ଭୂତାଣୁ ପାଇଁ ମା’ ବାସନ୍ଦ । ଜନ୍ମଦାତ୍ରୀଙ୍କୁ ଅଲୋଡ଼ା କରିଦେଲା କରୋନା ଭୟ । ମା’ଓ ପୁଅର ଅମୂଲ୍ୟ ସମ୍ପର୍କ ଆଗରେ ଶକ୍ତ ପାଚେରୀ ଭାବେ ଛିଡ଼ା ହେଲା ଅଦୃଶ୍ୟ ଭାଇରସ୍ । ବୁଢ଼ୀ ମା’କୁ ଘରେ ପୂରାଇବାକୁ ରାଜି ହେଲାନି କୁଳାଙ୍ଗାର ପୁଅ ।

405

କନକ ବ୍ୟୁରୋ : ମା’ ତୁ ଏତେ ବାଟରୁ ଆସିଛୁ । ତୋ ଦେହରେ କରୋନା ଭୂତାଣୁ ଥିବ । ଜାଣିଛୁ ତ କରୋନା ବ୍ୟାପୁଛି । ଏପରି ସମୟରେ ତତେ ଆସିବାର ଥିଲା । ମୋର ତ ପୁଣି ସ୍ତ୍ରୀ, ପିଲାଛୁଆ ଅଛନ୍ତି । ଏବେ ତୋତେ କିପରି ଘରେ ପୂରେଇବି । ସଂକ୍ରମଣ ଭୟ ଭିତରେ ପୁଅ ଭୁଲିଗଲା ମା’ର ମମତା । ମହାମାରୀର ମାୟାଜାଲରେ ଅଲୋଡ଼ା ହୋଇଗଲା ଜନ୍ମଦାତ୍ରୀ ମା’ । ମା’ଓ ପୁଅର ଅମୂଲ୍ୟ ଅତୁଟ ସମ୍ପର୍କ ଆଗରେ ଶକ୍ତ ପାଚେରୀ ଭାବେ ଛିଡ଼ା ହେଲା ଅଦୃଶ୍ୟ ଭାଇରସ୍ । ବୁଢ଼ୀ ମା’କୁ ଘରେ ପୂରାଇବାକୁ ରାଜି ହେଲାନି କୁଳାଙ୍ଗାର ପୁଅ । ୨ ମାସ ତାଲାବନ୍ଦରେ ଫସିରହି ଘରକୁ ଫେରିବା ପରେ ମା’ ମୁହଁରେ ପୁଅ କବାଟ କିଳିଦେଲା ।

ଭୂତାଣୁ ପାଇଁ ମା’ ବାସନ୍ଦ । ଜନ୍ମଦାତ୍ରୀଙ୍କୁ ଅଲୋଡ଼ା କରିଦେଲା କରୋନା ଭୟ । ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହିଥିବା ମା’ର ମମତା ଆଜି ଅଦୃଶ୍ୟ ଭାଇରସ୍ ଆଗରେ ହାରିଗଲା । ମମତାର ମୂଲ ବୁଝିଲାନି ପୁଅ । ଅଦୃଶ୍ୟ ଭାଇରସ ସନ୍ଦେହରେ ପର ହୋଇଗଲା ମମତାମୟୀ ମା’ । ୮୦ ବର୍ଷୀୟ ବୃଢ଼ୀ ମା’ ଘରକୁ ଫେରିବା ପରେ, ଘରେ ପୂରାଇ ଦେଲାନି ଜନ୍ମକଲା ପୁଅ । ଲୁହ, ରକ୍ତ ନିଗାଡ଼ି ମଣିଷ କରିଥିବା ପୁଅର ଘର ଆଗରେ ସକାଳ ୭ଟାରୁ ରାତି ଗୋଟାଏ ଯାଏ ଅଖିଆ ଅପିଆ ଡହ ଡହ ଖରାରେ ବସି ରହିଲା ସିନା ହେଲେ ପୁଅ କବାଟ ଖୋଲିଲାନି । ତଥାପି ପୁଅର କଠୋର ହୃଦୟ ତରଳିଲାନି ।

ଯେଉଁ ଘର ଫାଟକ ପାଖରେ ପୁଅର ଅଫିସ ଫେରିବା ବାଟ ଚାହୁଁଥିଲା, ଆଜି ସେହି ଫାଟକ ଆଗରେ ବସି ରହିଥିଲା ବୁଢ଼ୀ ମା’ । ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ଚିରାଫଟା ପଣତକାନିରେ ପୋଛୁଥିଲା । ହେଲେ ଏପରି ସମୟରେ କରୋନାକୁ ନିନ୍ଦୁଥିଲା ସିନା ହେଲେ ପୁଅର ଅମଙ୍ଗଳ ପାଞ୍ଚୁନଥିଲା ମା ।

ସମ୍ପର୍କୀୟଙ୍କ ଘରୁ ଫେରିବା ପରେ ମା’ ପୁଅ ଭିତରେ ବାଡ଼ ସାଜିଲା ଅଦୃଶ୍ୟ ଭାଇରସ୍ । ତିନି ତିନିଟା ପୁଅ ଥିଲେ ବି ପରିଣତ ବୟସରେ ବୁଢ଼ୀ ମା’ର ଦୁଃଖ ବୁଝିଲେନି । ନିଜ ଭିତରେ ଶହ ଶହ ଦୁଃଖକୁ ଲୁଚାଇ ରଖୁଥିବା ମା’ ଆଜି ଅଚିହ୍ନା ଭାଇରସ୍ ପାଇଁ ଅଚିହ୍ନା ହୋଇଗଲା । ମହାମାରୀରେ ଜଣେ ମା’ର ମମତା ହାରିଗଲା । ଆଉ କରୋନା ଭୂତାଣରୁ ସନ୍ଦେହ ଜିତିଗଲା ।