ଗୃହରେ ଉଠିଲା ବେସରକାରୀ ସ୍କୁଲ ଗୁଡିକର ମନ ଇଚ୍ଛା ଫି ଆଦାୟ ପ୍ରସଙ୍ଗ : ପ୍ରଶ୍ନ ଉଠାଇଲେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, କହିଲେ, ଦୃଷ୍ଟି ଦିଅନ୍ତୁ ସରକାର

562

କନକ ବ୍ୟୁରୋ : ବେସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ଭାରି ବାଧୁଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଫି ଆଦାୟ ଉପରେ କୌଣସି ଅଙ୍କୁଶ ନାହିଁ । ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ବେସରକାରୀ ସ୍କୁଲରେ ମନଇଛା ଫି ନିର୍ଦ୍ଧାରଣ କରି ଫି ଆଦାୟ କରାଯାଉଛି । ରାଜ୍ୟରେ ଥିବା ସରକାରୀ ସ୍କୁଲ ଗୁଡ଼ିକ ଉପରେ ଅଭିଭାବକଙ୍କ ଆସ୍ଥା ନାହିଁ । ବାଧ୍ୟ ହୋଇ ଇଂରାଜୀ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପିଲାଙ୍କୁ । ଉତ୍ତମ ଶିକ୍ଷା ଦେବା ଆଳରେ ଅଭିଭାବକ ମାନେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ମନମାନି ସହୁଛନ୍ତି । ସବୁ ସ୍କୁଲରେ ଏକ ରେଗୁଲେଟାରୀ କମିଟି ରହିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସବୁ ସ୍କୁଲ ଗୁଡ଼ିକ ଏହି ନିୟମ ମାନିବା ପାଇଁ ବାଧ୍ୟ । ହେଲେ ଦୁର୍ଭାଗ୍ୟବଶତଃ ନିମୟ ମାନୁ ନାହାନ୍ତି କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ । ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଫି ନିର୍ଦ୍ଧାରଣ ଉପରେ ସରକାର ଦୃଷ୍ଟି ଦେବା ଉଚିବ ବୋଲି ଗୃହରେ ଦାବି କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ଅନ୍ୟପଟେ ରାଜ୍ୟରେ ସମସ୍ତେ ଇଂରାଜୀ ଭାଷା ପ୍ରେମରେ । ଆମ ଭାଷା ଓଡ଼ିଆ ଭାଷା, ବର୍ତ୍ତମାନ ଦୟନୀୟ ସ୍ଥିତିରେ । ଇଂରାଜୀ ସ୍କୁଲ ମିଡିୟମ ସ୍କୁଲ ଗୁଡିକରେ ଓଡିଆ ପଢାଯାଉନାହିଁ । ମାତୃଭାଷା ପ୍ରତି ନା ପିଲାଙ୍କର ନା ଅଭିଭାବକଙ୍କ ମମତା ଅଛି । ପିଲାମାନେ ନିଜ ଭାଷ ସାହିତ୍ୟ ଠାରୁ ଦୂରେଇ ଯିବା ଉଚିତ ନୁହେଁ । ଇଂରାଜୀ ଭାଷା ପ୍ରୀତିରେ ପିଲାମାନେ ମାତୃଭାଷା ଠାରୁ ମୁହଁ ଫେରାଉଛନ୍ତି । ଦିନକୁ ଦିନ ଏପରି ହେଲେ ଦିନ ଆସିବ ଓଡ଼ଆ ଭାଷାର ଅସ୍ତିସ୍ୱ ରହିବ ନାହିଁ । ସରକାର ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।

ଅନ୍ୟପଟେ ଚାକିରୀରେ ସର୍ବନିମ୍ନ ବୟସ ସୀମା ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ଗୃହରେ ଉଠାଇଛନ୍ତି ବିଧାୟକ । ସରକାରୀ ଚାକିରିରେ ସର୍ବନିମ୍ନ ବୟସ ସୀମା ବଢ଼ାଇବାକୁ ଦାବି କରିଛନ୍ତି । ରାଜ୍ୟରେ କର୍ମ ନିଯୁକ୍ତ ବଢ଼ିବା ଆବଶ୍ୟକ । ବର୍ତ୍ତମାନ ସମୟରେ ରାଜ୍ୟରେ କାମ କରୁଥିବା ନିଯୁକ୍ତି ସଂସ୍ଥା ଗୁଡ଼ିକ ଠିକରେ କାମ କରୁନାହାନ୍ତି । ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଛି । ଆଉ ଏଥିଯୋଗୁଁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ଗଡ଼ୁଛି । ଆଉ ସେଥିପାଇଁ ପଦବୀ ପୂରଣ ସମୟରେ ଯୋଗ୍ୟ ପ୍ରାର୍ଥୀମାନେ ଚାକିରି ପାଇପାରୁ ନାହାନ୍ତି । ଦୀର୍ଘ ୮-୧୦ ବର୍ଷ ହେବ ରାଜ୍ୟରେ ବିଭିନ୍ନ ପଦବୀ ଗୁଡ଼ିକ ଖାଲି ପଡ଼ୁଛି । ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତ ପାଇପାରୁ ନାହାନ୍ତି । ଅନ୍ୟ ରାଜ୍ୟ ଗୁଡ଼ିକରେ ଚାକିରି ବୟସୀସୀମା ୪୦-୪୫ ବର୍ଷକୁ ବଢ଼ାଇ ସାରିଲେଣି । ଓଡ଼ିଶାରେ ବି ଏହି ନିୟମ ଲାଗୁ ହେବା ଉଚିତ । ଅନ୍ୟପଟେ ଅବସର ପରେ ମଧ୍ୟ ସରକାର ଚାକିରିଆ ଚାକିରି ପାଉଛନ୍ତି । ଆଉ ଯୋଗ୍ୟ ଯୁବକ ଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ଏସବୁ ଦିଗ ପ୍ରତି ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।