କନକ ବ୍ୟୁରୋ : କୋରାପୁଟ କଫି ଚାଷୀଙ୍କ ପାଇଁ ଖୁସି ଖବର । ବିଳମ୍ବରେ ହେଉ ପଛେ ଚେତିଛନ୍ତି ସରକାର । କୋରାପୁଟ କଫି କୁ ମିଳିବ ସ୍ୱତନ୍ତ ମାନ୍ୟତା । ଏଥିସହ କୋରାପୁଟରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ କଫି ପ୍ରକ୍ରିୟାକରଣ କେନ୍ଦ୍ର । ପରୀକ୍ଷାମୂଳକ ଭାବେ ସରିଛି କାମ । କେବଳ ମୁଖ୍ୟମନ୍ତ୍ରୀଙ୍କ ସିଗନାଲ କୁ ଅପେକ୍ଷା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସହଯୋଗରେ ଖୋଲାଯାଇଥିବା ଏହି କେନ୍ଦ୍ରରେ ପ୍ରତେକ କଫି ଚାଷୀ ନିଜର ଅମଳ କଫି କୁ ବିକ୍ରୀ କରିବା ସହ ନିଜର ଏକ ସ୍ୱତନ୍ତ୍ର ବ୍ରାଣ୍ଡ କରି ବିକ୍ରୀ କରିପରିବେ ଚାଷୀ ।
ଅନୁକୂଳ ଜଳବାୟୁ ଯୋଗୁଁ କୋରାପୁଟରେ କଫି ଚାଷର ଚାହିଦା ରହିଛି । କଫି ବଜାରରେ କୋରାପୁଟ କଫିର ବି ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କଫି ଏକ ଅର୍ଥ ଲଗାଣକାରୀ ଫସଲ ହୋଇଥିବାରୁ କୋରାପୁଟ ଚାଷୀ ଏହି ଚାଷ କରିଛନ୍ତି । କୋରାପୁଟ ଜିଲ୍ଳାରେ ୭ ହଜାର ଏକର ଜମିରେ କଫିଚାଷ କରାଯାଇଛି । ଏଥିରୁ ବାର୍ଷିକ ୫୫୦ ମେଟ୍ରିକ ଟନ୍ କଫି ଉତ୍ପାଦନ କରାଯାଉଛି ।