କନକ ବ୍ୟୁରୋ : କରୋନା ମୁକାବିଲା ଲାଗି ଜନଜାତି ଶ୍ରେଣୀର ଲୋକଙ୍କୁ ସରପଞ୍ଚ ଶିଖାଉଛନ୍ତି ହାତ ଧୂଆ ଓ ସାମାଜିକ ଦୂରତାର ମନ୍ତ୍ର । ଗାଁକୁ ଗାଁ ବୁଲି ନିଜେ ସାବୁନ ଧରି ଲୋକଙ୍କୁ ସଚେତନ କରୁଛନ୍ତି । ସରପଞ୍ଚ ହର ହେପରୁକାଙ୍କ ଏପରି ଅଭିନବ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟୁଇଟ୍ ମାଧ୍ୟମରେ ଜନପ୍ରତିନିଧିଙ୍କ ତୃଣମୂଳସ୍ତରରେ ଏପରି ନିଷ୍ଠାପର ଉଦ୍ୟମ କରୋନା ବିରୁଦ୍ଧରେ ଲଢ଼ିବା ମନୋବଳକୁ ଦୃଢ଼ କରିଛି ବୋଲି କହିଛନ୍ତି ।
ରାୟଗଡ଼ା ସଦର ବ୍ଲକ୍ ମହକୁମାର କୁଲି ଗ୍ରାମ ପଞ୍ଚାୟତ । ୩ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ବସବାସ କରୁଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଲୋକ । କରୋନା ମହାମାରୀ ଭାରତରେ ବ୍ୟାପିବା ପରେ ନିୟମିତ ହାତ ଧୂଆ ଓ ସାମାଜିକ ଦୂରତା ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବାକୁ ଗୁରୁତ୍ବ ଦେଇଥିଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିର୍ଦେଶ ପରଠୁ ସରପଞ୍ଚ ହର ହେପରୁକା ନିଜ ପଞ୍ଚାୟତର କନୋଲି, ନନ୍ଦାବାଡ଼ି, କୁଞ୍ଜବାଡି, ଖିଲାପଦର, ପୁତୁକାପାଡୁ, କୁଲି, କୁଲିଗୁଡା, ମନ୍ତ୍ରଝୋଲା ଗ୍ରାମ ପରିଦର୍ଶନ କରି ନିୟମିତ ଭାବେ ହାତ ଧୋଇବା ସହ ସବୁ କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।