ଖୁଚୁରା ତେଜରାତି ବେପାରୀଙ୍କ ଉପରୁ କଟକଣା ହଟିଲା : ନିଜ ଅଞ୍ଚଳର ଥାନା କିମ୍ବା ଫାଣ୍ଡିରୁ ପାସ୍ ସଂଗ୍ରହ କରି ବାଇକ୍ ଯୋଗେ କରିପାରିବେ ମାଲ୍ ପରିବହନ

ଖୁଚୁରା ତେଜରାତି ବେପାରୀଙ୍କ ଉପରୁ କଟକଣା ହଟିଲା : ନିଜ ଅଞ୍ଚଳର ଥାନା କିମ୍ବା ଫାଣ୍ଡିରୁ ପାସ୍ ସଂଗ୍ରହ କରି ବାଇକ୍ ଯୋଗେ କରିପାରିବେ ମାଲ୍ ପରିବହନ

କନକ ବ୍ୟୁରୋ : ଏଣିକି ଖୁଚୁରା ତେଜରାତି ଦୋକାନୀମାନେ ବାଇକ୍‌ରେ ମାଲ୍ ପରିବହନ କରିପାରିବେ । ପୂର୍ବରୁ ଏମାନଙ୍କ ଉପରେ ଲାଗୁ ହୋଇଥିବା ପୁଲିସ କଟକଣାକୁ ହଟାଇ ଦିଆଯାଇଛି । ‌ଏବେ ସେମାନେ ନିଜ ଅଞ୍ଚଳର ଥାନା କିମ୍ବା ଫାଣ୍ଡିରୁ ପାସ୍ ସଂଗ୍ରହ କରି ନିଜ ବାଇକ୍‌ ଯୋଗେ ମାଲ୍ ପରିବହନ କରିପାରିବେ । ତେଣୁ ଏବେ ଉଭୟ ଖୁଚୁରା ବେପାରୀ ଓ ଗରିବ ଖାଉଟିମାନେ ଦରବୃଦ୍ଧି ଆଶଙ୍କାରୁ ଆଶ୍ବସ୍ତ ହୋଇଛନ୍ତି ।

ତାଲାବନ୍ଦ ବା ଲକଡାଉନ ପରଠାରୁ ଖୁଚୁରା ତେଜରାତି ବେପାରୀମାନଙ୍କୁ ବାଇକ୍‌ରେ ମାଲ୍ ପରିବହନ କରିବାକୁ ଦିଆଯାଇନଥିଲା । ପରିବା ଓ ମାଛ ବେପାରୀମାନେ ବାଇକ୍‌ରେ ମାଲ୍ ନେବା ଆଣିବା କରୁଥିଲେ ହେଁ ଖୁଚୁରା ତେଜରାତି ଦୋକାନୀଙ୍କ ଉପରେ ପୁଲିସ କଟକଣା ଲାଗୁ କରିଥିଲା। ଫଳରେ କେହି କେହି ପାଇକାରୀ ଦୋକାନକୁ ବା ହାଟକୁ ବାଇକ୍‌ରେ ଯାଇ ବାଟରେ ପୁଲିସ ହାତରେ ଧରାପଡ଼ି ଜରିମାନା ଦେଉଥିଲେ । ଗାଳିମନ୍ଦ ସାଙ୍ଗକୁ ପୁଲିସ ପିଟା ବି ଖାଉଥିଲେ । ତେଣୁ ବାଧ୍ୟ ହୋଇ ସେମାନେ ଟାଟା ଏସ୍ ବା ମ‌ାଲବାହୀ ଅଟୋ ଭଡ଼ା କରି ମାଲ୍ ପରିବହନ କଲେ । ଛୋଟ ଛୋଟ ଦୋକାନୀମାନେ କମ୍ ପରିମାଣର ମାଲ୍ ଅଧିକ ଅଟୋ ଭଡ଼ା ଦେଇ ଆଣିବା ପରେ ଉକ୍ତ ଭଡ଼ାକୁ ଖାଉଟିଙ୍କ ଉପରେ କଷିଲେ । ଫଳରେ ଦର ବୃଦ୍ଧି ହେଲା । ସହରର ବସ୍ତି ହେଉ କି ଗାଁର ଗରିବ ଖାଉଟିମାନେ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଲେ।

ଏହି ସମସ୍ୟାକୁ ନେଇ ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖାଉଟି ଓ ଖୁଚୁରା ବେପାରୀଙ୍କ ସ୍ବାର୍ଥକୁ ନଜରରେ ରଖି ବିଚାର କରିବାକୁ ଅନୁରୋଧ କରିଥିଲେ । ଖୁଚୁରା ତେଜରାତି ଦୋକାନୀମାନଙ୍କୁ ବ‌ାଇକ୍‌ରେ ମାଲ୍ ପରିବହନ କରିବାକୁ ଅନୁମତି ମିଳୁ ବୋଲି ଦାବି କରିଥିଲେ । ପୁଲିସ କମିସନର ସୁଧାଂଶୁ ଶେଖର ଷଡ଼ଙ୍ଗୀ କହିଛନ୍ତି ଯେ ଏଣିକି ଖୁଚୁରା ବେପାରୀମାନେ ବାଇକ୍‌ରେ ମାଲ୍ ପରିବହନ କରିପାରିବେ । ସେମାନଙ୍କୁ ନିକଟସ୍ଥ ଥାନା ବା ଫାଣ୍ଡିରୁ ଏଥିପାଇଁ ଅନୁମତିପତ୍ର ଯୋଗାଇ ଦିଆଯିବ । ଯଦି ଅନୁମତିପତ୍ର ମିଳିବାରେ ସମସ୍ୟା ହୁଏ, ସେମାନେ ଖୁଚୁରା ବେପାରୀ ବୋଲି କିଛି ବି ପ୍ରମାଣ ଦେଖାଇ ପାରିବେ । ନଚେତ୍ ୧୦୦କୁ ଡାଏଲ୍ କରି ଜଣାଇବେ । ତେବେ କୌଣସିଠାରେ ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଶୋଷଣ କରିବା ଅଭିଯୋଗ ଓ ପ୍ରମାଣ ମିଳିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe