ସେ ଶିବ, ସେ ହିଁ ଶକ୍ତି, ଭୋଳାଶଙ୍କର ଭୋଲାଭାଲା ବୋଲି ଆମେ ତାଙ୍କୁ ଭୋକରେ ରଖିଦେଉଛୁ...

ଠିକ୍ ସେପରି ବାବା ଲିଙ୍ଗରାଜ, ମନକଥା ବୁଝୁଥିବା ମହାଦେବ ମଧ୍ୟ ଆମ ଅଳି ଶୁଣନ୍ତି କିନ୍ତୁ ଯାହା ଆମ ପାଇଁ ଭଲ ସେହିପରି ଆମକୁ ଆଶୀର୍ବାଦ ସ୍ବରୂପ ଅଜାଡ଼ି ଦିଅନ୍ତି । 

Lord Shiva

Lord Shiva Photograph: (KANAK NEWS)

କନକ ବ୍ୟୁରୋ: ଭୋଳାନାଥ ସତରେ ତୁମେ ଭାରି ଭୋଲାଭାଲା... ସେଇଥି ପାଇଁ ତ ତୁମକୁ ଭୋକିଲା ରଖିବାକୁ ପଛାଉନାହାନ୍ତି ତୁମ ଆଦ୍ୟ ସେବକ । ସେମାନେ ପରା ତୁମ ପରିବାରର ସଦସ୍ୟ ତୁମ ମନକଥା କେମିତି ବୁଝିପାରୁନାହାନ୍ତି? ତୁମକୁ ଉପାସରେ କେମିତି ରଖିପାରୁଛନ୍ତି? ହଁ ମାନୁଛି ତାଙ୍କର ଅଳି ଆଉ ଜିଦ୍ କେଉଁଠି ନା କେଉଁଠି ପୂରଣ ହେଉନି । ତା’ବୋଲି କ’ଣ ତୁମକୁ ଭୋକରେ ରଖିଦେଲେ ତାଙ୍କ ମନସ୍କାମନା ପୂରଣ ହୋଇଯିବ? ତୁମେ ପରା ସମସ୍ତଙ୍କ ବାବା ବୁଝାଇପାରୁନ କେମିତି ?

ଅଧିକ ପଢ଼ନ୍ତୁ--- ଶିମିଳପାଳ ଅଭୟାରଣ୍ୟ ମଡେଲକୁ ଆପଣେଇବ ମହାରାଷ୍ଟ୍ର

ଯେମିତି ଜଣେ ଶିଶୁଟିଏ ତା’ ବାପା ପାଖରେ ଅଳି ଅଝଟ କରେ ଜିଦ୍ ଧରେ କିନ୍ତୁ ବାପା ପିଲାଟିର ସବୁ ଇଚ୍ଛା ପୂରଣ କରନ୍ତିନାହିଁ । ତା’ ମାନେ ନୁହେଁ ଯେ ବାପା ତାଙ୍କ ପିଲାଙ୍କୁ ଭଲପାଆନ୍ତିନି । ଯଦି ବାପା ନିଜ ଛୁଆକୁ ଭଲ ନପାଇଥାନ୍ତେ ତା’ହେଲେ ଭୋକିଲା ଶୋଇପଡ଼ୁଥିବା ସେ ଛୁଆର ପେଟ ଭରିବାକୁ ଚୁପଚାପ ମା’କୁ ଆକଟ କରି ବିଛଣା ପାଖକୁ ପଠାନ୍ତେ ନାହିଁ । ଠିକ୍ ସେପରି ବାବା ଲିଙ୍ଗରାଜ, ମନକଥା ବୁଝୁଥିବା ମହାଦେବ ମଧ୍ୟ ଆମ ଅଳି ଶୁଣନ୍ତି କିନ୍ତୁ ଯାହା ଆମ ପାଇଁ ଭଲ ସେହିପରି ଆମକୁ ଆଶୀର୍ବାଦ ସ୍ବରୂପ ଅଜାଡ଼ି ଦିଅନ୍ତି । 

ଏତେସବୁ ପରେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଭୋକରେ ରହିବାକୁ ପଡୁଛି । ଦୀର୍ଘ ବର୍ଷ ଧରି ମନ୍ଦିର ପ୍ରାଶସନିକ ବ୍ୟବସ୍ଥା ଏବଂ ସେବାୟତଙ୍କର ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁ ନଥିବାରୁ ଆମ ବାବା ଭୋଳାନାଥ ଭୋକିଲା ରହୁଛନ୍ତି । ଯେଉଁଥି ପାଇଁ ଶ୍ରଦ୍ଧାଳୁଙ୍କ ମନକୁ ବାରମ୍ବାର କୁଠାରାଘାତ ହେଉଛି । ପବିତ୍ର କାର୍ତ୍ତିକ ମାସରେ ମନର ମହେଶ୍ବରଙ୍କୁ ଏଭଳି ଉପାସରେ ରଖିବା ନେଇ ଭକ୍ତମାନେ ତୀବ୍ର ନିନ୍ଦା କରୁଛନ୍ତି । 

ପୂର୍ବରୁ ମଧ୍ୟ ଅନେକଥର ଉପାସରେ ରହିଛନ୍ତି ବାବା ଲିଙ୍ଗରାଜ । ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତି ବନ୍ଦ ହୋଇଯାଇଥିଲା । ଫଳରେ ପ୍ରଭୁଙ୍କୁ ପଇତାଲାଗି ହୋଇପାରି ନଥିଲା । ଯେଉଁଠି ରକ୍ଷାବନ୍ଧନ ଭଳି ଦିନରେ ସାଧାରଣ ଲୋକେ ପଇତା ପିନ୍ଧନ୍ତି, ସେଠି ବାବା ଶ୍ରୀଲିଙ୍ଗରାଜ ପଇତା ପିନ୍ଧିପାରି ନଥିଲେ । ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜୁଛି । ପରମବ୍ରହ୍ମ ମହେଶ୍ବରଙ୍କ ଆଦ୍ୟ ସେବକମାନେ ହୁଏ ତ ଭୁଲି ଯାଉଛନ୍ତି ଯେ ସେ ଭଲ ପାଉଥିବା ଯାଏଁ ଭୋଳାଶଙ୍କର, ରାଗିଗଲେ ଭାରି ଭୟଙ୍କର, ତେଣୁ ବାରମ୍ବାର ସୃଷ୍ଟିକର୍ତ୍ତାଙ୍କ ବିଶ୍ବାସ ସହ ଖେଳିବା ଶୋଭନୀୟ ନୁହେଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe