ଖୋଲିଲା ରାଜଧାନୀ ବଜାର : ଦ୍ବନ୍ଦ୍ବ‌ରେ ଅଧା ଦୋକାନୀ, ବେପାର ମାନ୍ଦା

528

କନକ ବ୍ୟୁରୋ : କୋଭିଡ୍‌-୧୯ ସଂକ୍ରମଣଜନିତ କଟକଣା କୋହଳ ହେବା ପ‌ରେ ବୁଧବାର ରାଜଧାନୀ ବଜାର ଖୋଲିଥିଲା । ମାତ୍ର ଭୁବନେଶ୍ବର ମହନାଗର ନିଗମ(ବିଏମ୍‌ସି) ଓ କମିସନରେଟ୍‌ ପୁଲିସ ମଧ୍ୟରେ ତାଳମେଳ ନଥିବ‌ାରୁ ଉଭୟ ‌ବ୍ୟବସାୟୀ ଓ ଗ୍ରାହକମାନେ ସମସ୍ୟାରେ ପଡ଼ିଥିଲେ । ରାସ୍ତାରେ ପୁଲିସ କଟକଣା ପୂର୍ବଭଳି କଡ଼ାକଡ଼ି ଥିବାରୁ ଗ୍ରାହକମାନେ ବଜାରକୁ ଯାଇପାରିନଥିଲେ । ଅନ୍ୟ ପକ୍ଷରେ ବିଏମ୍‌ସିର ନିର୍ଦେଶାବଳୀ ସ୍ପଷ୍ଟ ନଥିବାରୁ ଅଧା ଦୋକାନୀ ଦୋକାନ ଖୋଲିବା ସମ୍ଭବ ହୋଇନଥିଲା । ଫଳରେ ତାଲାବନ୍ଦ ପରେ ବଜାର ଖୋଲିବାର ପ୍ରଥମ ଦିନରେ ଗ୍ରାହକ କମ୍‌ କାରଣରୁ ବେପାର ପୂରା ମାନ୍ଦା ରହିଥିଲା ।

ବାପୁଜୀନଗର ବ୍ୟବସାୟୀମାନଙ୍କଠାରୁ ମିଳିଥିବା ଅଭିଯୋଗ ଅନୁସାରେ ଆଜି ସକ‌ାଳୁ ଦୋକାନ ଖୋଲିବା ମାତ୍ରେ ପୁଲିସ ବନ୍ଦ କରିଥିଲା। ବିଏମ୍‌ସିର ପଞ୍ଜୀକରଣ ପ୍ରମାଣପତ୍ର (ସର୍ଭିସ୍ ଲାଇସେନ୍‌ସ) ପ୍ରଦର୍ଶନ କରିବାରେ ଅସମର୍ଥ ହେବାରୁ ବହୁ ଦୋକାନୀଙ୍କୁ ପୁଲିସ ଦୋକାନ ଖୋଲିବାକୁ ଦେଇନଥିଲା । ଫଳରେ ବହୁ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍‌ସ ଦୋକାନ ଖୋଲିପାରିନଥିଲେ । କେବଳ କିଛି ମରାମତି ଦୋକାନ ଖୋଲିଥିଲା। ତେଣୁ କିଛି ହାତଗଣତି ଦୋକାନୀ ଦୋକାନ ଖୋଲିପାରିଥିଲ‌େ ଓ ପୂରା ବାପୁଜୀନଗର ଖାଁ ଖାଁ ଲାଗିଥିଲା । ତେବେ ପରେ ମୋବାଇଲ୍ ରିଟେଲର ବ୍ୟବସାୟୀ ସଂଘ ବିଏମ୍‌ସି ଅଫିସ ଯାଇ ଅଭିଯୋଗ କରିବା ପରେ ସେମାନଙ୍କୁ ମୌଖିକ ନିର୍ଦେଶ ଦିଆଯାଇଥିଲା । ସେତେବେଳକୁ ଅପରାହ୍‌ଣ ୨ଟା ବାଜି ସାରିଥିବାରୁ ବହୁ ଦୋକାନୀ ଆଉ ଦୋକାନ ଖୋଲିବାକୁ ଇଚ୍ଛା କରିନଥିଲେ ।

ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଥିବାରୁ ମାତ୍ର ୩/୪ ଘଣ୍ଟା ପାଇଁ ଆଉ ଦୋକାନ ଖୋଲିବାକୁ ବହୁ ଦୋକାନୀ ରାଜି ହୋଇନଥିଲେ। ଏମିତି ଅବସ୍ଥା ଆଜି ରାଜଧାନୀର ପ୍ରାୟ ସବୁ ବଡ଼ ବଡ଼ ବଜାରରେ ହୋଇଛି। ସହିଦନଗର, ଅଶୋକନଗର ଓ କଟକ ରୋଡ୍‌ରେ ମଧ୍ୟ ବହୁ ବ୍ୟବସାୟୀ ଦ୍ବନ୍ଦ୍ବରେ ପଡ଼ି ଦୋକାନ ଖୋଲିନଥିଲେ। କଟକ ରୋଡ୍‌ରେ ଅଳ୍ପସଂଖ୍ୟକ ଟାୟାର୍ ଦୋକାନ, ପାଣି ପାଇପ୍‌ ଓ ମଟର ଦୋକାନ ଓ ଗ୍ୟାରେଜ୍‌ ଖୋଲିଥିଲା। ଯୁବ ବ୍ୟବସାୟୀ ଦେବରାଜ ମହାନ୍ତିଙ୍କ ଅଭିଯୋଗ ଅନୁସାରେ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ ଓଡ଼ିଆରେ ହୋଇନଥିବାରୁ ଅଧିକ ସମସ୍ୟା ସୃଷ୍ଟି ହୋଇଛି ।

କେଉଁ ଦୋକାନ ସବୁ ଖୋଲିବ କିଏ ବନ୍ଦ ରହିବ, ତାହା ସ୍ପଷ୍ଟ ହୋଇନାହିଁ ଏବଂ ବହୁ ଦୋକାନୀଙ୍କୁ ଇଂରାଜୀ ବୁଝିବା ସମ୍ଭବ ହୋଇନାହିଁ । ଏମିତିକି ପୁଲିସ ମଧ୍ୟ ନ ବୁଝି ନ ଶୁଝି ପ୍ରାୟ ସବୁ ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦେଉଥିବା ସେ ଅଭିଯୋଗ କରିଛନ୍ତି । ବିଏମ୍‌ସି ପ୍ରମାଣପତ୍ର ଦେଖାଇବାକୁ କହି ସବୁ ଦୋକାନକୁ ବନ୍ଦ କରାଯାଉଛି।  ବିଏମ୍‌ସି ତୁରନ୍ତ ଏଭଳି ଦ୍ବନ୍ଦ୍ବ ଦୂର କରୁ ବୋଲି ସେ ଦାବି କରିଛନ୍ତି ।