କନକ ବ୍ୟୁରୋ : ବଣଭୋଜି ପାଇଁ ବେଳାଭୂମି ଲୋକାରଣ୍ୟ । ବର୍ଷ ଶେଷ ହେବାକୁ ଆଉ କେଇଟା ଦିନ ବାକି ଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପିକନିକ୍ ଜମୁଛି । ଏପରିସ୍ଥଳେ ହାଡ଼ଭଙ୍ଗା ଶୀତରେ ଜଗତସିଂହପୁର ଜିଲ୍ଲାର ଶିଆଳି ବେଳାଭୂମିରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟକୁ ମନଭରି ଉପଭୋଗ କରୁଛନ୍ତି । ସମୁଦ୍ରର ଘୋ ଘୋ ଗର୍ଜନ ସାଙ୍ଗକୁ ସୌନ୍ଦର୍ଯ୍ୟରେ ଭରପୁର ଶିଆଳି ବେଳାଭୂମି ଦେଖଣାହାରୀଙ୍କ ମନ ମୋହୁଛି । ପୁରୁଣା ବର୍ଷକୁ ମନେ ପକାଇ ତଥା ନୂଆବର୍ଷକୁ ପାଛୋଟି ଆଣିବାକୁ ଦୂରଦୁରାନ୍ତରରୁ ଲୋକେ ଏଠାକୁ ଛୁଟି ଆସୁଥିବାର ଦେଖିବାକୁ ମିଳୁଛି ।

Advertisment

publive-image

ଆପଣ ଦେଖୁଛନ୍ତି ଜଗତସିଂହପୁର ଜିଲ୍ଲା ଶିଆଳି ବେଳାଭୂମିର ଦୃଶ୍ୟ । ବେଳାଭୂମିରେ କିଏ ପରିବାର ସହ ସେଲ୍ଫି ନେଉଛି ତ ଆଉ କିଏ ଫୁଟବଲ୍ ଖେଳୁଛି । ପୁଣି ଆଉ କିଏ ସାଙ୍ଗସାଥୀ ସହ ବଣଭୋଜିରେ ମାତିଛି । ଡିଜେ ସାଉଣ୍ଡରେ ଦୁଲୁକୁଛି ବେଳାଭୂମି । ସମୁଦ୍ର ମୁହାଣ ନିକଟ ରାସ୍ତା କଡ଼େ କଡ଼େ ବଣଭୋଜି ସହ ଜମୁଛି ନାଚଗୀତର ଆସର । ଶିଆଳିର ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ଝାଉଁ ଜଙ୍ଗଲରେ ବୁଲିବାର ମଜା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି । ଏବେ ପିକିନିକ ଋତୁରେ ଶିଆଳି ବେଳାଭୂମିକୁ ଭୋଜି କରିବାକୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

publive-image

କେବଳ ନୂଆବର୍ଷ କିମ୍ବା ବଡ଼ଦିନ ନୁହେଁ ପ୍ରକୃତିର ମନୋରମ ଦୃଶ୍ୟ ଦେଖିବାକୁ ବେଳାଭୂମିରେ ବର୍ଷସାରା ଭିଡ଼ ଜମେ । ହେଲେ ବେଳାଭୂମିକୁ ଯିବାପାଇଁ ରାସ୍ତାଘାଟର ଅସୁବିଧା, ଶୌଚାଳୟ ଅବ୍ୟବସ୍ଥା ଯୋଗୁଁ ପର୍ଯ୍ୟଟକ ଅସନ୍ତୋଷ ଜାହିର କରିଛନ୍ତି । ଅନ୍ୟପଟେ ଅସାମାଜିକ ଲୋକଙ୍କ ଉପରେ ନଜର ରଖିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉ ବୋଲି ସାଧାରଣରେ ଦାବି ହେଉଛି । ଶିଆଳିକୁ ଅଧିକ ଆକର୍ଷଣୀୟ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଗଲେ ଅଧିକ ପର୍ଯ୍ୟଟକ ଆସନ୍ତେ ବୋଲି ପର୍ଯ୍ୟଟକ ମତ ଦେଇଛନ୍ତି ।