ବଦଳିଲା ଶୀତଳଷଷ୍ଠୀ ପରମ୍ପରା । ମନ୍ଦିର ପରିସରରେ ଦେବଦମ୍ପତିଙ୍କର ହେଲା ନିରାଡମ୍ବର ବିବାହ । ବିଳମ୍ବିତ ରାତିରେ ପଡିଲା ହାତଗଣ୍ଠି

207

କନକ ବ୍ୟୁରୋ : ବଦଳିଲା ଶୀତଳଷଷ୍ଠୀ ପରମ୍ପରା । ମନ୍ଦିର ପରିସରରେ ହେଲା ଦେବ ଦମ୍ପତିଙ୍କ ନିରାଡମ୍ବର ବିବାହ । ବର୍ଷ ବର୍ଷ ଧରି ଚାଲିଆସିଥିବା ଶୀତଳଷଷ୍ଠୀ ପରମ୍ପରାରେ ପ୍ରଥମ ଥର ପାଇଁ ଦେବଦେବ ମହାଦେବଙ୍କ ବିବାହ ନିଜ ମନ୍ଦିର ପ୍ରାଙ୍ଗଣରେ ହିଁ ଅନୁଷ୍ଠିତ ହୋଇଛି । ଏଥର ବରଯାତ୍ରୀ ଶୋଭାଯାତ୍ରାରେ କନ୍ୟାଳୟକୁ ବାହାରି ନାହାଁନ୍ତି । ସହର ରାସ୍ତାରେ ବାଦ୍ୟ , ନାଚ, ଗୀତ ଦେଖିବାକୁ ମିଳିନାହିଁ । ବରବେଶରେ ମହାଦେବଙ୍କ ପୂଜାର୍ଚ୍ଚନା ଓ ଆଳତି ପରେ ବୁଧବାର ବିଳମ୍ବିତ ରାତିରେ ମନ୍ଦିର ପ୍ରାଙ୍ଗଣରେ ହିଁ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ନନ୍ଦପଡାର ବଂବଂ ବାଲୁଙ୍କେଶ୍ୱର ବାବାଙ୍କୁ ସନ୍ଧ୍ୟାରୁ ବରବେଶରେ ସଜାଇବା ପରେ କଲ୍ୟାଣମଣ୍ଡପସ୍ଥିତ ବାହାବେଦୀକୁ ନିଆଯାଇଥିଲା । ସେଠାରେ ପୂର୍ବରୁ ଉପସ୍ଥିତ କନ୍ୟା ପକ୍ଷ ବରପକ୍ଷଙ୍କୁ ସ୍ୱାଗତ କରିଥିଲେ ।

ବିଳମ୍ବିତ ରାତ୍ରିରେ ଦେବଦମ୍ପତିଙ୍କର ହାତଗଣ୍ଠି ପଡିଥିଲା । ସେହିପରି ଝାଡୁଆପଡାର ଲୋକନାଥ ବାବାଙ୍କୁ ମଧ୍ୟ ମନ୍ଦିର ପରିସରରେ ମହାଆଳତି ପରେ ଆରଣ୍ୟକ ମଣ୍ଡପରେ ସଜ୍ଜିତ ବାହା ବେଦୀକୁ ନିଆଯାଇଥିଲା । ସେଠାରେ ଉପସ୍ଥିତ କନ୍ୟାପକ୍ଷ ମାତା ପାର୍ବତୀଙ୍କୁ ନବବଧୂ ରୂପରେ ସଜ୍ଜିତ କରିଥିଲେ । ରାତିରେ ଆରଣ୍ୟକ ରୀତିନୀତିରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ମୁଦିପଡାର ଜାଗେଶ୍ୱର ବାବାଙ୍କର ମଧ୍ୟ ଅନୁରୂପ ଢ଼ଙ୍ଗରେ ମନ୍ଦିର ପ୍ରାଙ୍ଗଣରେ ଲୋକାଚାର ଭିତିରେ ମାନବୀୟ ରୀତିନୀତିରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଆଜି ବେଦିରେ ଯୁଗଳ ମୂର୍ତି ଦର୍ଶନ ଦେବେ ମାତା ପାର୍ବତୀ ଓ ଶିବ । ବଡ କଥା ହେଲା କରୋନା କଟକଣା ଯୋଗୁଁ ବିନା ବାଣ ବାଜା ଏବଂ ବର ଯାତ୍ରୀ ରେ ସବୁଠି ଦେବଦମ୍ପତିଙ୍କର ହେଉଛି ବାହାଘର । ବାହାଘରରେ ଅଳ୍ପ କିଛି ଲୋକଙ୍କୁ ସାମିଲ କରାଯାଇଛି ।