ରାଜ୍ୟର ଶିଶୁ ରୋଗୀଙ୍କୁ ଅନଲାଇନରେ ଚିକିତ୍ସା ସେବା ଯୋଗାଇବେ ଶିଶୁ ରୋଗ ବିଶେଷଜ୍ଞ : ଲକଡାଉନକୁ ଦୃଷ୍ଟିରେ ରଖି ଶିଶୁଭବନ ପକ୍ଷରୁ ନିଷ୍ପତ୍ତି

151

କନକ ବ୍ୟୁରୋ : ରାଜ୍ୟର ଶିଶୁ ରୋଗୀଙ୍କୁ ଅନଲାଇନରେ ଚିକିତ୍ସା ସେବା ଯୋଗାଇବେ କଟକ ଶିଶୁଭବନର ଶିଶୁ ରୋଗ ବିଶେଷଜ୍ଞ । ଲକଡାଉନ ଜାରି ରହିଥିବାରୁ ଶିଶୁଭବନରେ ପହଞ୍ଚିବା ସମସ୍ତ ଅଭିଭାବକଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ଏଥିପାଇଁ ଶିଶୁଭବନର ଟେଲିମେଡିସିନ ସେଣ୍ଟର କିମ୍ବା ହ୍ବାଟସଆପ ଭିଡିଓକଲ୍ ମାଧ୍ୟମରେ ରୋଗୀଙ୍କୁ ସିଧାସଳଖ ଚିକିତ୍ସା ସେବା ଯୋଗାଇବାକୁ ଆଜି ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦିନ ୪ ଘଣ୍ଟା ଏଭଳି ରୋଗୀ ଚିକିତ୍ସା କାର୍ଯ୍ୟକ୍ରମ ଜାରି ରହିବା ନେଇ ଶିଶୁଭବନ ପକ୍ଷରୁ ସୂଚନା ମିଳିଛି ।

ସାଧାରଣତଃ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଶିଶୁରୋଗ ଡାକ୍ତର ଥିବା ସତ୍ତ୍ବେ ସାଧାରଣ ରୋଗରେ ଅସୁସ୍ଥ ଶିଶୁଙ୍କୁ ଚିକିତ୍ସା ନକରି ଶିଶୁଭବନ ପଠାଇ ଦିଆଯାଉଥିବା ଅଭିଯୋଗ ହୁଏ । ତେଣୁ ଦୈନିକ ଶିଶୁଭବନ ଆଉଟଡୋରରେ ରୋଗୀ ସଂଖ୍ୟା ୪୭୦ରୁ ୪୭୫ ଛୁଉଁଛି । ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କୋରାପୁଟ, ଢେଙ୍କାନାଳ, ଅନୁଗୁଳ, ବିହାର, ମେଦିନପୁର, ଝାଡ଼ଖଣ୍ଡର ରୋଗୀ ସଂଖ୍ୟା ଅଧିକ । ଏବେ ଲକଡାଉନ୍ ସ୍ଥିତିରେ ଶିଶୁ ରୋଗୀ ଉପଯୁକ୍ତ ଚିକିତ୍ସା ପାଇବାରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରାଯିବାକୁ ଆଜି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ନିଷ୍ପତ୍ତି ଅନୁଯାୟୀ ଶିଶୁଭବନ ପରିସରରେ ଥିବା ଟେଲି ମେଡିସିନ୍ ସେଣ୍ଟରକୁ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଶିଶୁ ରୋଗୀଙ୍କ ଅଭିଭାବକ ଫୋନ କରି ଡାକ୍ତରଙ୍କ ଚିକିତ୍ସା ଓ ପରାମର୍ଶ ଅନଲାଇନରେ ନେଇପାରିବେ । ଶିଶୁ ଭବନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ସ୍ବତନ୍ତ୍ର ନମ୍ବର ୭୦୦୮୬୯୧୨୨୮(ସଂଯୋଜକ ରଶ୍ମି ରଞ୍ଜନ ପ୍ରଧାନ)କୁ ଯୋଗାଯୋଗ କରିବେ। ଶିଶୁଟିର କି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଛି, ସେ ସମ୍ପର୍କରେ ଅବଗତ କରାଇବେ । ପରେ ସଂଯୋଜକଙ୍କ ପକ୍ଷରୁ ସମ୍ପୃକ୍ତ ରୋଗର ଚିକିତ୍ସା ପାଇଁ ବିଭାଗୀୟ ଡାକ୍ତରଙ୍କ ସହିତ ଯୋଗାଯୋଗ କରାଇ ଦିଆଯିବ । ଡାକ୍ତର ଶିଶୁଭବନର ଟେଲି ମେଡିସିନ ସେଣ୍ଟରରେ ବସିବେ ।

ଅନ୍ୟପଟେ ରୋଗୀ ଓ ରୋଗୀଙ୍କ ଅଭିଭାବକ ନିଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ଟେଲି ମେଡିସିନ ସେଣ୍ଟରରେ ବସିବା ପରେ ଡାକ୍ତର ଅନଲାଇନରେ ଚିକିତ୍ସା ପରାମର୍ଶ ଦେବେ। ଆବଶ୍ୟକ ପଡ଼ିଲେ ଗୁରୁତର ରୋଗୀଙ୍କୁ ଔଷଧ କଣ ଖାଇବାକୁ ପଡ଼ିବ, ସେ ସମ୍ପର୍କରେ ମଧ୍ୟ ଡାକ୍ତର କହିବେ। ଯଦି ଘରଠାରୁ ଜିଲ୍ଲା ମୁଖ୍ୟାଳୟର ଦୂରତା ଅଧିକ ତେବେ ମୋବାଇଲ୍ ହ୍ବାଟସଆପରେ ଭିଡିଓ କଲ୍ ମାଧ୍ୟମରେ ଡାକ୍ତରଙ୍କ ସହିତ ମଧ୍ୟ କଥା ହୋଇପାରିବେ ରୋଗୀଙ୍କ ଅଭିଭାବକ। ମୁଖ୍ୟତଃ ପେଡିଆଟ୍ରିକ୍ ନେଫ୍ରୋଲୋଜି, ପେଡିଆଟ୍ରିକ ସର୍ଜରି, ନ୍ୟୁବର୍ଣ୍ଣ, ପେଡିଆଟ୍ରିକ ମେଡିସିନ ବିଭାଗର ଅଭିଜ୍ଞ ଡାକ୍ତରଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି। ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀଙ୍କ ପକ୍ଷରୁ କେଉଁ ଦିନ କେଉଁ ବିଭାଗର ଡାକ୍ତରଙ୍କୁ ଦାୟିତ୍ବ ଦିଆଯିବ, ଏ ନେଇ ଏକ ତାଲିକା ପସ୍ତୁତ କରାଯାଇଛି।