ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସମ୍ବଲପୁର : ରୀତିନୀତି ଅନୁସାରେ ନୃସିଂହ ମହାପ୍ରଭୁଙ୍କ ନିଉତା ବିଧି ସମ୍ପନ୍ନ

68

କନକ ବ୍ୟୁରୋ : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ବାବା ବାଲୁଙ୍କେଶ୍ୱରଙ୍କ ନିର୍ବନ୍ଧ ସରିଥିବାବେଳେ ଦେବ ନିମନ୍ତ୍ରଣ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ସମ୍ପାଦନା ହେଉଛି । ଗତକାଲି ନୃସିଂହ ମହାପ୍ରଭୁ ନିଉତା ନେଇ ବିଧି ଅନୁସାରେ ସମସ୍ତ ମନ୍ଦିରଙ୍କୁ ନିଉତା ଦେବା ପାଇଁ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି । ବଂବରାଡ ବାଲୁଙ୍କେଶ୍ୱର ବାବାଙ୍କ ସହିତ ଜଗତ ଜନନୀ ମାଁ ପାର୍ବତୀଙ୍କ ବିବାହ ପାଇଁ ପ୍ରଥମ ପାରମ୍ପାରିକ ରୀତିନୀତି ଅନୁସାରେ ଦେବନିମନ୍ତ୍ରଣ ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁସାରେ ନଡିଆ, ପଇତା, ଗୁଆ ଓ ମିଠାଇ ଦେଇ ନିଉତା ଦିଆଯାଇଥିବାବେଳେ ସହରର ସମସ୍ତ ଦେବାଳୟରେ ଦିଆଯାଇଛି ନିଉତା ।

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ । ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛାରେ ସତ୍ତ୍ଵେ ଶ୍ମଶାନଚାରୀ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷପ୍ରଜାପତି ଝିଅ ଜ୍ଵାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ଵେ ପିତ୍ରାଳୟ ଗଲେ । ଯଜ୍ଞସ୍ଥଳରେ ଦକ୍ଷପ୍ରଜାପତି ଶିବଙ୍କର ଅପମାନ କଲେ ଏହାକୁ ସହି ନପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ଵଂସକରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରିବୁଲିଲେ । ବିଷ୍ଣୁ ଚକ୍ରଦ୍ଵାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କ ଠାରୁ ଅଲଗା କରିଦେଲେ ।

ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ ।