ଯନ୍ତ୍ରଣା ବେଡ଼ିରେ କଲବଲ ଶୈଶବ : ଅସ୍ତ୍ରୋପଚାର ପରେ ଅସ୍ତ୍ରୋପଚାର, ତଥାପି ଝାପସା ଦିଶୁଛି ସୁନ୍ଦର ପୃଥିବୀ . . .ଦୁନିଆ ଦେଖିବାକୁ ଛଟପଟ୍ ହେଉଛି କୁନି ଝିଅ ମିତାଲି

582

କନକ ବ୍ୟୁରୋ : ଯନ୍ତ୍ରଣାର ବେଡ଼ିରେ କଲବଲ ଶୈଶବ । ଅସହ୍ୟ ବେଦନାରେ ଛାଟିପିଟି ହେଉଛି କୁନି ଝିଅ । ଆଉ କୁନି କୁନି ଆଖିରେ ଝାପସା ଦିଶୁଛି ସୁନ୍ଦର ପୃଥିବୀ । ପାଠପଢ଼ା ଓ ଖେଳକୁଦ ବୟସରେ ଦାଉ ସାଜିଲା ଦଇବ । ଆଖି ଅଛି ସିନା ହେଲେ ଦୁନିଆ ଅନ୍ଧକାର । ଦୁନିଆ ଦେଖିବାକୁ ବିକଳ ହେଉଛି । ଅସ୍ତ୍ରୋପଚାର ପରେ ଅସ୍ତ୍ରୋପଚାର ହେଲା, ତଥାପି ଦୁନିଆ ଦେଖିବାକୁ ସଂଘର୍ଷ କରୁଛି ରାୟଗଡ଼ାର ମିତାଲି । କୁନି ବସୟରେ ନାହିଁ ନଥିବାଜୀବନ ସହ ଯୁଝି ହେଉଛି ୧୧ ବର୍ଷର ଝିଅ । ବଡ଼ ଡାକ୍ତରଖାନା ଦେଖାଇବା ପାଇଁ ସମ୍ବଳ ନାହିଁ । ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସା ଯୋଗାଇ ପାରୁନାହାନ୍ତି ବାପାମା’ । ଫଳରେ ଦିନକୁ ଦିନ ମିତାଲିର ଦୃଷ୍ଟିଶକ୍ତି ବିଗିଡ଼ିବାରେ ଲାଗିଛି । ଅନ୍ୟଉପାୟ ନପାଇ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ମିତାଲିଙ୍କ ବାପାମା’ ।

ଅଭିଶପ୍ତ ପାଲଟିଛି ଜୀବନ । ବାପାମା’ ନିରୁପାୟ । ଝିଅର ଦୁଃଖ ଦେଖିହେଉନି । ରାୟଗଡ଼ା ଜିଲ୍ଲା କୋଇନରା ବ୍ଲକ୍ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଦଲିମା ଗ୍ରାମରେ ମିତାଲି ପାତ୍ର । ବୟସ ମାତ୍ର ୧୧ ବର୍ଷ । ଅଳ୍ପ ବସୟରେ ଜୀବନ ବୋଝ ପରି ଲାଗୁଛି । ଖୁବ୍ ହସଖୁସିରେ ଚାଲୁଥିଲା ପରିବାର । ହେଲେ ଆଜିକୁ ଠିକ୍ ୨ ବର୍ଷ ପୂର୍ବେ ସବୁ ଦୁଃଖର ବାଦଲ ଘୋଟିଯାଇଥିଲା । ପାଠ ପଢ଼ିବା ସମୟରେ ଆଖିରେ ଯନ୍ତ୍ରଣା ହେବାରୁ ଜିଲ୍ଲା ମଖ୍ୟ ଚିକିତ୍ସାଳୟରେ ମିତାଲିଙ୍କୁ ଦେଖାଇଥିଲେ ତାଙ୍କ ବାପା । ସେଠାରେ ଆଖି ଭଲନହେବାରୁ ସହର ଉପଖଣ୍ଡ ପିତାମହଲ ଠାରେ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ମିତାଲିଙ୍କୁ ଚିକିତ୍ସା କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ସେଠାରେ ବି ମିତାଲି ଭଲ ହେଲେନି । ଶେଷରେ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ରେଫର କରାଗଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ୨୦୧୭ରେ ଜମିବାଡ଼ ବିକ୍ରି କରି ମିତାଲିର ଅପରେସନ୍ ହୋଇଥିଲା । ବୋଝ ଉପରେ ନଳିତା ବିଡ଼ା ପରି ସେଠାରେ ବି କିଛି ସୁଫଳ ମିଳିଲାନି । ବରଂ ମିତାଲିର ଆଖି ଡୋଳା ବାହରକୁ ବାହରି ଯାଇଥିଲା । ଆଉ ସେବେଠାରୁ କାନ୍ଥବାଡ଼ ଧରି ଚାଲୁଛି କୁନି ଝିଅ । ଝିଅର ଚିକିତ୍ସାରେ ସବୁ ଟଙ୍କା ଖର୍ଚ୍ଚ କରିବା ପରେ ମିତାଲିକୁ ଭଲ କରିଦେବାକୁ କୋହଭରା କଣ୍ଠରେ ଦୁଃଖ ବଖାଣିଛନ୍ତି ମିତାଲିଙ୍କ ବାପା ।

ମିତାଲିଙ୍କ ଚିକିତ୍ସା ପାଇଁ ତାଙ୍କ ବାପା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିଲେ ହେଁ ଏଯାଏଁ କିଛି ସହାୟତା ପାଇନାହାନ୍ତି । ଝିଅକୁ ଭଲ କରିବା ପାଇଁ ସରକାରୀ ସାହାଯ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ମିତାଲିଙ୍କ ପରିବାର । ତେବେ କେବେ କୁନି ମିତାଲିକୁ ସାହାଯ୍ୟ ମିଳିବ ଆଉ ସେ ଦୁନିଆ ଦେଖିବ ତାହା ଦେଖିବାକୁ ବାକି ରହିଲା ।