ଦେଶର କେତେକ ସ୍ଥାନରେ ଏଟିଏମ୍ ଗୁଡ଼ିକରେ ଏବେ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି । ଏହି ସ୍ଥିତିର ସମୀକ୍ଷା କରିବା ସହିତ ତୁରନ୍ତ ଏହାର ସମାଧାନ କରିବା ଲାଗି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ସରକାର ବ୍ୟାଙ୍କ ଗୁଡ଼ିକୁ କହିଛନ୍ତି ଯେଉଁ ଏଟିଏମ୍ରେ ଟଙ୍କା ନାହିଁ ସେଥିରେ ଟଙ୍କା ଭର୍ତ୍ତି କରିବା ସହିତ ଖରାପ ହୋଇ ପଡ଼ିଥିବା ଏଟିଏମ୍ ଗୁଡ଼ିକୁ ତୁରନ୍ତ ଠିକ୍ କର । ଏହାଫଳରେ ଏଟିଏମ୍ରେ ଟଙ୍କା ଅଭାବ ଜନିତ ସମସ୍ୟା ତୁରନ୍ତ ଦୂର ହେବ ବୋଲି ଆଶା ରଖାଯାଇଛି ।
ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେତେକ ରାଜ୍ୟରେ ଏଟିଏମ୍ରେ ଟଙ୍କା ଅଭାବ ଦେଖାଦେବାର କେତୋଟି କାରଣ ମଧ୍ୟ ସାମ୍ନାକୁ ଆସିଛି । ସେଥିମଧ୍ୟରେ ଗୋଟିଏ ହେଲା ସରକାରଙ୍କ ପକ୍ଷରୁ ଆର୍ଥିକ ନିୟନ୍ତ୍ରଣ ଏବଂ ଜମା ବୀମା (ଏଫ୍ଆର୍ଡିଆଇ) ବିଲ୍ ଆଣିବା ଯୋଜନା । ଅବଶ୍ୟ ଏହି ବିଲ୍ ଆଣିବା ଯୋଜନାକୁ ବନ୍ଦ କରି ଦିଆଯାଇଛି । ଅନ୍ୟ ଏକ ସୂଚନା ଅନୁଯାୟୀ ଏଟିଏମ୍ ଗୁଡ଼ିକରେ ବ୍ୟାଙ୍କ ଗୁଡ଼ିକ ୨୦୦୦ ଟଙ୍କିଆ ନୋଟ୍ ବଦଳରେ ଛୋଟ ମୂଲ୍ୟର ନୋଟ୍ ଅଧିକ ସଂଖ୍ୟାରେ ରଖୁଛନ୍ତି । ଏଥିପାଇଁ ଏଟିଏମ୍ ଗୁଡ଼ିକ ଶୀଘ୍ର ଖାଲି ହୋଇଯାଉଛି ।
ଏଥିବ୍ୟତୀତ ଅର୍ଥ ମନ୍ତ୍ରାଳୟ ଜାଣିବାକୁ ପାଇଛି ଯେ ଦେଶରେ ସମୁଦାୟ ଏଟିଏମ୍ରୁ ୧୫ ପ୍ରତିଶତ ଏଟିଏମ୍ ଖରାପ ଅଛି । ବଡ଼ ସହରରେ ଖରାପ ଥିବା ଏଟିଏମ୍ ଗୁଡ଼ିକୁ ଶୀଘ୍ର ଠିକ୍ କରି ଦିଆଯାଉଛି । କିନ୍ତୁ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଖରାପ ଏଟିଏମ୍ ଗୁଡ଼ିକୁ ଠିକ୍ କରିବା ଲାଗି ସମୟ ଲାଗୁଛି । ଏତଦ୍ବ୍ୟତୀତ ଡିଜିଟାଲ ଇଣ୍ଡିଆକୁ ସରକାର ପ୍ରୋତ୍ସାହନ ଦେବା ପରେ ଦେଶରେ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଏଟିଏମ୍ ପ୍ରସାର ସଂଖ୍ୟାକୁ ସୀମିତ କରି ଦେଇଛନ୍ତି । ଏହାର ପ୍ରଭାବରେ ବି ଏଟିଏମ୍ରେ ଟଙ୍କା ଅଭାବ ଦେଖାଦେଇଛି । ସେହିଭଳି ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଗତ କିଛି ମାସ ପୂର୍ବେ ନୂଆ ୨୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଛି । ଏଟିଏମ୍ରେ ଏହି ନୋଟ୍କୁ ଭର୍ତ୍ତି କରିବାରେ ଅସୁବିଧା ଦେଖାଦେଉଛି । ଫଳରେ ଏଟିଏମ୍ରେ ନୋଟ୍ ଅଭାବର ଏହା ମଧ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଛି ।