ସଟହାଉନରେ ବିବାହ ପାଇଁ ଅନୁମତି ଜରୁରୀ । ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ଆବଶ୍ୟକ ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସେପଟେ ସଟଡାଉନରେ ଖୋଲିବ ପେଟ୍ରୋଲ ପମ୍ପ

643

କନକ ବ୍ୟୁରୋ : ସଟଡାଉନରେ ବିବାହ ଆଦି କାର୍ଯ୍ୟ ପାଇଁ ଅନୁମତି ଜରୁରୀ । ଏଥିପାଇଁ ଜିଲ୍ଲା ପ୍ରଶାସନଙ୍କ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ । ତେବେ ଏହି ସମୟରେ ପରୀକ୍ଷା ନିର୍ଦ୍ଧାରିତ ସମୟ ଅନୁସାରେ ଅନୁଷ୍ଠିତ ହେବ । ଏହି ଦିନମାନଙ୍କରେ ଯାହାର ଏହି ଦିନ ବିବାହ ଅଛି, ସେମାନେ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇ ବାହା ହେବାକୁ କହିଛନ୍ତି ମନ୍ତ୍ରୀ ନବ ଦାସ । ଆସନ୍ତାକାଲିଠୁ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ହେବ । ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଜୁଲାଇ ୩୧ ଯାଏ ବନ୍ଦ ରହିବ । ତେବେ ସଟଡାଉନରେ ଘରେ ରହି, ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ମାନିବାକୁ କହିଛନ୍ତି ନବ ଦାସ ।

ସେପଟେ ସଟଡାଉନରେ ଖୋଲିବ ପେଟ୍ରୋଲ ପମ୍ପ । ଆସନ୍ତାକାଲି ସମସ୍ତ ପେଟ୍ରୋଲ ପମ୍ପ ଖୋଲା ରହିବ । ୧୧ ଜିଲ୍ଲାରେ ସଟଡାଉନରେ ଖୋଲା ରହିବ ପେଟ୍ରୋଲ ପମ୍ପ । ରାଜ୍ୟ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଂଜୟ ଲାଠ ସୂଚନା ଦେଇଛନ୍ତି । ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଛନ୍ତି ସରକାର ।

ତେବେ ସଟଡାଉନ୍ ପାଇଁ କଟକଣା କୋହଳ କରିଛନ୍ତି ସରକାର । ହକରମାନଙ୍କୁ ଖବରକାଗଜ ବାଂଟିବାକୁ ଅନୁମତି ମିଳିଛି । ରେଷ୍ଟ୍ରୁରାଂଟଗୁଡିକ ଖାଦ୍ୟ ହୋମ ଡେଲିଭରି କରିପାରିବେ । ବିମାନ, ରେଳ, ବସ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ସପ୍ତାହର ଶେଷ ଦୁଇଦିନ ସଟ୍ଡାଉନ୍ ସମୟରେ ଏଟିଏମ୍ ଖୋଲାରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ସେହିପରି ଆରବିଆଇ କାର୍ଯ୍ୟାଳୟ ଓ ଚେକ୍ କ୍ଲିୟରିଂ ହାଉସ ଖୋଲା ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ସମୟରେ ବିମାନବନ୍ଦର, ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡ ଖୋଲା ରହିବ ଏବଂ ଆନୁସଙ୍ଗିକ ସେବା ଜାରି ରହିବ । ଏଥିରେ ସଂପୃକ୍ତ ଥିବା କର୍ମଚାରୀ ଯିବାଆସିବା କରିପାରିବେ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରେଷ୍ଟ୍ରୁରାଂଟଗୁଡିକ ହୋମ ଡେଲିଭରୀ ଦେଇପାରିବେ ଏବଂ ଜୋମାଟୋ ଓ ସ୍ୱିଗି ଜରିଆରେ ମଧ୍ୟ ହୋମ ଡେଲିଭରୀ ହୋଇପାରିବ । ସକାଳ ୫ଟାରୁ ସକାଳ ୮ଟା ମଧ୍ୟରେ ହକରମାନେ ଖବରକାଗଜ ବାଂଟିପାରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।