ଆଜି ବି ଉଚ୍ଚନୀଚ୍ଚ ଭାବନାରେ ବନ୍ଧା ପଡ଼ିଛି ସମାଜ : ପୋଖରୀ ତୁଠକୁ ଗାଧୋଇବାକୁ ଯାଇ ବାସନ୍ଦ ୪ଟି ଗଣ୍ଡା ପରିବାର

593
କନକ ବ୍ୟୁରୋ : ଆଜିବି ବଂଚିଛି ଅନ୍ଧବିଶ୍ୱାସ ଓ ଉଚ୍ଚ ନୀଚ୍ଚ ଭାବନା । ସରକାର ଡିଜିଟାଲ ଇଣ୍ଡିଆର କଥା ଚିନ୍ତା କରୁଥିବା ବେଳେ ଆଜି ବି ଲୋକଙ୍କ ମନରେ ଲିଭିନି ବାସନ୍ଦ ଭଳି ଘୃଣ୍ୟ ଚିନ୍ତାଧାରା । ପୋଖରୀ ତୁଠକୁ ଗାଧୋଇବାକୁ ଯାଇ ବାସନ୍ଦ ହୋଇଛନ୍ତି ୪ଟି ଗଣ୍ଡା ପରିବାର । ଏଭଳି ଏକ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଲିିପସପାଲି ଗାଁରୁ ।
ଗାଁର ପୋଖରୀ ତୁଠରେ ଗାଧୋଇବାରୁ ବାସନ୍ଦ ଦଣ୍ଡ ଭୋଗୁଛନ୍ତି ସୁନ୍ଦରଗଡ ଜିଲ୍ଲାର ୪ ଗଣ୍ଡା ପରିବାର । ବାସୁଦେବ କୁସୁମଙ୍କ ସ୍ତ୍ରୀ ଓ ତାଙ୍କ ୪ ବୋହୂ ଗାଁରେ ଥିବା ସରକାରୀ ପୋଖରୀ ତୁଠରେ ଗାଧୋଇବାରୁ ଗାଁ ଲୋକେ ତାଙ୍କୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଗାଁରେ ଥିବା ସରକାରୀ ପୋଖରୀରେ ଯେକୌଣସି ତୁଠରେ ଯେ କେହିବି ଗାଧୋଇ ପାରିବେ । ଏଥିରେ କୌଣସି ଅସୁବିଧା ନାହିଁ । ତଥାପି ବାସୁଦେବ କୁସୁମଙ୍କ ପରିବାରକୁ ନିଆଁ, ପାଣି, ବିଜୁଳି, ଗାଁରେ ଥିବା ଦୋକାନ ବନ୍ଦ କରିଛନ୍ତି ଗ୍ରାମବାସୀ । ପିଇବା ପାଣି ଟୋପାଏ ଓ ଦୋକାନ ସଉଦା ପାଇଁ ସୀମାନ୍ତ ଅଂଚଳ ଛତିଶଗଡ ଉପରେ ନିର୍ଭର କରୁଛନ୍ତି ଏହି ଦଳିତ ପରିବାର ।
ବାସନ୍ଦ ପରିବାର ଏନେଇ ଥାନାର ଦ୍ୱରସ୍ଥ ହେବା ପରେ ପୋଲିସ ଏବଂ ବ୍ଲକ ପ୍ରଶାସନ ଗାଁକୁ ଆସି ସମାଧାନ କରିଦେଇଗଲେ । ହେଲେ ଗ୍ରାମବାସୀ ଏହାକୁ ନମାନି ବରଂ ଅଧିକ ମାନସିକ ନିର୍ଯାତନା ଦେଲେ ବୋଲି ଅଭିଯୋଗ ହୋଇଛି । ଏନେଇ ଗଣମାଧ୍ୟମ ଠାରୁ ଜିଲ୍ଲାପାଳ ଜାଣିବା ପରେ ନିଜେ ଲିପସପାଲି ଗାଁକୁ ଯାଇ ଲୋକଙ୍କୁ ବୁଝାଇବା ସହ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଆଜିର ସମାଜରେ ଏପରି ବାସନ୍ଦ ଘଟଣା ନିହାତି ନିନ୍ଦନୀୟ । ଜିଲ୍ଲାପାଳ କେବେ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁଛନ୍ତି ଓ ବାସନ୍ଦ ପରିବାରକୁ କେବେ ନ୍ୟାୟ ମିଳୁଛି ତାହା ସମୟ ହିଁ ଜଣାଇବ ।