୍ତ, ନିଶାନ୍ତ କୁମାରଙ୍କ ଯାତ୍ରା ଏବେ ଏକ ନୂଆ ମୋଡ଼ରେ । ନୀତିଶ କୁମାରଙ୍କ ମାର୍ଗଦର୍ଶନରେ ସେ ବିହାରର ପରବର୍ତ୍ତୀ ବଡ଼ ଚେହେରା ହେବେ କି ନାହିଁ, ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/05/8f6253f2e031586bc2e92817c4cfc881-2026-03-05-17-52-51.jpg)