ସୋସିଆଲ ମିଡ଼ିଆରେ କଂଗ୍ରେସ କଳି ! ବାଲିଗୁଡ଼ାରେ ପଂଚାୟତ ପ୍ରାର୍ଥୀଙ୍କୁ ପଦୋନ୍ନତି,୨୦୧୪ରେ ଅଳ୍ପ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ମିଳିଲାନି ଦ୍ୱିତୀୟ ସୁଯୋଗ

941

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ମାତ୍ର ୩୬ ଖଣ୍ଡ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବିଧାୟକ ଟିକେଟ ଦେଇଛି କଂଗ୍ରେସ । ବାଲିଗୁଡ଼ା ବିଧାନସଭା ପ୍ରାର୍ଥୀଭାବେ ଶ୍ରୀ ସିମନ ମଲ୍ଲିକଙ୍କୁ ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ବାରମ୍ବାର କହିଥିଲେ ପିସିସି ସଭାପତି । ହେଲେ ସିମନଙ୍କୁ କେଉଁ ଦୃଷ୍ଟିରୁ ଟିକେଟ ଦିଆଯାଇଛି ବୋଲି ସୋସିଆଲ ମିଡ଼ିଆରେ ପ୍ରଶ୍ନ ଉଠୁଛି । ତାଲିକାରେ ସିମନଙ୍କ ନା ସାମ୍ନାକୁ ଆସିବା ପରେ ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି । ସୂଚନାଯୋଗ୍ୟ ସିମନ ମଲ୍ଲିକ ପଂଚାୟତ ନିର୍ବାଚନରେ କୋଟଗଡ଼ ସୁବର୍ଣ୍ଣପୁର ପଂଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ । ମାତ୍ର ୩୬ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ ସିମନ ମଲ୍ଲିକ ।

ଅନ୍ୟପଟେ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କ୍ଳେଶ ପ୍ରଧାନଙ୍କୁ ମାତ୍ର ୨୬୯୬ ଭୋଟରେ ହରାଇଥିଲେ ବିଜେଡ଼ି ପ୍ରାର୍ଥୀ ରାଜୀବ ପାତ୍ର । ଗତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରାଜୀବ ପ୍ରାର୍ଥୀଙ୍କୁ ୩୭,୬୦୬ ଭୋଟ ମିଳିଥିବାବେଳେ ୩୪୯୧୦ଟି ଭୋଟ ପାଇଥିଲେ କ୍ଳେଶ ପ୍ରଧାନ । ବିଜୟ ବ୍ୟବଧାନ କମ ଥିଲେ ହେଁ କ୍ଳେଶ ପ୍ରଧାନଙ୍କୁ ଏଥର ମିଳିନି ବାଲିଗୁଡ଼ା ବିଧାନସଭା ଟିକେଟ । ହେଲେ ପଂଚାୟ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ସିମନ ମଲ୍ଲିକଙ୍କୁ ଟିକେଟ ମିଳିବା ପରେ କ୍ଳେଶ ପ୍ରଧାନଙ୍କ ସମର୍ଥକ ମାନେ ସୋସିଆଲ ମିଡ଼ିଆରେ ବିରୋଧ କରଛନ୍ତି । ଖୁବ ଶୀଘ୍ର କ୍ଲେଶ ପ୍ରଧାନ ପିସିସି ସଭାପତିଙ୍କ ପାଖରେ ଏନେଇ ଫେରାଦ ହେବେ ।

 

ପ୍ରଶ୍ନ ଉଠୁଛି ସମିତିସଭ୍ୟ ନିର୍ବାଚନରେ ମାତ୍ର ୩୬ ଖଣ୍ଡ ଭୋଟ ପାଇଥିବା ପ୍ରାର୍ଥୀକୁ କେମିତି ବାଛିଲେ ଦକ୍ଷିଣ ଓଡ଼ିଶା ଦାୟିତ୍ୱ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଇଥିଲେ ହେଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକାରେ ଷଡ଼ଯନ୍ତ୍ରର ସ୍ପଷ୍ଟ ଗନ୍ଧ ବାରି ହୋଇପଡ଼ୁଛି ।