ଅଶାନ୍ତ ହୋଇପଡିଛି ଅଯୋଧ୍ୟା : ରାମମନ୍ଦିର ନିର୍ମାଣ ନେଇ ସରକାରଙ୍କ ଉପରେ ଚାପ ପକାଇବାକୁ ଏକାଠି ହେଲେ ହଜାର ହଜାର ଶିବସୈନିକ

୨ଲକ୍ଷରୁ ଅଧିକ କର୍ମୀ ଠୁଳ କରିବାକୁ ଆରଏସଏସ ଓ ଭିଏଚପିର ଯୋଜନା

153

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି ହିନ୍ଦୁ ସଂଗଠନଗୁଡିକ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଘୋଷଣା ପରେ ଅଯୋଧ୍ୟାରେ ପହଂଚିବାରେ ଲାଗିଛନ୍ତି ହଜାର ହଜାର ଶିବ ସୈନିକ । ଶିବସେନାର ବିଜୟା ଦଶମୀ କାର୍ଯ୍ୟକ୍ରମରେ ଦଳର ମୁଖ୍ୟ ଉଦ୍ଧବ ଠାକରେ ଘୋଷଣା କରିଥିଲେ ଯେ, ପୁଣେର ଶିବନେରା କିଲ୍ଲାରୁ ମାଟି ନେଇ ସେ ନଭେମ୍ବର ୨୫ ଅର୍ଥାତ ଆସନ୍ତାକାଲି ଅଯୋଧ୍ୟାରେ ପହଂଚିବେ । ଏଥିସହ ଅଯୋଧ୍ୟା ମାଟିରୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ କରିବେ ।

ଏଥିପାଇଁ ଗତକାଲିଠାରୁ ଶିବସେନାର ପ୍ରାୟ ୫ ହଜରା କର୍ମୀ ଟ୍ରେନ, ବସ୍ ଓ ବିମାନ ଯୋଗେ ଅଯୋଧ୍ୟା ଅଭିମୁଖେ ବାହରିଥିଲେ । ଅନେକ ସଂଖ୍ୟାରେ ଶିବ ସୈନିକମାନେ ଅଯୋଧ୍ୟାର ରାମ ଜନ୍ମଭୂମିରେ ପହଂଚିବାରେ ଲାଗିଛନ୍ତି । ଏଥିସହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ପ୍ରାୟ ୨ ଲକ୍ଷ କର୍ମୀ ଅଯୋଧ୍ୟାରେ ଏକାଠି ହେବେ ବୋଲି ଘୋଷଣା କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ମୋଦି ସରକାର ଦେଇଥିବା ରାମ ମନ୍ଦିର ନିର୍ମାଣ ପ୍ରତିଶ୍ରୁତି ପୂରଣ କରିବାକୁ ଚାପ ପକାଇବା ଲାଗି ଏଭଳି ଅଭିଯାନ ଆରମ୍ଭ ହଇଛି ।

ହେଲେ ରାମ ଜନ୍ମଭୂମକୁ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଉଭୟ କେନ୍ଦ୍ର ଓ ୟୁପି ସରକାରଙ୍କ ହାତ ବାନ୍ଧି ହୋଇଯାଇଛି । ଅନ୍ୟ ପକ୍ଷରେ ଅଯୋଧ୍ୟାରେ ମେଳି ବାନ୍ଧୁଥିବା ହିନ୍ଦୁ ସଂଗଠନଗୁଡିକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୧୦ ବରିଷ୍ଠ ପୋଲିସ ଅଧିକାର, ୨୧ କ୍ଷେତ୍ରୀୟ ଅଧିକାରୀ, ୧୬୦ ସବ ଇନସ୍ପେକ୍ଟର, ୭ଶହ କନେଷ୍ଟବଳ, ପିଏସିର ୧୨ କମ୍ପାନି, ଆରଏଏଫର ୫ଟି କମ୍ପାନି ସରୁକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

ଆସନ୍ତୁ ଜାଣିବା ଅଯୋଧ୍ୟାରେ ବିବାଦୀୟ ବାବ୍ରି ଢାଂଚା ଭଙ୍ଗ ଓ ରାମ ମନ୍ଦିର ନିର୍ମାଣକୁ ନେଇ ହେଉଥିବା ଦାବି ସଂପର୍କରେ ପୁରା କାହାଣୀ . .

ଡିସେମ୍ବର ୬, ୧୯୯୨ – କର ସେବକ, ବାବ୍ରୀ ମସଜିଦକୁ ଭାଙ୍ଗିଦେଲେ । ଫଳରେ ସାରା ଦେଶରେ ଦଙ୍ଗାସ୍ଥିତି ସୃଷ୍ଟି ହେଲା, ୨ ହଜାର ଲୋକ ପ୍ରାଣ ହରାଇଲେ । ତତ୍କାଳୀନ ଦେଶରେ ଥିବା ପି. ଭି. ନରସିହ୍ମା ରାଓ ସରକାର, ୟୁପି, ଏମପି, ରାଜସ୍ଥାନ, ହିମାଚଳର ବିଜେପି ସରକାରକୁ ଖାରଜ କରିଦେଲେ ।

ଡିସେମ୍ବର ୧୬, ୧୯୯୨ – ମସଜିଦ ଭାଙ୍ଗିବାର ୧୦ ଦିନ ଭିତରେ ପି. ଭି. ନରସିହ୍ମା ରାଓ ତଦନ୍ତ ପାଇଁ ଜଷ୍ଟିସ ଏମ.ଏସ ଲିବେରହନଙ୍କ ନେତୃତ୍ୱରେ ଏକ କମିଶନ ଗଠନ କଲେ ।

ସେପଟେମ୍ବର ୧୯୯୭ – ବାବ୍ରୀ ମସଜିଦ ଭାଙ୍ଗିବା ଘଟଣାର ଶୁଣାଣି କରୁଥିବା ସ୍ୱତନ୍ତ୍ର କୋର୍ଟ ୪୯ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ । କଲ୍ୟାଣ ସିଂ, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଶୀଙ୍କ ନାଁ ତାଲିକାରେ ରହିଲା ।

ଫେବୃୟାରୀ ୪, ୨୦୦୨ -ଅଯୋଧ୍ୟାରେ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକଳାପ ଉପରେ ଲାଗିଥିବା ଅନ୍ତରୀଣ ରୋକକୁ ହଟାଇବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଅପିଲ୍ କଲେ । କୁହାଗଲା, ଭିଏଚପି ତରଫରୁ ଚାପଗ୍ରସ୍ତ ହୋଇ ସରକାର ଏହି ପଦକ୍ଷେପ ନେଲେ ।

ଫେବୃୟାରୀ ୬, ୨୦୦୨ – କର ସେବକଙ୍କୁ ନେଇ ଯାଉଥିବା ଟ୍ରେନକୁ ଗୁଜୁରାଟର ଗୋଧ୍ରା ନିକଟରେ ଆକ୍ରମଣ କରାଗଲା, ଯେଉଁଥିରେ ୫୯ ଜଣ ପ୍ରାଣ ହରାଇଲେ । ଗୁଜୁରାଟରେ ଦଙ୍ଗା ବ୍ୟାପିଲା, ୧୦୦୦ ଲୋକ ପ୍ରାଣ ହରାଇଲେ ।

ଏପ୍ରିଲ ୨୦୦୨ – ଅଯୋଧ୍ୟାର ବିବାଦୀୟ ଅଂଚଳ କାହାର, ଏହା ଉପରେ ଶୁଣାଣି ଆରମ୍ଭ କଲେ ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ଣା ବେଂଚ ।

ଜୁଲାଇ ୨୬, ୨୦୧୦ – ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ନା ବେଂଚ ନିଜର ରାୟକୁ ସଂରକ୍ଷିତ ରଖିବା ସହ ପରସ୍ପର ସହ ଆଲୋଚନା ମାଧ୍ୟମରେ ବିବାଦକୁ ସମାଧାନ କରିବାକୁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ।

ସେପଟେମ୍ବର ୩୦, ୨୦୧୦ – ବିବାଦୀୟ ଜମିକୁ ୩ ଭାଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । ସୁନ୍ନୀ ୱାକଫ ବୋର୍ଡ ପାଇଁ ଏକ ତୃତୀୟାଂଶ, ନିର୍ମୋହୀ ଆଖଡା ପାଇଁ ଏକ ତୃତୀୟାଂଶ, ଏବଂ ରାମ ଲାଲ୍ଲା ପକ୍ଷକୁ ଏକ ତୃତୀୟାଂଶ ଜମି ଦେବାକୁ ନିଷ୍ପତ୍ତି ହେଲା ।

ମେ ୨୦୧୧ – ହିନ୍ଦୁ ଓ ମୁସଲିମ ସଂଗଠନ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଗଲେ । ସର୍ବୋଚ୍ଚ କୋର୍ଟ, ହାଇକୋର୍ଟଙ୍କ ରାୟକୁ ସସପେଣ୍ଡ କରିଦେଲେ ।

ଫେବୃୟାରୀ ୨୦୧୫ – ସୁପ୍ରିମକୋର୍ଟଙ୍କ ସାମ୍ନାରେ ସମାଧାନର ସୁତ୍ର ରଖୀବାକୁ ଉଭୟ ହିନ୍ଦୁ ଓ ମୁସଲିମ ସଂଗଠନ ଏକାଠି ହୋଇ ଆଲୋଚନା କଲେ । ହେଲେ ଏଥିରୁ କୈାଣସି ସୁଫଳ ମିଳିଲା ନାହିଁ ।

୨୦୧୫-୨୦୧୬ – ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଦୁଇ ଥର ହିନ୍ଦୁ ଓ ମୁସଲମାନ ସଂଗଠନ ମଧ୍ୟରେ ଆଲୋଚନା ହେଲା । ହେଲେ ଏହା ବିଫଳ ହୋଇଥିଲା ।

ଡିସେମ୍ବର ୫, ୨୦୧୭ – ବାବ୍ରୀ ମସଜିଦ ଭାଙ୍ଗିବାକୁ ୨୫ ବର୍ଷ ପୁରୁଥିବା ବେଳେ, ସୁପ୍ରିମକୋର୍ଟରେ ୧୩ଟି ପିଟିସନ ଉପରେ ହେଲା ଶୁଣାଣି । ମାମଲାର ସମସ୍ତ ଦସ୍ତାବିଜକୁ ଇଂରାଜୀରେ ଅନୁବାଦ କରିବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ କହିଲେ ।

ରାମ ଜନ୍ମଭୁମି ବିବାଦ – ଆସନ୍ତା ବର୍ଷ ଫେବୃୟାରୀ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।