ରାତିରେ ଶୋଇଥିବା ବେଳେ କାମୁଡ଼ିଦେଲା ବିଷଧର ସର୍ପ । ଡାକ୍ତରଖାନା ନେବା ରାସ୍ତାରେ ଆଶାକର୍ମୀ ମୃତ

984

କନକ ବ୍ୟୁରୋ : ସାପ କାମୁଡ଼ାରେ ଆଶାକର୍ମୀ ମୃତ । ନୂଆପଡ଼ା ଜିଲ୍ଲାରେ ସାପ କାମୁଡ଼ାରେ ଜଣେ ଆଶାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସତ ହେଉଛନ୍ତି।  ସିନାପାଲି ବ୍ଳକ ଗୋର୍ଲା ଗ୍ରାମର ପତେଲପଡ଼ାର ଆଶାକର୍ମୀ ଶାନ୍ତିଲତା ମାଝୀ ରାତ୍ରରେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ିଥିଲା। ଏହାପରେ ଘରଲୋକେ ଆଶାକର୍ମୀଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ମିସିନ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଆଶାକର୍ମୀ ଶାନ୍ତିଲତା ମାଝୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ନୂଆପଡ଼ା ଏନଏସି ସାଲେଭଟା ଗ୍ରାମର ଜଣେ ଯୁବକଙ୍କୁ ସାପ କାମୁଡ଼ିଥିଲା। ଏହାପରେ ଯୁବକଙ୍କ ଘର ଲୋକେ ଗୁଣିଆ ଆଣି ଝଡ଼ାଫୁଙ୍କା କରୁଥିବା ବେଳେ ନୂଆପଡ଼ା ପୁଲିସ ଖବର ପାଇଁ ଗାଁରେ ପହଞ୍ଚି ଗୁରତର ଯୁବକଙ୍କୁ ଆଣି ନୂଆପଡ଼ା ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି।

ମିଳିଥିବା ଖବର ଅନୁଯାୟୀ ଗତକାଲି ନୂଆପଡ଼ା ଏନଏସି ସାଲେଭଟା ଗ୍ରାମର ଦିନେଶ ସାହୁ(୧୯) ଘରେ ଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା। ପରେ ରାତ୍ରରେ ଯୁବକଙ୍କୁ ନୂଆପଡ଼ା ଡାକ୍ତରଖାନା ଆଣି ଚିକିତ୍ସା କରିଥିଲେ। କିନ୍ତୁ ଯୁବକ ଗୁରୁତର ହେବାରୁ ପରିବାର ଲୋକ ପୁଣି ଦିନେଶକୁ ଘରକୁ ନେଇ ଗୁଣିଆ ଆଣି ଝଡାଫୁଙ୍କା କରୁଥିବା ବେଳେ ନୂଆପଡ଼ା ପୁଲିସ କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଟାଉନ୍ ଥାନା ଏଏସଆଇ ବି.ଏସ ପଣ୍ଡା ସାଲେଭଟା ପହଞ୍ଚି ସେଠାରୁ ସାପ କାମୁଡ଼ା ଯୁବକଙ୍କୁ ତୁରନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ଆଣିଥିଲେ। ଡାକ୍ତରଙ୍କ ଚିକିତ୍ସା ପରେ ବର୍ତ୍ତମାନ ଦିନେଶ ସାହୁଙ୍କ ଅବସ୍ଥା ଭଲ ରହିଛି।