ବିନା ଭକ୍ତରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି । କାଳି ସକାଳ ସାଢେ ୭ଟାରେ ସ୍ନାନନୀତି ପାଇଁ ନିର୍ଘଂଟ। ଆଜି ରାତି ୧୦ଟାରୁ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ।

277

କନକ ବ୍ୟୁରୋ : କରୋନା କଟକଣା ଭିତରେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଦଇତାପ୍ରବେଶ ନୀତି ସମ୍ପନ୍ନ ହୋଇଛି । ବାହୁକଂଟକ ନୀତି ପରେ କୋଠ ସୁଆସିଆଁ ସେବାୟତଙ୍କ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ପାଇଁ ଚାରମାଳା ବନ୍ଧାଯିବ । ଆଜି ସନାପଟି ଲାଗି ନୀତି ହେବ । କରୋନା କଟକଣା ଭିତରେ ବିନା ଭକ୍ତରେ ହେବାକୁ ଯାଉଛି ସ୍ନାନଯାତ୍ରା । ଏଥି ପାଇଁ ସ୍ଥିର ହୋଇଥିବା ନୀତି ନିର୍ଘଂଟ ଉପରେ ନଜର ପକାଇବା । ଗୁରୁବାର ରାତି ଗୋଟାଏରୁ ରାତି ୪ଟା ମଧ୍ୟରେ ଶ୍ରୀଜିଉଙ୍କ ପହଣ୍ଡି ଅନୁଷ୍ଠିତ ହେବ । ସେହିପରି ଶୁକ୍ରବାର ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ସ୍ନାନନୀତି ଅନୁଷ୍ଠିତ ହେବ ।

ସକାଳ ୧୦ଟା ୩୦ – ଛେରାପହଁରା ଅନୁଷ୍ଠିତ ହେବାକୁ ଥିବା ବେଳେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ହାତୀ ବେଶ । ଶୁକ୍ରବାର ସଂଧ୍ୟା ୫ଟା – ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଚାଲିବ । ଚଳିତ ବର୍ଷ ଶ୍ରୀଜିଉଙ୍କ ଅଣବସର ନୀତି ୧୫ ଦିନ କରାଯିବାକୁ ନିଷ୍ପତି ନିଆଯାଇଛି । ଚମ୍ପକ ଦ୍ୱାଦଶୀରେ ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି ଗୁଆଲି ଯାତ୍ରା । ପାଲିଙ୍କିରେ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା ବେଳେ ହଜାର ହଜାର ଭକ୍ତ ସାମିଲ ହୋଇଥାନ୍ତି । ତେବେ କୋଭିଡ୍ – ୧୯ ଗାଇଡଲାଇନ୍ ଅନୁସାରେ ଏଥିରେ ଲାଗିଛି ପ୍ରତିବନ୍ଧକ । ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବାକୁ ଥିବାରୁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯାଇଛି । ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ସେବାୟତରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା ।

ସେପଟେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସେବା କରିବାର ସୁଯୋଗ ପାଇଛନ୍ତି ଖୋର୍ଦ୍ଧା ଜିଳ୍ଲା ରାଉତପଡ଼ା ଗ୍ରାମବାସୀ । ଲୁଗା ବୁଣୁଥିବା ଏହି ଗ୍ରାମର ୨୦ଟି ପରିବାର ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ବ୍ୟବହାର ପାଇଁ ସମସ୍ତ ବସ୍ତ୍ର ଯୋଗାଇ ଦେଇଥାନ୍ତି । ସେସବୁ ମଧ୍ୟରେ ପତନୀ, ଗଦିପେଟା, ମଲମଲ, ଛିଟ ଲୁଗା ସହ ଗୀତଗୋବିନ୍ଦ ପାଟ ରହିଛି । ଏହି କୁଶଳୀ କାରିଗରମାନେ ବର୍ଷ ବର୍ଷ ଧରି ଏହି ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର ପ୍ରସ୍ତୁତ କରି ଶ୍ରୀକ୍ଷେତ୍ର ପଠାଇଥାନ୍ତି । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ହୋଇଥିବା ତାଲାବନ୍ଦ ଯୋଗୁଁ ସେମାନଙ୍କୁ ଏସବୁ ବସ୍ତ୍ର ପାଇଁ କଂଚାମାଳ ପାଇବାରେ ବେଶ୍ ଅସୁବିଧା ହୋଇଥିଲା । ତେବେ ନିର୍ଧାରିତ ସମୟରେ ବସ୍ତ୍ର ବୁଣାକାମ ସାରି ପୁରୀକୁ ଶ୍ରୀଜିଉଙ୍କ ବସ୍ତ୍ର ସବୁ ପଠାଇ ସାରିଛନ୍ତି ଏହି ବୁଣାକାର ପରିବାରମାନେ । ତେବେ ପାରିଶ୍ରମିକକୁ ଦୃଷ୍ଟି ନଦେଇ ପୁରା ପରିବାର ଏହି କାମରେ ନିୟୋଜିତ ହୋଇଥାନ୍ତି ।