ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପରେ ବି କୋଟିଆରେ ଅଟକିଲା ବିକାଶ : ୨ ମାସ ହେଲା ସାପ୍ତାହିକ ହାଟ ବନ୍ଦ, ମୋବାଇଲ ଟାୱାର ଅଛି କିନ୍ତୁ ସେବା ନାହିଁ

194

କନକ ବ୍ୟୁରୋ : ଆନ୍ଧ୍ରର ଅନୁପ୍ରବେଶ ପରେ ପୁଣି ଚର୍ଚ୍ଚାକୁ ଆସିଥିଲା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ଅଞ୍ଚଳ । ଆନ୍ଧ୍ର ସରକାର ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପରେ ତତ୍ପରତା ପ୍ରକାଶ କରିଥିଲେ ଓଡ଼ିଶା ସରକାର । କୋଟିଆର ବିକାଶ ପାଇଁ ସରକାର ସର୍ବାଧିକ ଗୁରୁତ୍ବ ଦେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରି ପ୍ରଥମ ପର୍ଯ୍ୟାୟରେ ୫୦କୋଟି ଟଙ୍କାର ଅନୁଦାନ ଯୋଗାଇଦେଲେ । କିନ୍ତୁ ‌ବିକାଶର ଗତି ଏଠାରେ ଧିମେଇ ଯାଇଛି ।

ଦୁଇ ମାସ ହେଲା ସାପ୍ତାହିକ ହାଟ ବନ୍ଦ ରହିଥିବା ବେଳେ ମୋବାଇଲ ସେବା ଆଦୌ ଆରମ୍ଭ ହୋଇନି । ଗତବର୍ଷ ସରକାର ଅନୁଦାନ ଯୋଗାଇ ଦେବା ପରେ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଥିଲା । ନୂଆ ରାସ୍ତା ସହ କୋଟିଆରେ ବିଦ୍ୟାଳୟ, ୧୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, କ୍ଲଷ୍ଟର କୋଠା ଆଦି କାମ ନିର୍ମାଣ ଚାଲିଛି । ଲୋକଙ୍କ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ସାମଗ୍ରୀ ନିମନ୍ତେ କୋଟିଆରେ ସାପ୍ତାହିକ ହାଟ ବି ସରକାର ଆରମ୍ଭ କରିଥିଲେ । ପ୍ରତି ବୁଧବାର ଦିନ ହାଟ ଖୋଲିବାକୁ ସରକାର ଏଠାରେ ପିଣ୍ଡି ବ୍ୟବସ୍ଥା ବି କରିଛନ୍ତି । ସେହିପରି ଟେଲି ଯୋଗାଯୋଗ ପାଇଁ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ନୂଆ ଟାୱାର ସ୍ଥାପନ କରାଯାଇଛି ।

ହେଲେ ହାଟ ଏବଂ ମୋବାଇଲ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆରମ୍ଭ ହେବାର କିଛି ମାସ ପରେ ପ୍ରାୟ ଦୁଇ ମାସ ହେଲା ହାଟ ବସୁନି । ତେଣୁ ଲୋକେ ପୂର୍ବ ଭଳି କୁନ୍ଦୁଲି କିମ୍ବା ଆନ୍ଧ୍ର ଉପରେ ଦୈନନ୍ଦିନ ସାମଗ୍ରୀ ପାଇଁ ନିର୍ଭର କରୁଛନ୍ତି। ସେହିପରି ବିଏସ୍‌ଏନ୍‌ଏଲ୍‌ ସେବା ଆରମ୍ଭ ହୋଇ ନଥିବାରୁ ବାହାରକୁ ଯୋଗାଯୋଗ ହୋଇପାରୁନି । ଏପରିକି ଦମକଳ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇବାରୁ ବି ଲୋକେ ବଞ୍ଚିତ ରହିଛନ୍ତି । ଲୋକଙ୍କ କହିବା ହେଲା ମୋବାଇଲ ଟାୱାର ସ୍ଥାପନ ପରେ ଜଣେ ବାବୁ ଆସିଥିଲେ। ଗଣମାଧ୍ୟମରେ ମୋବାଇଲ ସେବା ଆରମ୍ଭ ହେଲା ବୋଲି ରାଜ୍ୟ ସାରା ପ୍ରଚାର ହେଲା । କିନ୍ତୁ ଆଦୌ ସେବା ଆରମ୍ଭ ହୋଇନାହିଁ । କେବଳ ମୋବାଇଲ ଟାୱାର ଅଛି, ସେବା ମିଳୁନି। ପୂର୍ବଭଳି ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ନିରାଶା ମଧ୍ୟରେ ରହିଥିବା ଲୋକେ କହିଛନ୍ତି ।