କନକ ବ୍ୟୁରୋ : ନିର୍ବାଚନ ସରିଛି, ଫଳାଫଳ ବି ଆସିସାରିଛି । କେନ୍ଦ୍ରରେ ପୁଣି ଥରେ ସରକାର ଗଢ଼ିଛି ବିଜେପି । ଚଳିତ ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ ମଧ୍ୟ ପୂର୍ବ ସମ୍ପର୍କ ଆଉ ନାହିଁ । ଶିବସେନା ୨୦୧୯ ନିର୍ବାଚନ ଏକାକୀ ଲଢ଼ିବ ବୋଲି ଘୋଷଣା କରିଥିଲେ ମଧ୍ୟ ଶେଷ ସମୟରେ ଏକାଠି ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପୂର୍ବରୁ ସବୁବେଳେ ମୋଦି ସରକାରଙ୍କୁ ଟାର୍ଗେଟ କରିଆସୁଥିବା ଶିବସେନା ଏକାଠି ନିର୍ବାଚନ ଲଢ଼ି ଫଳାଫଳ ଆସି ସାରିବା ପରେ ସମାଲୋଚନା ପର୍ବ ଜାରି ରଖିଛି । ଅଲିଗଡ଼ ଶିଶୁକନ୍ୟା ହତ୍ୟାକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି ଶିବସେନା ।
ପୁଣି ଶିବସେନା ଟାର୍ଗେଟରେ କେନ୍ଦ୍ର ସରକାର । ଅଲିଗଡ଼ରେ କୋମଳମତି ଶିଶୁକନ୍ୟା ସହ ହୋଇଥିବା ବର୍ବରତା ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଶିବସେନା । ନିର୍ବାଚନ ସରିଛି, ବିଜେୟ ଉତ୍ସବ ଶେଷ କରି ଅଲିଗଡ଼ରେ ହୋଇଥିବା ବର୍ବର କାଣ୍ଡ ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଛି ଶିବସେନା । ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ପିଲାକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ସାରା ଦେଶବାସୀ ତାତି ଉଠିଥିବାବେଳେ ବଲିଉଡ ଜଗତରୁ ମଧ୍ୟ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲା । ହେଲେ ସରକାରରେ ଥିବା ଶୀର୍ଷ ନେତାମାନେ କିଛି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ବୋଲି କହିଛି ଶିବସେନା ।
କଂଗ୍ରେସ ଶାସନ କାଳରେ ନିର୍ଭୟା କାଣ୍ଡ ହୋଇଥିଲା । ନାରୀ ନିର୍ଯାତନା ନେଇ ସେତେବେଳେ ବିରୋଧ କରୁଥିବା ଲୋକ ଏବେ ସତ୍ତାରେ ଅଛନ୍ତି । ଆଉ ଏଥିପାଇଁ ବର୍ତ୍ତମାନର ସତ୍ତାଧୀରୀଙ୍କ ଉପରେ ରହିଛି ବଡ଼ ଦାୟିତ୍ୱ । ସେମାନେ ଏପରି ଘଟଣା ପାଇଁ ଅଧିକ ସଚେତନ ହେବା ଉଚିତ । ଅଲିଗଡ଼ରେ ଘଟଣାରେ ସମାଜ ଉପରେ ଖରାପ ପ୍ରଭାବ ପଡ଼ୁଛି । ଏପରି ସମୟରେ ବେଟି ବଚାଓ ନାରା ବ୍ୟର୍ଥ ପ୍ରମାଣିତ ହୋଇଛି । ଏପରି ଘଟଣା ମାନବ ସମାଜ ଉପରେ କଳଙ୍କ । ଏପରି ବିକୃତ ମାନସିକ ବ୍ୟକ୍ତିଧାରୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ଶିବସେନା ।