କନକ ବ୍ୟୁରୋ : ଲକ୍ଡାଉନ୍ରେ ଯେତିକି ସଫଳତା ମିଳିବା କଥା ମିଳୁନାହିଁ । ଅନେକ ଲୋକ ଲକ୍ଡାଉନ୍ ନିୟମ ମାନୁ ନାହାନ୍ତି। ସବୁ ଜାଗାରେ ପୁଲିସ ଛିଡ଼ା ହୋଇ କାର୍ଯ୍ୟାନୁଷ୍ଠାନ ନେବା ମଧ୍ୟ ସମ୍ଭବ ନୁହେଁ। ଗତକାଲି ରାତି ୮ଟା ପରେ ସଟ୍ଡାଉନ୍ କୋହଳ ହୋଇଛି । ଆସନ୍ତା କାଲିଠାରୁ ଦୋକାନରେ ପୁଣି ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଦୋକାନରେ ଯେପରି ଭିଡ଼ ନହେବ ଓ ଗ୍ରାହକମାନେ ସାମାଜିକ ଦୂରତା ନିୟମ ବଜାୟ ରଖିବେ ସେଥିପ୍ରତି ଦୋକାନୀ ଯତ୍ନବାନ ହେବେ। ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପ୍ରଶାସନ । ଉଭୟ ପୁଲିସ ଓ ବିଏମ୍ସି ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଦୋକାନ ଆଗରେ ଯେଭଳି ଭିଡ଼ ହେବ ନାହିଁ ବା ଚିହ୍ନିତ ଜାଗାରେ ଗ୍ରାହକ ଛିଡ଼ା ହୋଇ ଜିନିଷ କିଣିବେ ସେଥିପାଇଁ ବ୍ୟବସାୟୀ ଦାୟୀ ରହିବେ ।
କୌଣସି ଦୋକାନରେ ଯଦି ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହେବା ଭଳି ଅଭିଯୋଗ ଆସେ ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍ ଲାଇସେନ୍ସ ବାତିଲ କରାଯିବ। ଆବଶ୍ୟକ ପଡ଼ିଲେ ମହାମାରୀ ଆଇନ ବଳରେ ତାଙ୍କ ନାମରେ ଫୌଜଦାରି ମାମଲା ରୁଜୁ କରାଯିବା ସହ ଦୋକାନ ସିଲ୍ କରି ଦିଆଯିବ। ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଉଭୟ ଫେସ୍ବୁକ୍ ଓ ୟୁ ଟ୍ୟୁବ ଲାଇଭ୍ରେ ଆସି ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। କୌଣସି ପରିସ୍ଥିତିରେ ଏହି ନିୟମ ଭାଙ୍ଗୁଥିବା ବ୍ୟବସାୟୀଙ୍କୁ ଛଡ଼ା ଯିବ ନାହିଁ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି।
ଏନେଇ ବିଏମ୍ସି କମିସନର କହିଛନ୍ତି, ଜନସାଧାରଣ ଅନେକ ସହଯୋଗ କରିଛନ୍ତି । ଏଣୁ ଆଉ କିଛି ଦିନ ଏଭଳି ସହଯୋଗ ଆବଶ୍ୟକତା ରହିଛି । ଯଦି ସଟ୍ଡାଉନ୍ ପରେ ସାମାଜିକ ଦୂରତା ଉଲ୍ଲଂଘନ ହୁଏ ତେବେ କିଛି ଲାଭ ହେବ ନାହିଁ। ଏଣୁ ଆମେ ମିଳିତ ଭାବେ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛୁ। ପୁଲିସ ଆମକୁ ଖବର ଦେବା ପରେ ଆମେ ଦୋକାନ ସିଲ୍ କରିବା ସହ ଟ୍ରେଡ୍ ଲାଇସେନ୍ସ ବାତିଲ କରିବୁ । ଏଣୁ ବ୍ୟବସାୟୀମାନେ ମଧ୍ୟ ସହଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/social-de.jpg)