ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସୁଧାର : ପୁରୀକୁ ଛାଡ଼ିଦେଲେ ୯୦% ଅଧିକ ଉପଭୋକ୍ତା ପାଇଲେଣି ବିଜୁଳି, ଶ୍ରୀକ୍ଷେତ୍ର ସ୍ବାଭାବିକ ହେବାକୁ ଲାଗିବ ସମୟ

74

କନକ ବ୍ୟୁରୋ :  ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା । ବିଶେଷ କରି ଏସବୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଇତି ମଧ୍ୟରେ ଅବଶିଷ୍ଟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପାଖାପାଖି ବାତ୍ୟା ପୂର୍ବ ସ୍ଥିତି ଫେରି ଆସିଲାଣି । ପୁରୀକୁ ଛାଡ଼ିଦେଲେ ବାତ୍ୟା କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲାରେ ବିଦ୍ୟୁତ୍‌ ଭିତ୍ତିଭୂମିକୁ ସଜଡ଼ା ଯାଇ ପ୍ରାୟ ୯୦%ରୁ ଅଧିକ ଉପଭୋକ୍ତାଙ୍କୁ ପୁନଃବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି । ତେବେ ପୁରୀ ଜିଲ୍ଲାରେ ସ୍ବାଭାବିକ ଅବସ୍ଥା ଫେରିବାକୁ ଆଉ ବେଶ୍‌ କିଛି ଦିନ ସମୟ ଲାଗିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବାତ୍ୟା ପରବର୍ତୀ ପୁନରୁଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟଗୁଡ଼ିକର ଅଗ୍ରଗତିରୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି ।

ବାତ୍ୟା ପରବର୍ତୀ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ତରଫରୁ ବିସ୍ତୃତ ସୂଚନା ଦିଆଯାଇ ଛି। ଏହି ସୂଚନା ଅନୁଯାୟୀ ପୁରୀ ସହରର ପିଇଡି ଡିଭିଜନ ଅନ୍ତର୍ଗତ ୫୬ଟି ଫିଡରରୁ ୧୨ଟି ଫିଡର କାର୍ଯ୍ୟକ୍ଷମ ହୋଇଛି । ଏନ୍‌ଇଡି ଡିଭିଜନରେ ୨୮ଟି ଫିଡରରୁ ୫ଟି କାର୍ଯ୍ୟକ୍ଷମ ହୋଇଛି । ଗତକାଲି ସୁଦ୍ଧା ପୁରୀ ଜିଲ୍ଲାର ୧୯ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଦିଆଯାଇଛି ବିଦ୍ୟୁତ୍‌ ସଂଯୋଗ । ସେହିପରି କଟକ ସିଡିଡି-୧ ଡିଭିଜନରେ ଥିବା ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି । ସିଡିଡି-୨ରେ ପ୍ରାୟ ୬୯ ହଜାର ୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୬୪ ହଜାର ୧୯୬ ଉପଭୋକ୍ତାଙ୍କୁ ମିଳିଛି ବିଦ୍ୟୁତ୍‌ ସଂଯୋଗ । ସେହିପରି କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୭୧ ହଜାର ୨୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି ।

ଭୁବନେଶ୍ୱରରେ ବିସିଡିଡି-୧ ଅନ୍ତର୍ଗତ ସମସ୍ତ ୧ ଲକ୍ଷ ୪୭ ହଜାର ୫୩୧ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି । ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧ ଲକ୍ଷ ୯ ହଜାର ୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୧ ଲକ୍ଷ ୮ ହଜାର ୫୦ଜଣ ପାଇଛନ୍ତି ବିଦ୍ୟୁତ୍‌ ସଂଯୋଗ । ଖୋର୍ଦ୍ଧା ଜିଲ୍ଲାରେ ଆଜି ସୁଦ୍ଧା ୯୪% ବିଦ୍ୟୁତ୍‌ ଯୋଗାଣ ସ୍ୱାଭାବିକ ହୋଇଛି । ଜଗତ୍‌ସିଂହପୁର ଅଞ୍ଚଳର ଜେଇଡି ଡିଭିଜନ୍‌ ଅନ୍ତର୍ଗତ ୧ ଲକ୍ଷ ୧୬ ହଜାର ୨୧୫ ଉପଭୋକ୍ତାଙ୍କ ମଧ୍ୟରୁ ୯୯ ହଜାର ୮୮୨ଜଣଙ୍କୁ ମିଳିଛି ବିଦ୍ୟୁତ୍‌ ସଂଯୋଗ । ପାରାଦୀପ ଅଞ୍ଚଳର ପିଇଡି ଡିଭିଜନ ଅନ୍ତର୍ଭୁକ୍ତ ୧ ଲକ୍ଷ ୧ ହଜାର ୨୨୮ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୯୩ ହଜାର ୩୯୪ ଜଣ ପାଇଛନ୍ତି ବିଦ୍ୟୁତ୍‌ ସଂଯୋଗ ।

 

ଟେଲି ଯୋଗାଯୋଗ ଓ ମୋବାଇଲ୍‌ ସେବା କ୍ଷେତ୍ରର ଅଗ୍ରଗତି ଅନୁଯାୟୀ ପୁରୀ ସହରରେ ପ୍ରାୟ ୯୦ ପ୍ରତିଶତ ସେବା ଉପଲବ୍ଧ ହେଉଛି । ଖୋର୍ଦ୍ଧା ଜିଲ୍ଲାରେ ୮୭ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ପୁରୀ ଜିଲ୍ଲାରେ ଏହା ୬୪ ପ୍ରତିଶତ ଓ କଟକ ଜିଲ୍ଲାର ୯୬ ପ୍ରତିଶତରେ ପହଞ୍ଚିଛି । ସେହିପରି ଭୁବନେଶ୍ୱର ସହରରେ ୮୮%, ପୁରୀ ସହରରେ ୫୯% ଓ କଟକ ସହରରେ ୯୬% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି । ଖୋର୍ଦ୍ଧା ଓ କଟକରେ ବିଏସ୍‌ଏନ୍‌ଏଲ୍‌ ଫିକ୍ସଡ୍‌ ଲ୍ୟାଣ୍ଡଲାଇନ୍‌ ଏକ୍ସଚେଞ୍ଜ ଶତ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଥିବାବେଳେ ପୁରୀରେ ୪୧ରୁ ୩୮ଟି କାର୍ଯ୍ୟ କରୁଛି । ସେହିପରି ବ୍ୟାଙ୍କିଙ୍ଗ ସେବା ଯୋଗାଉଥିବା ପୁରୀର ୯୪.୧୪ ପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟ କରୁଥିବା ବେଳେ ଖୋର୍ଧା କଟକ, ଜଗତ୍‌ସିଂହପୁର ଓ ଗଞ୍ଜାମରେ ପାଖାପାଖି ଶତ ପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇସାରିଛି । ପୁରୀ, ଖୋର୍ଧା, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଯଥାକ୍ରମେ ୩୭.୪୫, ୭୭.୨୮, ୮୦.୮୪, ୮୧.୪୮ ଓ ୮୪.୮୦ ପ୍ରତିଶତ ଏଟିଏମ୍‌ କାର୍ଯ୍ୟ କରୁଛି ।

କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ବିନା ବନ୍ଧକରେ ଋଣ ଦେବା ପାଇଁ ବ୍ୟାଙ୍କମାନଙ୍କୁ ପରାମର୍ଶ ଦିଆଯାଇଛି । ଏ ନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ୧୪ଟି ବାତ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ ଯୋଗାଯୋଗ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଆସନ୍ତା ୩୧ ତାରିଖ ପୂର୍ବରୁ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଡକାଇବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା ୨୫ ତାରିଖ ପୂର୍ବରୁ କ୍ଷତି ଆକଳନ ଫସଲକଟା କାର୍ଯ୍ୟ ସରିବା ପରେ ପରେ ବାତ୍ୟା ପ୍ରଭାବିତ ଚାଷୀମାନଙ୍କଠାରୁ ନୂତନ ଋଣ ପାଇଁ ଆବେଦନ
ପତ୍ର ଗ୍ରହଣ କରିବା ସହିତ ପୁରୁଣା ଋଣର ପୁନର୍ବିନ୍ୟାସ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

 

ଅତ୍ୟଧିକ ପ୍ରଭାବିତ ପୁରୀ ଓ ଖୋର୍ଧା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତାର ସହିତ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ସଚେତନତା ପରିଚାଳନା କରୁଛନ୍ତି। ପୁରୀ ଜିଲ୍ଲାରେ ୪୬ଟି ମେଡିକାଲ ରିଲିଫ ସେଣ୍ଟର କାର୍ଯ୍ୟ କରୁଛି । ପୁରୀ ଓ ଖୋର୍ଦ୍ଧାର ପ୍ରଭାବିତ ପଞ୍ଚାୟତଗୁଡ଼ିକରେ ସ୍ୱାସ୍ଥ୍ୟସେବା ନିମନ୍ତେ ୨୦ଜଣ ଡାକ୍ତର ଓ ୨୦୦ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟ କରୁଛନ୍ତି । ୧,୪୫,୬୯୯ରୁ ଅଧିକ ଖୋଲା ଜଳଉତ୍ସ ବିଶୋଧନ କରାଯାଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି ।