ଭକ୍ତଶୂନ୍ୟ ବଡ଼ଦାଣ୍ଡ । ବିନା ଭକ୍ତରେ ଚାଲିଛି ସ୍ନାନଯାତ୍ରା । ଶ୍ରୀମନ୍ଦିର ଚାରିପଟେ ଓ ବଡଦାଣ୍ଡରେ ୧୪୪ ଧାରା ବଳବତ୍ତର । ଭକ୍ତର ଭଗବାନ ଆଉ ଭକ୍ତ ଭିତରେ କରୋନା ଟାଣିଛି ଲକ୍ଷ୍ମଣରେଖା ।

247

କନକ ବ୍ୟୁରୋ : ଭକ୍ତଙ୍କୁ ବଡଦାଣ୍ଡ ମନା । ସ୍ନାନଯାତ୍ରାରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । କରୋନା କଟକଣା ପାଇଁ କାଳିଆ ଶ୍ରୀମୁଖା ଦେଖିପାରୁନି ଭକ୍ତ । ଜଗତର ଠାକୁର ଜଗନ୍ନାଥଙ୍କୁ ଦେଖିବାକୁ ମନ ଉଚ୍ଛନ୍ନ ହେଉଛି । ହେଲେ ଭକ୍ତ ଆଉ ଭଗବାନ ଭିତରେ ଲକ୍ଷ୍ମଣରେଖା ଟାଣିଛି କରୋନା । ଭକ୍ତର ସୁରକ୍ଷା ପାଇଁ ଶ୍ରୀଜିଉ ଆଜି ସ୍ନାନବେଦୀରେ ଏକୁଟିଆ କରୁଛନ୍ତି ସ୍ନାନ ।

ବିଳମ୍ବିତ ରାତିରୁ ପହଣ୍ଡିରେ ଚତୁର୍ଧା ମୂର୍ତ୍ତି ସ୍ନାନମଣ୍ଡପକୁ ଆସିଛନ୍ତି । ଏହା ଗୁପ୍ତ ଭାବରେ କରାଯାଇଛି । ପରବର୍ତ୍ତୀ ବିଭିନ୍ନ ନୀତିରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ – ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହୋଇଛି । ସକାଳ ୧୦ଟା ୩୦ରେ ଛେରାପହଁରା ନୀତି ହେବ । ଏହା ପରେ ଦିନ ୧୧ଟାରୁ ଦିନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉ ହାତୀ ବେଶରେ ଦର୍ଶନ ଦେବେ । ପରେ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଚାଲିବ ଏବଂ ଶ୍ରୀଜିଉ ଅଣସର ପିଣ୍ଡିକୁ ଯିବେ ।

ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କୌଣସି ଧାର୍ମିକ ସମାବେଶ ଅନୁଷ୍ଠିତ ହେଉ ନାହିଁ । ଫଳରେ ବିନା ଭକ୍ତଙ୍କ ଉପସ୍ଥିତିରେ ଏହି ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି । ପୁରୀ ବଡଦାଣ୍ଡରେ ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡକୁ ୭ଟି ଜୋନରେ ବିଭକ୍ତ କରାଯାଇ ପ୍ରତି ଜୋନରେ ସିସିଟିଭି ଲାଗିଛି । ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ତଦାରଖ ଲାଗି ୧୫୦ ପୋଲିସ ଅଧିକାରୀ ଓ ୬ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି । ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହୋଇଛି । ତେବେ ସାଧାରଣ ଲୋକ ଶ୍ରୀଜିଉଙ୍କ ସ୍ନାନ ଯାତ୍ରାକୁ ଟିଭି ଓ ୱେବ୍ ପୋର୍ଟାଲ ଜରିଆରେ ଦେଖିବା ବ୍ୟବସ୍ଥା । ଆପଣ ମଧ୍ୟ କନକ ନ୍ୟୁଜ ଚ୍ୟାନେଲ ଏବଂ ୟୁଟ୍ୟୁବ ତଥା ଫେସ୍ବୁକ୍ରେ ସ୍ନାନଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ।