ଶୀତଳ ଷଷ୍ଠୀ ପାଇଁ ଉଠୁଛି ପଡୁଛି ସମ୍ବଲପୁର । ଝାଡୁଆପଡ଼ା, ମୁଦିପଡ଼ା, ବଡବଜାର ଓ ଠାକୁରପଡ଼ାରେ ସରିଲା ମହାଦେବଙ୍କ ପତରପେଣ୍ଡି ପର୍ବ । ଆଜି ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ

252

କନକ ବ୍ୟୁରୋ : ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ସମ୍ବଲପୁରର ଝାଡୁଆପଡ଼ା, ମୁଦିପଡ଼ା, ବଡବଜାର, ଠାକୁରପଡ଼ା ଓ ଅନେକ ଯାତ୍ରା କମିଟିର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଝାଡୁଆପଡ଼ା ଲୋକନାଥ ବାବା ମନ୍ଦିରରୁ ବାହାରି ଝାଡୁଆପଡା ନିକଟ କନ୍ୟାର ପିତାମାତା କିଶୋର ଷଢଙ୍ଗୀଙ୍କ ବାସଭବନରେ ପହଂଚିଥିଲେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ କୌଣସି ଶୋଭାଯାତ୍ରା ହୋଇନଥିଲା । କେବଳ ବିଧି ରକ୍ଷା ସ୍ୱରୂପ ପରମ୍ପରା ଅନୁସାରେ ଝିଅର ପିତାମାତା ପୁଅର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ । ସାଙ୍ଗରେ ଆସିଥିବା ସପ୍ତ ଦେବପାଠ କରି ପୁଅର ଯୋଗ୍ୟତା ସମ୍ପର୍କରେ କନ୍ୟାର ପିତାମାତାଙ୍କୁ ବୁଝାଇଥିଲେ ।

କନ୍ୟା ଘର ରାଜି ହେବା ପରେ ବର ପିତା ପରମ୍ପରା ଅନୁସାରେ କନ୍ୟା ପିତାଙ୍କୁ ସର୍ଗିପତ୍ର ଦେଇ ନିର୍ବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । ଆଜି ଝାଡୁଆପଡ଼ାର ଲୋକନାଥ ବାବାଙ୍କର ଦେବ ନିମନ୍ତ୍ରଣ ଅନୁଷ୍ଠିତ ହେବ । ଅନ୍ୟପଟେ ମା ପାର୍ବତୀଙ୍କୁ ଝିଅ ରୂପରେ ପାଇ ପିତାମାତା ଖୁସି ହେଉଥିବାବେଳେ ବାହାଘର ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଥିବା କହିଛନ୍ତି ପିତାମାତା । ସେପଟେ ମୁଦିପଡ଼ା ଜଗେଶ୍ୱର ବାବାଙ୍କର ମଧ୍ୟ ନିର୍ବନ୍ଧ ସମ୍ପୂର୍ଣ୍ଣ ହୋଇଛି । ବଡବଜାରର ଶୀତଳେଶ୍ୱର ବାବା ଓ ଅନ୍ୟ ଶିବାଳୟ ଗୁଡିକରେ ମଧ୍ୟ ପତରପେଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନରଙ୍କ ପକ୍ଷରୁ ଶୀତଳଷଷ୍ଠୀ ପାଇଁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି । ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଏହି ଦେବନୀତି ଅନୁଷ୍ଠିତ ହେବ । ସାମାଜିକ ଦୂରତା ରହିବା ସହିତ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ନୀତିର ଦାୟିତ୍ୱରେ ଥିବା ସୀମିତ ସେବାୟତ ହିଁ ଏହି ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମରେ ସାମିଲ ହେବେ । ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ସେମାନେ ଏଥିରେ ସାମିଲ ହୋଇ ପାରିବେ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।