କୋହଳ ହେବ ତ ଜୋରିମାନା, ଆଶା ଓ ଆଶଙ୍କାରେ ଜନତା : ଦୁର୍ଘଟଣା କମାଇବା ଓ ଜୀବନ ରକ୍ଷା ଦିଗରେ ବିଚାରବିମର୍ଷ ଚାଲିଛି, ତର୍ଜମା ପରେ ପଦକ୍ଷେପ ନିଆଯିବ ବୋଲି କହିଲେ ପରିବହନ ମନ୍ତ୍ରୀ

574

କନକ ବ୍ୟୁରୋ : କୋହଳ ହେବ ଟ୍ରାଫିକ ଜୋରମାନା । ଲୋକଙ୍କୁ ମିଳିବ ଆଶ୍ୱସ୍ତି । ଅଧିକ ତଣ୍ଡ ଗଣିବାରୁ ରକ୍ଷା ପାଇବେ ଲୋକେ । ନୂଆ ଟ୍ରାଫିକ୍ ନିୟମ ଲାଗୁହେବା ପରେ ସାରା ଦେଶ ତଥା ଓଡ଼ିଶାରେ ଚେକିଂ କଡ଼ାକଡ଼ି ହୋଇଛି । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି ଆରଟିଓ ଏବଂ ଟ୍ରାଫିକ୍ ପୋଲିସ । ଘରୁ ଗାଡି ଧରି ବାହାରିଲେ ଚାଳକ ଛାତିରେ ପଶୁଛି ଛନକା । ତେବେ ଲୋକଙ୍କୁ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୁଣା ନିୟମକୁ ସଂଶୋଧନ କରି ନୂଆ ନିୟମ ଆଣିବେ ରାଜ୍ୟ ସରକାର । ଆଜି ଏଭଳି ସଙ୍କେତ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବ୍ୟାଙ୍କ ବାଲାନ୍ସ ଖାଲି ହେବା ପୂର୍ବରୁ ରକ୍ଷା ପାଇବେ କି ରାଜ୍ୟବାସୀ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ନୂଆ ମୋଟର ଯାନ ଆଇନ ପାଇଁ କ’ଣ ରହିବ ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ । ମନ୍ତ୍ରୀ କହିଛନ୍ତି, ଜୋରିମାନା କୋହଳ ନେଇ ବିଚାରବିମର୍ଷ ଓ ତର୍ଜମା ଚାଲିଛି । କେନ୍ଦ୍ର ସରକାରଙ୍କ ନୂଆ ମୋଟର ଆଇନରେ ଅଧିକ ଫାଇନ ରହିଛି ବୋଲି ସେ ସ୍ୱୀକାର କରିଛନ୍ତି । ଦୁର୍ଘଟଣା କମାଇବା ଓ ଲୋକଙ୍କ ଧନଜୀବନ ରକ୍ଷା କରିବା ଆମର ଦାୟିତ୍ୱ । ସେପ୍ଟେମ୍ବର ପହିଲାରେ ନୂଆ ଆଇନ ଲାଗୁ ହୋଇଥିଲା । ସାରା ରାଜ୍ୟରେ ଜୋରିମାନା ଆଦାୟ ନେଇ ଜନଅସନ୍ତୋଷ ଦେଖାଦେଇଥିଲା । କିଛି ସ୍ଥାନରେ ଲୋକେ ଆଇନକୁ ନିଜ ହାତକୁ ନେଇଥିଲେ । କିଛି ଲୋକଙ୍କଠାରୁ ମାତ୍ରାଧିକ ଫାଇନ ଆଦାୟ ହୋଇଥିଲା । ଏହାପରେ ଗତ ଶନିବାରଦିନ ଭୁବନେଶ୍ୱର ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ ।

ଜନଅସନ୍ତୋଷକୁ ଲକ୍ଷ୍ୟରେ ରଖି ତିନିମାସ ପାଇଁ ଜୋରିମାନା ଆଦାୟ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ଗୁଜରାଟ ଓ ଉତରାଖଣ୍ଡ ଭଳି ରାଜ୍ୟ ଜୋରିମାନାକୁ ପ୍ରାୟ ଅଧା କରିଦେଇଛନ୍ତି । ମହାରାଷ୍ଟ୍ର, ଝାଡଖଣ୍ଡ, ଗୋଆ , କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟ ମଧ୍ୟ ଜୋରିମାନାକୁ କୋହଳ କରିବାକୁ ଚିନ୍ତା କରୁଛନ୍ତି । ଏହାପରେ ରାଜ୍ୟରେ ଜୋରିମାନା କୋହଳ କରିବାକୁ ବି ଦାବି ଜୋର ଧରିଥିଲା । ଏହା ପରେ ଜୋରିମାନା କୋହଳ କରିବା ପାଇଁ ତର୍ଜମା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।