କନକ ବ୍ୟୁରୋ: ଶୀତୁଆ ସକାଳ ଆଉ ସବୁଜିମାର ପାହାଡ଼ ଭିତରେ କୋରାପୁଟ ଘୋଡ଼ାଇ ହେଲାଣି କୁହୁଡିର ଧଳା ଚାଦର । ଆହାଃ ସତରେ କି ମନମୁଗ୍ଧକର ସେ ଦୃଶ୍ୟ, ସେ ଅନୁଭବ... ଓଡ଼ିଶାର ସ୍ବିଜରଲାଣ୍ଡ ବୋଲାଉଥିବା କୋରାପୁଟର ଅଳସଭଙ୍ଗା ସକାଳକୁ ଯିଏ ଥରେ ଦେଖିଛି ସିଏ ବାରମ୍ବାର ଏଇ ଦୃଶ୍ୟ ଦେଖିବାକୁ ଏଠାକୁ ଧାଇଁ ଆସେ ।

Advertisment

ଅଧିକ ପଢ଼ନ୍ତୁ--- ଅନ୍ଧାରୀ ମୂଲକର ଗାଁ ; ଯେଉଁଠି ମୌଳିକ ସୁବିଧା ସାତ ସପନ

ହଁ କୋରାପୁଟ ! ଏଠି ସଞ୍ଜରୁ ସକାଳ ଯାଏଁ ପାହାଡ ନିଜ ପାଦରେ ପିନ୍ଧେ ଧବଳ ରଙ୍ଗର ଅଳତା, ଏଠି ଆକାଶ ଆଖିରେ ଶୃଙ୍ଗାର କରେ ଧଳା ରଙ୍ଗର କଜଳ । ପ୍ରାକୃତିକ ସୌନ୍ଦର୍ଯ୍ୟର ଏ ସାମ୍ରାଜ୍ୟ ଭିତରେ ଅଳତାର ରଙ୍ଗ ନାଲି ନୁହେଁ କି କଜଳର ରଙ୍ଗ କଳା ନୁହେଁ... ଏଠି ପ୍ରଥମ ପ୍ରେମ ଭଳି ପହିଲି ଶୀତ ଆଗରେ ସବୁ ରଙ୍ଗ ସତେ ଯେମିତି ଫିକା ପଡ଼ିଯାଏ ।

ଅଧିକ ପଢ଼ନ୍ତୁ-- ବାୟୁ ପ୍ରଦୂଷଣରେ ରାଜଧାନୀ ଦିଲ୍ଲୀକୁ ଟପିଯାଇପାରେ ସମ୍ବଲପୁର ସହର

ସକାଳେ ସଜେଇ ହୋଇ ସଞ୍ଜ ନଇଁବା ଆଗରୁ ନିଜ ଯୌବନକୁ ଘୋଡେଇ ଦେଉଥିବା କୁହୁଡ଼ି କିନ୍ତୁ ଟିକେ ଖରା ହେଲେ ଭାରି ଫୁଲେଇ ହୁଏ... କେବେ ଦେଓମାଳିର ଦିଲ୍ ରେ ଘର କରି ଖରା ସହ ଖେଳେ ତ କେବେ ଝରଣାର କୋଳରେ କୁଳୁକୁଳୁ ଗୀତ ଶୁଣିବାକୁ ଭାରି ଆନମନା ହୁଏ । ଖାଲି ଏତିକି ନୁହେଁ ବାଟୋଇଙ୍କୁ ଆକାଶ ଫାଙ୍କରୁ ହାଲକା ସୁନେଲୀ କିରଣ ଦେଖାଇ ବାଟବଣା ବି କରେ ଏ କୋରାପୁଟର କୁହୁଡ଼ି । ଶୀତ ଯେତିକି ଯେତିକି ବଢେ କୋରାପୁଟର କାକର ବୁନ୍ଦା, କୋରାପୁଟର କୁହୁଡି, କୋରାପୁଟର କାଠ ନିଆଁ, ଉଷୁମ ଚା ସେତେସେତେ ନିଜର ନିଜର ଲାଗେ, ମନରେ ନୂଆ ନୂଆ ରୋମାଞ୍ଚ ଭରେ... ତେଣୁ ଆଉ ଡେରି କାହିଁକି ଓଡ଼ିଶା ସ୍ବିଜରଲାଣ୍ଡକୁ ପରା ଶୀତ ଛୁଇଁଲାଣି, କାକର କୁହୁଡ଼ିକୁ ନେଇ ଏ ସୁନ୍ଦର କାହାଣୀ ଶୁଣିବା ପରେ ଓଡ଼ିଶାର ଭୂସ୍ୱର୍ଗକୁ ବୁଲିଯିବାକୁ ପ୍ଲାନ୍ କଲେଣି ନା ନାହିଁ?