କନକ ବ୍ୟୁରୋ : ଦେଶରେ ଶେଷ ହୋଇନି ଭିଆଇପି କଲଚର । ଭିଆଇପି କଲଚର ଶେଷ ହୋଇଥିବା ନେଇ ବାରମ୍ବାର ନାରା ଦେଉଥିଲେ ମଧ୍ୟ ମନ୍ତ୍ରୀମାନେ ସରକାରୀ କର୍ମଚାରୀଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି । ମନମୁଖୀ ଶାସନ ଚଳାଇଛନ୍ତି ରାଜନେତା । ଉତ୍ତରପ୍ରଦେଶରେ ପୁଣି ଘଟିଛି ଏପରି ଏକ ଘଟଣା । ଯୋଗ ଦିବସ ଅବସରରେ ଯୋଗୀ ମନ୍ତ୍ରୀଙ୍କ ବାହାପିଆ ପଣ ଦେଖିବାକୁ ମିଳିଛି । ସର୍ବସମ୍ମୁଖରେ ସରକାରୀ କର୍ମଚାରୀଙ୍କୁ ଜୋତା ପିନ୍ଧାଇବା ପାଇଁ ଆଦେଶ ଦେଲେ ଯୋଗୀ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାମ ବିଲାସ ଚୌଧୁରୀ । ଏନେଇ ପ୍ରଶ୍ନ କରାଯିବା ପରେ ନିଜକୁ ଭଗବାନ ରାମ ରୂପେ ଅଭିହିତ କରାଇଲେ ରାମ ବିଲାସ ।

Advertisment

ଯୋଗ ଦିବସରେ ଯୋଗୀ ମନ୍ତ୍ରୀ ଶୁଣାଇଲେ ରାମ ଭରତ ଉପାଖ୍ୟାନ । ଉତ୍ତରପ୍ରଦେଶର ଶାହଜହାଂପୁର ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କୁ ଜଣେ କର୍ମଚାରୀ ନିଜ ହାତରେ ଜୋତା ପିନ୍ଧାଉଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଭିଡ଼ିଓ ଭାଇରାଲ ପରେ ମନ୍ତ୍ରୀ ଅବାନ୍ତର କଥା କହି ସଫେଇ ଦେଇଛନ୍ତି । ମନ୍ତ୍ରୀ ରାମ ବିଲାସ ଚୌଧୁରୀ ସମସ୍ତଙ୍କୁ ଶୁଣାଇଛନ୍ତି ରାମ-ଭରତ ଉପାଖ୍ୟାନ । ଆମ ଦେଶରେ ଭଗବାନ ରାମଙ୍କ କଠଉ ରଖି ଭରତ ୧୪ ବର୍ଷ ଶାସନ ଭାର ସମ୍ଭାଳିଥିଲେ । ତେଣୁ କେହି ଭାଇ କିମ୍ବା ପରିବାର ଲୋକ ଜୋତା ପିନ୍ଧାଇଦେଲେ ସେଥିରେ କିଛି ଖରାପ ନାହିଁ ।

ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଯୋଗ ସାରି ଆସିବା ପରେ ମନ୍ତ୍ରୀ ଜୋତା ପିନ୍ଧିବା ପାଇଁ ନଇଁବା ପାଇଁ ଚାହୁଁନାହାନ୍ତି । ତେଣୁ ସେ ସେଠାରେ ଉପସ୍ଥିତ ଥିବା ଜଣେ ସରକାରୀ କର୍ମଚାରୀଙ୍କୁ ଜୋତା ପିନ୍ଧାଇବା ପାଇଁ ଆଦେଶ ଦେଇଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଏବେ ବି ନେତାମନ୍ତ୍ରୀମାନେ ସରକାରୀ କର୍ମଚାରୀଙ୍କୁ ସରକାରୀ କାମ ଅପେକ୍ଷା ବ୍ୟକ୍ତିଗତ କାମରେ ଅଧିକ ଲଗାଉଛନ୍ତି । ଏବେଯାଏଁ ଶେଷ ହୋଇନି ଭିଆଇପି କଲଚର ।